ବ୍ୟାଙ୍କ ଡକାୟତିକୁ ପଣ୍ଡ କରିଥିବା ୨ ସାହସୀ ମହିଳା ପୁଲିସ କନଷ୍ଟେବଳ ହେଲେ ପୁରସ୍କୃତ…

ପାଟନା: ବିହାରର ହାଜିପୁରରେ ଥିବା ଏକ ବ୍ୟାଙ୍କରେ କିଛି ସଶସ୍ତ୍ର ଡକାୟତ ସ୍ପଷ୍ଟ ଦିବାଲୋକରେ ଡକାୟତି କରିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କ ଉଦ୍ୟମକୁ ୨ ସାହସୀ ମହିଳା ପୁଲିସ କନଷ୍ଟେବଳ ପଣ୍ଡ କର ଦେଇିଛନ୍ତି। ସଶସ୍ତ୍ର ଡାକାୟତମାନଙ୍କ ଆଗରେ ଡରି ନଯାଇ ଅପୂର୍ବ ସାହସିକତା ପ୍ରଦର୍ଶନ ପୂର୍ବକ ସେମାନଙ୍କ ଡକାୟତି ଉଦ୍ୟମକୁ ପଣ୍ଡ କରିଥିବାରୁ ବିହାର ପୁଲିସ ସଂପୃକ୍ତ ଦୁଇ ଜଣ ମହିଳା ପୁଲିସ କନଷ୍ଟେବଳଙ୍କୁ ପୁରସ୍କୃତ କରିଛି।
ରିପୋର୍ଟରୁ ପ୍ରକାଶ, ସଶସ୍ତ୍ର ଡକାୟତମାନେ ବ୍ୟାଙ୍କରେ ଡକାୟତି କରିବା ପାଇଁ ଉଦ୍ୟମ କରିବା ସମୟରେ ସେଠାରେ ଡ୍ୟୁଟିରେ ଥିବା ଦୁଇ ମହିଳା ପୁଲିସ କନେଷ୍ଟବଳ ଜୁହି କୁମାରୀ ଏବଂ ଶାନ୍ତି କୁମାରୀ ସେମାନଙ୍କର କଡ଼ା ମୁକାବିଲା କରିଥିଲେ।
ସୁରକ୍ଷା ପାଇଁ ବ୍ୟାଙ୍କରେ ଲାଗିଥିବା ସିସିଟିଭି କ୍ୟମେରାର ଭିଜୁଆଲ୍‌ ଫୁଟେଜ୍‌ରେ ଦେଖିବାକୁ ମିଳିଛି ଯେ ମହିଳା କନଷ୍ଟେବଳମାନେ ବ୍ୟାଙ୍କର ପ୍ରବେଶ ଦ୍ୱାର ନିକଟରେ ବସିଥିବା ବେଳେ ତିନି ଜଣ ସଶସ୍ତ୍ର ଡକାୟତ ବ୍ୟାଙ୍କ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ହଠାତ୍‌ ସେମାନଙ୍କ ମଧ୍ୟରୁ ଦୁଇଜଣ ସେମାନଙ୍କ ପିସ୍ତଲ ବାହାର କରି ମହିଳା କନେଷ୍ଟବଳ ଦୁଇଜଣଙ୍କୁ ଲକ୍ଷ୍ୟ କରିଥିଲେ। ତେବେ, ହାତରେ ରାଇଫଲ୍‌ ଧରିଥିବା ମହିଳା କନଷ୍ଟେବଳମାନେ ଏହି ଘଟଣାରେ ଡରି ନଯାଇ ଡକାୟତମାନଙ୍କ ଉପରକୁ ଡେଇଁ ସେମାନଙ୍କ ସହ ଲଢ଼ିଥିଲେ।
ତୃତୀୟ ଡକାୟତ ଜଣକ ଜଣେ କନଷ୍ଟେବଳଙ୍କୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ସେଥିରେ ସଫଳ ହୋଇପାରି ନଥିଲା। ପରେ ଡକାୟତମାନେ ସେଠାରୁ ଛତ୍ରଭଙ୍ଗ ଦେଇ ପଳାଇ ଯାଇଥିଲେ।
ବିହାର ପୁଲିସ ଦ୍ୱାରା ସାହସିକତା କାର୍ଯ୍ୟ ପାଇଁ ଏହି ଦୁଇ କନଷ୍ଟେବଳଙ୍କୁ ପୁରସ୍କୃତ କରାଯାଇଛି। ପୁରସ୍କୃତ ହୋଇଥିବା କନେଷ୍ଟବଳ ଶାନ୍ତି କୁମାରୀ କହିଛନ୍ତି, ବରିଷ୍ଠ ଅଧିକାରୀମାନେ ଆମର ସାହସିକତାକୁ ପ୍ରଶଂସା କରିଥିବାରୁ ଖୁସି ଲାଗୁଛି, ମନରେ ଆହୁରି ସାହସ ଆସୁଛି। ଅନ୍ୟପକ୍ଷରେ ଏହି ଘଟଣାରେ ସଂପୃକ୍ତ ଥିବା ସଶସ୍ତ୍ର ଡକାୟତମାନଙ୍କୁ ଖୋଜିବା ପାଇଁ ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି।

nis-ad
Leave A Reply

Your email address will not be published.