ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଗୁଳିମାଡ଼ରେ ଗୁରୁତର : ରକ୍ଷକ ସାଜିଲା ଭକ୍ଷକ…


ଝାରସୁଗୁଡ଼ା – ୨୯/୦୧/୨୩ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଆଜି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଠାରେ ଗୁଳି ମାଡରେ ଗୁରୁତର ଆହତ ହୋଇଛନ୍ତି । ଗୋପାଳ ଚନ୍ଦ୍ର ଦାସ ନାମକ ଜଣେ ପୁଲିସ କର୍ମଚାରୀ ତାଙ୍କ ଉପରେ ଚାରିରୁ ପାଞ୍ଚ ରାଉଣ୍ଡ ଗୁଳି ଚଳାଇ ଥିବା ପୁଲିସ ଏସଡିପିଓ ଗଣମାଧ୍ୟମକୁ କହିଛନ୍ତି । ଗୁରୁତର ଥିବା ମନ୍ତ୍ରୀଙ୍କୁ ଏୟାର ଲିଫ୍ଟ କରାଯାଇ ଭୁବନେଶ୍ୱର ଆପୋଲୋ ହସ୍ପିଟାଲକୁ ଅଣାଯାଉଛି। ବ୍ୟକ୍ତିଗତ ଶତ୍ରୁତାକୁ ନେଇ ମନ୍ତ୍ରୀଙ୍କ ଉପରେ ଗୁଳି ମାଡ ହୋଇଥିବା ସନ୍ଦେହ କରାଯାଉଛି କିନ୍ତୁ ଅନ୍ୟ ପକ୍ଷରୁ ଚିନ୍ତା କଲେ ଅନେକ ସନ୍ଦେହ ଉଙ୍କି ମାରୁଛି । ମନ୍ତ୍ରୀ ନବ ଦାସ ଆଜି ସକାଳେ ବ୍ରଜରାଜନଗରରେ ଦଳୀୟ କାର୍ଯ୍ୟକ୍ରମ ପାଇଁ ପହଞ୍ଚିବା ପରେ ଗାଡି କବାଟ ଖୋଲି ତଳକୁ ଓହ୍ଲାଇବା

