ଅଯୋଧ୍ୟାକୁ ଅଣାଯାଉଥିବା ସାଢ଼େ ୬କୋଟି ବର୍ଷ ପୁରୁଣା ପବିତ୍ର ପଥରରେ ତିଆରି ହେବ ଭଗବାନ ରାମଲଲାଙ୍କ ପ୍ରତିମା

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମିତ ହେଉଥିବା ଭଗବାନ ରାମଙ୍କ ମନ୍ଦିରରେ ଶ୍ରୀରାମଙ୍କ ବାଳକ ରୂପର ପ୍ରତିମା ରାମଲଲାଙ୍କ ମୂର୍ତ୍ତି ପଥରରେ ନିର୍ମିତ ହେବ। ଏହି ପଥର କୌଣସି ସାଧାରଣ ପଥର ନୁହେଁ, ଏହାର ଐତିହାସିକ, ପୌରାଣିକ, ଧାର୍ମିକ ଓ ବୈଜ୍ଞାନିକ ମହତ୍ତ୍ବ ରହିଛି। ନେପାଳର ମ୍ୟାଗଦି ଜିଲ୍ଲାର ବେନିରୁ ସମ୍ପୂର୍ଣ୍ଣ ବିଧିବିଧାନ ସହିତ ହଜାରଲୋକଙ୍କ ଶ୍ରଦ୍ଧା ଭିତରେ ଏହି ପବିତ୍ର ପଥରକୁ ଅଯୋଧ୍ୟାକୁ ଅଣାଯାଉଛି। ଏହି ପଥର ଗଣ୍ଡକି ନଦୀରୁ ସଂଗୃହୀତ ହୋଇଥିବା ବେଳେ ଗୋଟିଏ ପଥରର ଓଜନ ୨୭ଟନ ଓ ଅନ୍ୟଟିର ଓଜନ ୧୪ଟନ ରହିଛି।
ମ୍ୟାଗଦିରେ ପ୍ରଥମେ ଶସ୍ତ୍ର ସମେତ କ୍ଷମାପୂଜା କରାଯାଇଥିଲା। ଏହାପରେ ବିଶେଷଜ୍ଞଙ୍କ ନିରୀକ୍ଷଣରେ ପଥର ଖୋଳା ଯାଇଥିଲା। ଏହାପରେ ଏହି ପଥରକୁ ଏକ ବଡ଼ ଟ୍ରକରେ ରଖାଯାଇ ରାଜକୀୟ ସମ୍ମାନ ସହିତ ଅଯୋଧ୍ୟାକୁ ଅଣାଯାଉଛି। ଯେଉଁଯେଉଁ ରାସ୍ତା ଦେଇ ଏହି ପଥର ଯାତ୍ରା କରୁଛି ସେ ସବୁ ରାସ୍ତାକୁ ଭକ୍ତମାନେ ପାଣି ପକାଇ ଧୋଇ ପରିସ୍କାର କରିବା ସହିତ ଫୁଲ ପକାଇ ପୂଜା କରି ଏହି ଅନନ୍ୟା ପଥରକୁ ଦର୍ଶନ କରୁଛନ୍ତି।
ତେବେ କୁହାଯାଉଛି, ପାଖାପାଖି ୭ମାସ ପୂର୍ବେ ନେପାଳର ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ ବିମଳେନ୍ଦ୍ର ନିଧି ରାମ ମନ୍ଦିର ନିର୍ମାଣ ଟ୍ରଷ୍ଟ ନିକଟରେ ଏହି ପ୍ରସ୍ତାବ ରଖିଥିଲେ। ସେହିଦିନ ଠାରୁ ଏହାର ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା।

ଭାରତ ସରକାର ଓ ରାମମନ୍ଦିର ଟ୍ରଷ୍ଟ ପକ୍ଷରୁ ସବୁଜ ସଙ୍କେତ ମିଳିବା ପରେ ହିନ୍ଦୁ ସ୍ବୟଂସେବକ ସଂଘ, ବିଶ୍ବ ହିନ୍ଦୁ ପରିଷଦ ନେପାଳ ସହିତ ସମନ୍ବୟ ରକ୍ଷା କରି ଏହା ସ୍ଥିର କରିଥିଲେ କି ଅଯୋଧ୍ୟା ମନ୍ଦିର ଦୁଇହଜାର ବର୍ଷ ପାଇଁ ତିଆରି କରାଯାଉଥିବା ବେଳେ ଏଠାରେ ସ୍ଥାପନା ହେବାକୁ ଥିବା ମୂର୍ତ୍ତି ତାହାଠାରୁ ଅଧିକ ବର୍ଷ ରହିବା ଭଳି ନିର୍ମାଣ ହେବ । ତେଣୁ ଯେଉଁ ପଥରର ଧାର୍ମିକ, ପୌରାଣିକ, ଆଧ୍ୟାତ୍ମିକ ମହତ୍ବ ରହିଛି, ସେହି ପଥରକୁ ଅଯୋଧ୍ୟାକୁ ଅଣାଯାଉଛି।

nis-ad
Leave A Reply

Your email address will not be published.