ଶ୍ରୀନଗରର ଲାଲଚୌକରେ ଉଡ଼ିଲା ତ୍ରିରଙ୍ଗା, ୧୯୯୦ ପରେ ପ୍ରଥମ ଥର ପାଇଁ ଖୋଲା ରହିଲା ଦୋକାନ ବଜାର..

ଶ୍ରୀନଗର : ଧୀରେ ଧୀରେ ଆତଙ୍କବାଦର କଳାପ୍ରଭାବରୁ ମୁକ୍ତ ହେଉଛି କଶ୍ମୀର । ଲୋକମାନେ ବି ଆତଙ୍କବାଦୀଙ୍କ ସମର୍ଥନ ଅପେକ୍ଷା ମୁଖ୍ୟଧାରାରେ ସାମିଲ ହେବାକୁ ଅଧିକ ପସନ୍ଦ କରୁଛନ୍ତି । ଏହାର ପ୍ରମାଣ ମିଳିଛି ଆଜି ଶ୍ରୀନଗରର ଲାଲଚୌକରେ । କ୍ରମାଗତ ୨ୟ ବର୍ଷ ପାଇଁ ଏଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି । ଧାରା ୩୭୦ ପ୍ରତ୍ୟାହାର ପରେ ପ୍ରଥମ ଥର ପାଇଁ ୨୦୨୨ରେ ଏଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ।
ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଲାଲ ଚୌକରେ ଆଜି ତ୍ରିରଙ୍ଗା ପତାକା ଫର ଫର ହୋଇ ଉଡ଼ୁଥିବା ଦେଶବାସୀଙ୍କୁ ଆନନ୍ଦିତ କରିଛି । ଏହା ସହିତ ଏହି ଅଂଚଳରେ ଦୋକାନବଜାର ଖୋଲା ରହିଥିଲା । ୧୯୯୦ ପରେ ପ୍ରଥମ ଥର ପାଇଁ ଶ୍ରୀନଗରର ଏହି ଅଂଚଳରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । କାରଣ ଘାଟିରେ ଆତଙ୍କବାଦ ଆରମ୍ଭ ହେବା ପରେ ସବୁ ସ୍ବାଧିନତା ଓ ସାଧାରଣତନ୍ତ୍ର ଦିବସରେ ଆତଙ୍କବାଦୀମାନେ ବନ୍ଦ ଡାକରା ଦିଅନ୍ତି ଓ ଲୋକମାନେ ଭୟରେ ଏହାକୁ ପାଳନ କରନ୍ତି । ଆଶ୍ଚର୍ଯ୍ୟ କଥା ହେଉଛି ପୂର୍ବର ରାଜ୍ୟ ସରକାରମାନେ ଆଇନଶୃଙ୍ଖ​ଳା କଥା ଦର୍ଶାଇ ଏଠାରେ ଜାତୀୟ ପତାକା ଉତ୍ତୋଳନକୁ ଅନୁମତି ଦେଉନଥିଲେ । କିନ୍ତୁ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ଓ ଭାରତୀୟ ସେନାର କଠୋର ଆତଙ୍କବିରୋଧୀ ଅଭିଯାନ ପରେ ଧୀରେ ଧୀରେ ଘାଟିରେ ସ୍ବାଭାବିତ ଅବସ୍ଥା ଫେରୁଛି ।

nis-ad
Leave A Reply

Your email address will not be published.