ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଗୁଳିମାଡ଼ ଘଟଣାର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରାଇମ୍ବ୍ରାଞ୍ଚ୍କୁ ନିର୍ଦ୍ଦେଶ ଦେବା ପରେ କ୍ରାଇମବ୍ରାଞ୍ଚ୍ର ଅତିରିକ୍ତ ଡିଜି ଅରୁଣ ବୋଥ୍ରା ଅନ୍ୟ ଅଫିସରଙ୍କୁ ନେଇ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ଝାରସୁଗୁଡ଼ାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହି ଗୁଳିକାଣ୍ଡ ମାମଲାର ତଦନ୍ତ ଲାଗି ଗଠିତ ୭ ଜଣିଆ ଟିମ୍ରେ ତଦନ୍ତକାରୀ ଅଫିସର ଭାବେ ଡିଏସ୍ପି ରମେଶ ଚନ୍ଦ୍ର ଦୋରା ନିୟୋଜିତ ହୋଇଛନ୍ତି । ଉକ୍ତ ଟିମ୍ରେ ସାଇବର ବିଶେଷଜ୍ଞଙ୍କ ସହ ବାଲାଷ୍ଟିକ୍ ଏକ୍ସପର୍ଟ ଏବଂ କ୍ରାଇମ୍ବ୍ରାଞ୍ଚ୍ର ଆଉ କିଛି ଦକ୍ଷ ଅଧିକାରୀ ରହିଛନ୍ତି । ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏଡିଜି ଶ୍ରୀ ବୋଥ୍ରା ପ୍ରତ୍ୟକ୍ଷ ଭାବେ ତଦନ୍ତକୁ ଅନୁଧ୍ୟାନ କରୁଥିବା କ୍ରାଇମ୍ବ୍ରାଞ୍ଚ୍ ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ଘଟଣାରେ ବ୍ରଜରାଜନଗର ଥାନା ପୁଲିସଠାରୁ କ୍ରାଇମବ୍ରାଞ୍ଚ୍ ପକ୍ଷରୁ ଡିଏସ୍ପି ଶ୍ରୀ ଦୋରା ମାମଲାର ତଦନ୍ତ ଭାର ନେବା ପରେ ଘଟଣା ସମ୍ପର୍କିତ ତଥ୍ୟ ପ୍ରମାଣ ସଂଗ୍ରହ କରୁଛନ୍ତି । ଗୁଳିକାଣ୍ଡ ପରେ ଘଟଣାସ୍ଥଳରୁ ମିଳିଥିବା ଖୋକା ଏବଂ ରକ୍ତ ନମୁନା ସହ ଅନ୍ୟାନ୍ୟ ସାଇଣ୍ଟିଫିକ୍ ନମୁନା, ଅଭିଯୁକ୍ତର ବନ୍ଧୁକ, ମୋବାଇଲ୍ ଫୋନ୍ ଆଦି ତଦନ୍ତକାରୀ ଟିମ୍ ନିଜ ହେପାଜତକୁ ନେଇ ତଦନ୍ତ ଜାରି ରଖିଛନ୍ତି । ଜବତ ହୋଇଥିବା ବନ୍ଧୁକ ଏବଂ ଖୋକାକୁ ବାଲାଷ୍ଟିକ୍ ଏକ୍ସପର୍ଟ ଯାଞ୍ଚ୍ କରିବା ସହ ଏହାକୁ ପରୀକ୍ଷା ନିରୀକ୍ଷା ଲାଗି ରସୁଲଗଡ଼ସ୍ଥିତ ଷ୍ଟେଟ୍ ଫରେନସିକ୍ ଲ୍ୟାବ୍କୁ ପଠାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି । ସେହିପରି ମୋବାଇଲ୍ ଫୋନ୍ର ବିଭିନ୍ନ କଲ୍ ରେକର୍ଡ ଆଧାରରେ ସାଇବର ଏକ୍ସପର୍ଟ ତଦନ୍ତ ଚଳାଇଛନ୍ତି । ତଦନ୍ତକାରୀ ଅଧିକାରୀ ଟିମ୍ର ଆଉ କିଛି ସଦସ୍ୟ ଗୁଳିକାଣ୍ଡ ସ୍ଥଳରେ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କୁ ମଧ୍ୟ ପଚରା ଉଚରା କରିଥିବା ସୂଚନା ମିଳିଛି ।
ଅନ୍ୟପକ୍ଷରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଭିଯୁକ୍ତ ଏଏସ୍ଆଇ ଗୋପାଳ ଦାସକୁ ବ୍ରଜରାଜନଗର ଥାନା ପୁଲିସ୍ ନିଜ ହେପାଜତକୁ ନେବା ପରେ ସମ୍ବଲପୁର ପୁଲିସ୍ ହେପାଜତରେ କଡ଼ା ସୁରକ୍ଷା ବଳୟରେ ଏକ ସ୍ଥାନରେ ରଖାଯାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ଅଭିଯୁକ୍ତ ଶ୍ରୀ ଦାସକୁ କ୍ରାଇମ୍ବ୍ରାଞ୍ଚ୍ ଏଡିଜିଙ୍କ ସମେତ ଅନ୍ୟ ଅଧିକାରୀମାନେ ପଚରାଉଚରା କରି ମନ୍ତ୍ରୀଙ୍କ ଉପରକୁ ଗୁଳିମାଡ଼ର ରହସ୍ୟ ଖୋଜିବେ ବୋଲି ସୂଚନା ମିଳିଛି।