ସମୟରେ ଗୁଳି ମାଡ ହୋଇଛି । ଅପେକ୍ଷାରତ ଲୋକମାନେ ମନ୍ତ୍ରୀଙ୍କୁ ଫୁଲମାଳ ପକାଇ ସ୍ବାଗତ କରିବା ସମୟରେ ଏହି ଗୁଳି ମାଡ ହୋଇଛି । ଗୁଳି ଫୁଲମାଳ ଭିତରେ ଛାତିରେ ବଜିଥିବାରୁ ମନ୍ତ୍ରୀ ହଠାତ କିଛି ବୁଝିପାରି ନଥିଲେ । ଗୁଳି ବାଜିବା ପରେ ମନ୍ତ୍ରୀ ଛାତିରେ ହାତ ମାରି ରକ୍ତ ବାହାରୁ ଥିବା ଜାଣିଥିଲେ ଓ ଗାଡିରେ ଅଚେତ ଅବସ୍ଥାରେ ଟଳି ପଡ଼ିଥିଲେ । ତାଙ୍କୁ ଝାରସୁଗୁଡ଼ା ନିଆଯାଇ ଚିକିତ୍ସା କରାଯିବା ପରେ ସେଠାରୁ ବିମାନ ନିଆଯାଇ ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ୱର ଆପୋଲୋ ହସପିଟାଲକୁ ଅଣାଯାଉଛି । ସ୍ଥିତିକୁ ଅନୁଧ୍ୟାନ କଲେ ଏହା ପ୍ରତୀତ ହେଉଛି ପୁଲିସ କର୍ମଚାରୀ ଜଣକ ମନ୍ତ୍ରୀଙ୍କୁ ମାରିବା ପାଇଁ ପୂର୍ବରୁ ପ୍ରସ୍ତୁତି କରିସାରିଥିଲେ ଏବଂ ମନ୍ତ୍ରୀ କାରରୁ ଓହ୍ଲାଇ ସମର୍ଥକଙ୍କଠାରୁ ଫୁଲମାଳ ଗ୍ରହଣ କରିଥିବା ସମୟରେ ଛାତିକୁ ଲକ୍ଷ କରି ଗୁଳି ମାରିଛନ୍ତି । ଗୁଳି ମାରିବା ପରେ ପୁଲିସ କର୍ମଚାରୀ ଜଣକ ଘଟଣା ସ୍ଥଳରୁ ଦୌଡ଼ି ପଳାଇ ପାଇଁ ଚେଷ୍ଟା କରିଥିଲେ। ଯିବା ସମୟରେ ଚାରିରୁ ପାଞ୍ଚ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ସୂଚନା ମିଳିଛି । ଗୁଳି ମାରିଥିବା ପୁଲିସ କର୍ମଚାରୀଙ୍କ ନାମ ଗୋପାଳକୃଷ୍ଣ ଦାସ ବୋଲି କୁହାଯାଉଛି । ମନ୍ତ୍ରୀ ନବଦାସ ଙ୍କ ଉପରକୁ ଗୁଳି ମାରିଥିବା ଏ.ଏସ.ଆଇ ଗୋପାଳ ଦାସ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ନିକଟସ୍ଥ ଗଞ୍ଜୁ ଗ୍ରାମର ବାଉରୀ ସାହି ବାସିନ୍ଦା ଅଟନ୍ତି।ସେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ କନେଷ୍ଟବଲରୁ ୨୦୧୪ ମସିହାରେ ପ୍ରମୋସନ ପାଇଁ ଏ.ଏସ.ଆଇ ଭାବେ ଝାରସୁଗୁଡା ପୋଲିସ ଜିଲ୍ଲାକୁ ବଦଳି ହୋଇଥିଲେ। ଗଣମାଧ୍ୟମକୁ ତାଙ୍କ ସ୍ତ୍ରୀ ଦେଇଥିବା ବୟାନ ଅନୁଯାୟୀ ସେ ମାନସିକ ଭାବେ ସୁସ୍ଥ ନ ଥିଲେ ଏବଂ ସାତ ବର୍ଷରୁ ଔଷଧ ଖାଉଥିଲେ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାକୁ ଗୁରୁତ୍ବର ସହ ନେବା ସହିତ ତୁରନ୍ତ ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବାର ସୂଚନା ପ୍ରାପ୍ତ ହୋଇଛି। ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ନବ ଦାସଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ମନ୍ତ୍ରୀ ନବ ଦାସ ବିଜେଡିର ଜଣେ ଟାଣୁଆ ନେତା । ପଶ୍ଚିମ ଓଡ଼ିଶାରେ ବିଶେଷକରି ଝାରସୁଗୁଡ଼ା ଓ ଆଖପାଖ ଜିଲ୍ଲାରେ ବେଶ୍ ଲୋକପ୍ରିୟ ଓ କ୍ଷମତାଶାଳୀ ନେତା ଭାବରେ ସେ ପରିଚିତ । ପୂର୍ବରୁ ସେ କଂଗ୍ରେସ ବିଧାୟକ ଥିଲେ ଓ ପିସିସି ( ପ୍ରଦେଶ କଂଗ୍ରେସ କମିଟି) ଦାୟିତ୍ୱରେ ମଧ୍ୟ ରହିଥିଲେ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମନ୍ତ୍ରୀ ଦାସ ବିଜେଡିରେ ଯୋଗ ଦେଇ ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଭାବରେ ସେ ନବୀନ ସରକାରରେ ସେ ଜଣାଶୁଣା।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

nis-ad
Leave A Reply

Your email address will not be published.