ୟୁକ୍ରେନକୁ ଆମେରିକା ଦେଉଥିବା ଟ୍ୟାଙ୍କକୁ ଜାଳିଦେବୁ : ରୁଷ

ମସ୍କୋ : ରୁଷ-ୟୁକ୍ରେନ ଯୁଦ୍ଧକୁ ଇତି ମଧ୍ୟରେ ଏକ ବର୍ଷ ପୂରଣ ହେବାକୁ ଯାଉଛି । ଏହା ସତ୍ତ୍ବେ ରୁଷ ବିଜୟ ହାସଲ କରିପାରିନାହିଁ, କିମ୍ବା ୟୁକ୍ରେନ ପରାଜୟ ବରଣ କରିନାହିଁ । ପାଶ୍ଚାତ୍ୟ ଦେଶଙ୍କ ଦ୍ବାରା ପ୍ରଦତ୍ତ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ୟୁକ୍ରେନ ସେନା ରୁଷକୁ କଡ଼ା ଜବାବ ଦେବାକୁ ସକ୍ଷମ ହେଉଛି ।
ଆଗକୁ ୟୁକ୍ରେନ ହାତକୁ ଆଉ ଏକ ବଡ଼ ଅସ୍ତ୍ର ଆସିବାର ସମ୍ଭାବନା ରହିଛି । ତାହା ହେଉଛି ଆମେରିକା ନିର୍ମିତ ଏମ୧ ଆମରାମ୍ସ ଟ୍ୟାଙ୍କ୍ । ପୂର୍ବରୁ ଏହି ଟ୍ୟାଙ୍କ ଯୋଗାଣ ପାଇଁ ଆମେରିକା ରାଜି ହେଉନଥିବାବେଳେ ଏବେ ରାଜି ହୋଇଛି । ଏହି ଶକ୍ତିଶାଳୀ ଓ ଅତ୍ୟାଧୁନିକ ଟ୍ୟାଙ୍କ ୟୁକ୍ରେନ ହାତକୁ ଆସିବା ପରେ ତାହା ରୁଷ ପାଇଁ ଘାତକ ସଦୃଶ ହେବ ।
ତେବେ ଏହି ପ୍ରସଙ୍ଗରେ ରୁଷର ପ୍ରତିକ୍ରିୟା ସାମନାକୁ ଆସିଛି । ରୁଷ ସରକାରଙ୍କ ମୁଖପାତ୍ର ଡିମିଟ୍ରି ପେସକୋଭ କହିଛନ୍ତି ଯେ ଏସବୁ ଟ୍ୟାଙ୍କ ବେକାର ସାବ୍ୟସ୍ତ ହେବ ଓ ପଇସା ପାଣିରେ ପଡ଼ିବା ପରି ହେବ । ଏସବୁ ଟ୍ୟାଙ୍କ ୟୁକ୍ରେନ ସେନାର ଶକ୍ତିବୃଦ୍ଧିରେ ସହାୟକ ହେବ ନାହିଁ । ଅନ୍ୟ ଟ୍ୟାଙ୍କଗୁଡ଼ିକ ପରି ଏଗୁଡ଼ିକୁ ମଧ୍ୟ ଜାଳି ଦିଆଯିବ ।

କେବଳ ଆମେରିକା ନୁହେଁ, ଜର୍ମାନୀ ମଧ୍ୟ ନିଜର ଶକ୍ତିଶାଳୀ ଲେପର୍ଟ ଟ୍ୟାଙ୍କ ଯୋଗାଇବାକୁ ରାଜି ହୋଇଛି । ରୁଷର ମୁକାବିଲା ପାଇଁ ୟୁକ୍ରେନ ବହୁ ଦିନରୁ ଟ୍ୟାଙ୍କ ଯୋଗାଣ ପାଇଁ ଦାବି କରୁଥିଲା ।

nis-ad
Leave A Reply

Your email address will not be published.