ରାଜ୍ୟରେ ଆରମ୍ଭ ହେବ ସରୋଗାସି, ଆବେଦନ କଲେ ୩ ସଂସ୍ଥା

ଭୁବନେଶ୍ବର : ନିଃସନ୍ତାନମାନଙ୍କୁ ସରୋଗାସି ପାଇଁ ଓଡ଼ିଶାର ଲୋକଙ୍କୁ କୋଲକାତା କିମ୍ବା ଛତିଶଗଡ଼ ଭଳି ସହର ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ଆଗକୁ ଓଡ଼ିଶାରେ ଏହି ସୁବିଧା ମିଳିବ। ରାଜ୍ୟରେ ଖୁବ୍ ଶୀଘ୍ର ସରୋଗାସି(ଭଡ଼ାରେ ଗର୍ଭଧାରଣ) ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ୩ଟି ସଂସ୍ଥା ଆବେଦନ କରିଛନ୍ତି। ଗତବର୍ଷ ଜୁନ୍‌ ମାସରେ ରାଜ୍ୟ ସରକାର ଷ୍ଟେଟ୍‌ ଆସିