କଲେଜ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା: କୂଅରୁ ମିଳିଲା ଶବ…

ଖୋର୍ଦ୍ଧା: ନାଚୁଣୀସ୍ଥିତ ହରିପୁର ଜଙ୍ଗଲରେ ସୁଟ୍‌କେଶ୍ ହତ୍ୟାକାଣ୍ଡ ଘଟଣା ଅଞ୍ଚଳବାସୀଙ୍କ ମନରୁ ନ ଲିଭୁଣୁ ୩ଦିନ ବ୍ୟବଧାନରେ ବାଣପୁର ଥାନା ଅଞ୍ଚଳରେ ଆଉ ଏକ ହତ୍ୟାକାଣ୍ଡ ଘଟିଛି । ଜଣେ କଲେଜଛାତ୍ରଙ୍କୁ ଅପହରଣ ପରେ ହତ୍ୟା ଏବଂ ପରବର୍ତ୍ତୀ ସମୟରେ ଏକ କୂଅରୁ ସମ୍ପୃକ୍ତ ଛାତ୍ରଙ୍କ ଶବ ଉଦ୍ଧାର ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତ ଛାତ୍ର ହେଲେ ବାଣପୁର ଥାନା ବଡ଼ହନ୍ତୁଆଡ଼ ଗ୍ରାମର ପ୍ରଶାନ୍ତ ମହାପାତ୍ରଙ୍କ ପୁଅ ଆଶୁତୋଷ ମହାପାତ୍ର(୧୭) । ଖବର ନେବାରେ ଜଣାଯାଇଛି ଯେ, ଆଶୁତୋଷ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷରେ ଅଧ୍ୟୟନ କରୁଥିଲେ । ସୋମବାର ସେ କଲେଜ ଯାଇଥିବା ବେଳେ ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ଘରକୁ ଫେରିନଥିଲେ । ପରିବାର ଲୋକେ ସମ୍ପର୍କୀୟ ଏବଂ ସାଙ୍ଗସାଥିଙ୍କ ସହ ଯୋଗାଯୋଗ କରିବା ସହ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପୁଅର କୈାଣସି ସନ୍ଧାନ ପାଇନଥିଲେ । ଉକ୍ତ ଦିନ ରାତ୍ରିରେ ଆଶୁତୋଷର ମୋବାଇଲରୁ ତା’ର ପିତା ପ୍ରଶାନ୍ତ ମହାପାତ୍ରଙ୍କ ମୋବାଇଲକୁ ମେସେଜ ଆସିଥିଲା ଯେ ତମ ପୁଅକୁ ଅପହରଣ କରାଯାଇଛି ।

୫ଲକ୍ଷ ଟଙ୍କା ଦିଅ, କିନ୍ତୁ ଏ ସଂକ୍ରାନ୍ତରେ ପୁଲିସ୍‌କୁ ଜଣାଇଲେ ପୁଅର ଶବ ପାଇବ । ଏପରି ମେସେଜ ଦେଖି ଆଶୁତୋଷଙ୍କ ପରିବାର ଓ ସଂପର୍କୀୟଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା । ତେବେ ବାରମ୍ବାର ଏପରି ଧମକ ମେସେଜ ଆସିବାରୁ ଅନନ୍ୟୋପାୟ ହୋଇ ଆଶୁତୋଷର ମାଆ ଅନୁପମା ଘଟଣା ସଂପର୍କରେ ବାଣପୁର ପୁଲିସ୍‌ରେ ଲିଖିତ ଭାବେ ଜଣାଇଥିଲେ । ଥାନା ଆଇଆଇସି ଜୟପ୍ରକାଶ ପରିଡ଼ା ସଂଗେ ସଂଗେ ମେସେଜ ଆସୁଥିବା ଆଶୁତୋଷର ମୋବାଇଲ ନମ୍ବରକୁ ଟ୍ରାକ୍‌କରି କିଛି ସୁରାକ ପାଇଥିଲେ । ଏକ ସ୍ୱତନ୍ତ୍ର ଟିମ୍ ତଦନ୍ତକରି ବାଣପୁର ଥାନା ଦୀକ୍ଷିତପଡ଼ା ଗ୍ରାମର ଆର୍ଶିବାଦ ପ୍ରଧାନ ଓରଫ କାହ୍ନା(୨୨)କୁ ସନ୍ଦେହରେ ଥାନାକୁ ଧରିଆଣି ପଚରାଉଚୁରା କରିବା ପରେ ଆର୍ଶିବାଦ ଆଶୁତୋଷକୁ ହତ୍ୟାକରି ନିଜର ଅର୍ଦ୍ଧନିର୍ମିତ ଘର ପଛପାଶ୍ୱର୍ କୂଅରେ ଶବକୁ ଫିଙ୍ଗି ଦେଇଥିବା ପୁଲିସ୍ ଆଗରେ ସ୍ୱୀକାର କରିଥିଲା । ବାଲୁଗାଁ ଏସ୍‌ଡ଼ିପିଓ ମାନସ ରଂଜନ ବାରିକଙ୍କ ତତ୍ତ୍ୱାବଧାନରେ ବାଲୁଗାଁ, ବାଣପୁର, ଟାଙ୍ଗି ଓ ନାଚୁଣୀ ପୁଲିସ୍ ସମେତ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ôଚ ଉକ୍ତ କୂଅରୁ ଆଶୁତୋଷର ଶବକୁ ଉଦ୍ଧାର କରିଥିଲେ ।

ଏହି ହତ୍ୟାକାଣ୍ଡର ସିନ୍ ରିକ୍ରିଏସନ୍ ଅଭିଯୁକ୍ତ ଆର୍ଶିବାଦ କରିଥିଲା । ପୁଲିସ୍ ସୂଚନା ମୁତାବକ ଆର୍ଶିବାଦ ଏକ ପକ୍ଷେ ମୁଣ୍ଡଜାମିନର ଅର୍ଥ ନପାଇବା ଏବଂ ଅନ୍ୟପକ୍ଷେ ପୂର୍ବରୁ ଧମକକୁ ନମାନି ପୁଲିସ୍‌ରେ ପରିବାର ଲୋକ ଅଭିଯୋଗ କରିଥିବାରୁ ଉତ୍‌କ୍ଷିପ୍ତ ହୋଇ ସେ ଉକ୍ତ ଦିନ ରାତ୍ରିରେ ଏକ ରଶିରେ ଆଶୁତୋଷର ବେକକୁ ଶ୍ୱାସରୁଦ୍ଧ କରି ହତ୍ୟାକାଣ୍ଡ ଭିଆଇଥିବା ତଦନ୍ତରୁ ଜଣାପଡ଼ିଛି । ତେବେ ଏହି ହତ୍ୟାକାଣ୍ଡରେ ଏକାଧିକ ସହଯୋଗୀଙ୍କ ସଂପୃକ୍ତି ଥିବା ନେଇ ପୁଲିସ ସନ୍ଦେହ କରୁଥିବା ବେଳେ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ଏସ୍‌ଡ଼ିପିଓ ବାରିକ ସୂଚନା ଦେଇଛନ୍ତି । ବାଣପୁର ପୁଲିସ୍ ଏକ ହତ୍ୟା ମାମଲା ରୁଜୁ କରିବା ସହ ଗୁରୁବାର ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ ବୋଲି ପୁଲିସ୍ ପ୍ରକାଶ କରିଛି ।

nis-ad
Leave A Reply

Your email address will not be published.