ପୂର୍ବ ଲଦାଖର ୨୬ଟି ପାଟ୍ରୋଲ ପଏଣ୍ଟରେ କୌଣସି ଭାରତୀୟ ସୈନିକ ନାହାନ୍ତି : ରିପୋର୍ଟ

ନୂଆଦିଲ୍ଲୀ : ପୂର୍ବ ଲଦାଖରେ ଥିବା ୩୫୦୦ କିଲୋମିଟର ଲମ୍ବ ପ୍ରକୃତ ନିୟନ୍ତ୍ରଣ ରେଖାର କେତେକ ସ୍ଥାନରେ ଏବେ ବି ଭାରତ ଓ ଚୀନ ସେନା ମୁତୟନ ଅଛନ୍ତି । ଏପରିପ୍ରେକ୍ଷୀରେ ଲଦାଖର ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଏକ ଗୋପନ ରିପୋର୍ଟ ଚିନ୍ତା ଉଦ୍ରେକ କରିଛି । ନିଜ ରିପୋର୍ଟରେ ସେ ଦର୍ଶାଇଛନ୍ତି ଯେ ପୂର୍ବ ଲଦାଖରେ ୬୫ ଟି ପାଟ୍ରୋଲିଂ ପଏଣ୍ଟ ମଧ୍ୟରୁ ୨୬ ଟିରେ କୌଣସି ଭାରତୀୟ ସୁରକ୍ଷା କର୍ମୀ ନାହାନ୍ତି ।
ଲଦାଖର ମୁଖ୍ୟ ସହର ଲେହର ଆରକ୍ଷୀ ଅଧୀକ୍ଷକ (ଏସପି) ପି.ଡି. ନିତ୍ୟା ନିଜ ରିପୋର୍ଟରେ ଲେଖିଛନ୍ତି, “ବର୍ତ୍ତମାନ କାରାକୋରାମ ପାସରୁ ଚୁମୁର ପର୍ଯ୍ୟନ୍ତ ୬୫ଟି ପିପି (ପାଟ୍ରୋଲିଂ ପଏଣ୍ଟ) ଅଛି, ଯେଉଁଠାରେ ଭାରତୀୟ ସେନା ନିୟମିତଭାବେ ପ୍ରହରା ଦେଇଥାଏ । କିନ୍ତୁ ଏହି ୬୫ଟି ପିପି ମଧ୍ୟରୁ ୨୬ଟିରେ ଆମ ସୁରକ୍ଷା ବାହିନୀର ଉପସ୍ଥିତି ନାହିଁ । ସେସବୁ ପିପି ହେଲା ୫ ରୁ ୧୭, ୨୪ ରୁ ୩୨ ଓ ୩୭ । ଚୀନ ସେନା ଏହାର ଫାଇଦା ନେଇପାରେ ବୋଲି ସେ ନିଜ ରିପୋର୍ଟରେ ସତର୍କ କରାଇଦେଇଛନ୍ତି ।
ସେ ଲେଖିଛନ୍ତି “ପରେ, ଚୀନ୍ ଆମକୁ ଏହି ସତ୍ୟକୁ ଗ୍ରହଣ କରିବାକୁ ବାଧ୍ୟ କରିବ ଯେ ଏହି ଅଞ୍ଚଳଗୁଡିକରେ ସେମାନେ ଦୀର୍ଘ ଦିନ ଧରି ଭାରତୀୟ ସେନା କିମ୍ବା ଭାରତୀୟ ନାଗରିକଙ୍କ ଉପସ୍ଥିତି ଦେଖିନାହାଁନ୍ତି । କିନ୍ତୁ ସେମାନେ ( ଚୀନ) ଏହି ଅଞ୍ଚଳରେ ଉପସ୍ଥିତ ଥିଲେ । ଏହା ଫଳରେ ଚୀନ ପାଇଁ ସୀମାକୁ ପରିବର୍ତ୍ତନ କରିବା ସହଜ ହେବ ।

ଗତ ସପ୍ତାହରେ ଦିଲ୍ଲୀରେ ଅନୁଷ୍ଠିତ ଦେଶର ବରିଷ୍ଠ ପୁଲିସ ଅଧିକାରୀଙ୍କ ବାର୍ଷିକ ସମ୍ମିଳନୀରେ ଏହି ରିପୋର୍ଟ ଦାଖଲ କରାଯାଇଥିଲା ।

nis-ad
Leave A Reply

Your email address will not be published.