ଭୁବନେଶ୍ବର: ଗୁଳିମାଡ଼ର ଶିକାର ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଚିକିତ୍ସା ପାଇଁ ଆପୋଲୋ ହସ୍ପିଟାଲରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠିତ ହୋଇଛି। ଏହି ଦଳରେ ସର୍ଜରି, ଆନେସ୍ଥେସିଆ, ନ୍ୟୁରୋ, ମେଡିସିନ, କାର୍ଡିଆକ ଇତ୍ୟାଦି ବିଭାଗର ବରିଷ୍ଠ ଡାକ୍ତର ଅଛନ୍ତି। କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ବିମାନବନ୍ଦରରେ ଉପସ୍ଥିତ ଅଛନ୍ତି।
ଗୁଳିମାଡ଼ର ଶିକାର ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଅବସ୍ଥା ସଂକଟାପନ୍ନ ଥିବା ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି । ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କୁ ଭୁବନେଶ୍ବରକୁ ଏୟାରଲିଫ୍ଟିଂ ପ୍ରକ୍ରିୟା ଜାରି ରହିଛି। ଏବେ ତାଙ୍କୁ ଝାରସୁଗୁଡ଼ା ବିମାନବନ୍ଦରରୁ ଭୁବନେଶ୍ବରର ଆପୋଲୋ ହସ୍ପିଟାଲକୁ ଅଣାଯାଉଛି।
ବ୍ରଜରାଜନଗରର ଗାନ୍ଧୀଛକ ଫାଣ୍ଡିର ଏଏସଆଇ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିମାଡ଼ କରିଛନ୍ତି। ଗୁଳିଟି ତାଙ୍କ ଛାତିର ବାମ ପାଖରେ ବାଜିଛି। ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବ୍ରଜରାଜନଗର ଆସିଥିଲେ। ସେ ଏକ ବିରାଟ ଶୋଭାଯାତ୍ରାରେ ଆସୁଥିବା ବେଳେ ଜଣେ ଫାଣ୍ଡି ଅଧିକାରୀ ଗୋପାଳ ଦାସ ଅତି ନିକଟରୁ ତାଙ୍କ ସର୍ଭିସ ରିଭଲଭରରେ ଗୁଳିମାଡ଼ କରିଥିବା ଜଣାଯାଇଛି।
ଗୁଳିମାଡ଼ର ଶିକାର ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଉପରକୁ ଗୁଳିମାଡ଼ ଘଟଣାକୁ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ନବ ଦାସଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଛନ୍ତି।