ବିବିସି ସିରିଜ୍‌ ନିଷେଧାଦେଶ ବିରୋଧରେ ଆବେଦନ ଉପରେ କେନ୍ଦ୍ର ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା: ସୁପ୍ରିମ୍‌କୋର୍ଟଙ୍କ ମୂଲ୍ୟବାନ ସମୟର ଅପଚୟ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଗୋଧ୍ରା ଦଙ୍ଗା ଉପରେ ଆଧାରିତ ବିବାଦୀୟ ବିବିସି ଡକ୍ୟୁମେଣ୍ଟାରି ଉପରେ କେନ୍ଦ୍ରର ନିଷେଧାଦେଶକୁ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ର ଏବଂ ଆଇନଜୀବୀ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରି ଏକ ଯାଚିକା ଆଗତ କରିଛନ୍ତି। ତେବେ, ସୁପ୍ରିମ୍‌କୋର୍ଟରେ ଆଗତ ହୋଇଥିବା ଏହି ଯାଚିକା ଉପରେ ପ୍ରତିକ୍ରିୟା ରଖି କେନ୍ଦ୍ର ଆଇନ ମନ୍ତ୍ରୀ କିରନ୍‌ ରିଜିଜୁ ସୋମବାର କହିଛନ୍ତି ଯେ ଏହିପରି ଆବେଦନଗୁଡ଼ିକ ନ୍ୟାୟପାଳିକାର ସମୟର ସମ୍ପୂର୍ଣ୍ଣ ଅପଚୟ ହୋଇଥିବାବେଳେ ହଜାର ହଜାର ସାଧାରଣ ନାଗରିକ ନ୍ୟାୟ ଏବଂ ଶୀଘ୍ର ବିଚାରକୁ ଅପେକ୍ଷା କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଜାନୁଆରି ୨୧ରେ କେନ୍ଦ୍ର ଦ୍ୱାରା ବିବିସି ଡକ୍ୟୁମେଣ୍ଟାରି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା; ଯେଉଁଥିରେ ଦର୍ଶାଯାଇଥିଲା ଯେ ଏହି ସିରିଜ୍‌ ଏକ ଏକପାଖିଆ ରିପୋର୍ଟିଂ ବ୍ୟତୀତ ଅନ୍ୟ କିଛି ନୁହେଁ। ୨୦୦୨ର ଗୋଧ୍ରା ଦଙ୍ଗା ସମୟରେ ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଶାସନ କ୍ଷମତାରେ ଥିଲା ଓ ଦଙ୍ଗା ପରିଚାଳନାକୁ ନେଇ ଏହି ଡକ୍ୟୁମେଣ୍ଟାରି ପ୍ରସ୍ତୁତ ହୋଇଛି।
ସୁପ୍ରିମ୍‌କୋର୍ଟରେ ଆଗତ ହୋଇଥିବା ଏହି ଯାଚିକା ଉପରେ ପ୍ରତିକ୍ରିୟା ରଖି କେନ୍ଦ୍ର ଆଇନ ମନ୍ତ୍ରୀ କିରନ୍‌ ରିଜିଜୁ ସୋମବାର ନିଜ ଟ୍ଵିଟରରେ ଲେଖିଛନ୍ତି, କିଛି ଲୋକ କିପରି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ମୂଲ୍ୟବାନ ସମୟକୁ ନଷ୍ଟ କରନ୍ତି ଏହା ହେଉଛି ତାର ଏକ ଉଦାହରଣ। ସୁପ୍ରିମକୋର୍ଟରେ ତାରିଖଟିଏ ପାଇବା ପାଇଁ ହଜାର ହଜାର ସାଧାରଣ ନାଗରିକ ଅପେକ୍ଷା କରିଛନ୍ତି, କିନ୍ତୁ ଏପରି ଆ‌ବେଦନ ସର୍ବୋଚ୍ଚ ଅଦାଲତଙ୍କ ସମୟ ଅପବ୍ୟୟ ଲାଗି ଉଦ୍ଦିଷ୍ଟ।

ବରିଷ୍ଠ ସାମ୍ବାଦିକ ଏନ ରାମ, ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏବଂ ଟିଏମସିର ମହୁଆ ମୋଇତ୍ରଙ୍କ ଦ୍ୱାରା ସୁପ୍ରିମକୋର୍ଟରେ ଆଗତ ଆବେଦନକୁ କିରନ ରିଜିଜୁ ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବନ୍ଧୀୟ ବିବିସି ଡକ୍ୟୁମେଣ୍ଟାରି ଉପରେ ନିଷେଧାଦେଶକୁ ଚ୍ୟାଲେଞ୍ଜ କରି ସେମାନଙ୍କର ଆବେଦନ ଅସାମ୍ବିଧାନିକ ବୋଲି ସେ କହିଛନ୍ତି। ସେ ଦର୍ଶାଇଛନ୍ତି ସମ୍ବିଧାନର ଧାରା ୧୯(୧)(କ)କୁ ଉଲ୍ଲେଖ କରି ଏହି ଆବେଦନରେ ଦର୍ଶାଯାଇଛି ଯେ ବିବିସିର ବିବାଦୀୟ ‘ଭାରତ: ମୋଦୀ ପ୍ରଶ୍ନ’ର ପ୍ରସାରଣକୁ ନିଷେଧ କରି ଜଣେ ନାଗରିକଙ୍କ ବାକ୍‌ ସ୍ୱାଧୀନତା ଏବଂ ଅଭିବ୍ୟକ୍ତିର ଅଧିକାରକୁ ଚ୍ୟାଲେଞ୍ଜ କରାଯାଇଛି।

ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଅନୁଯାୟୀ ବିବିସି ଡକ୍ୟୁମେଣ୍ଟାରି ଭାରତ ବିରୋଧୀ ଏଜେଣ୍ଡାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଚାର ସର୍ବସ୍ୱ ଥିଲା। ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି, ବିବିସିର ଖରାପ ପ୍ରଚାର ଭାରତର ସାର୍ବଭୌମତ୍ୱ ଏବଂ ଅଖଣ୍ଡତାକୁ କ୍ଷୁଣ୍ଣ କରୁଥିବା ଏବଂ ବିଦେଶୀ ରାଷ୍ଟ୍ର ସହିତ ଭାରତର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇବାର ସମ୍ଭାବନା ରହିଛି!

nis-ad
Leave A Reply

Your email address will not be published.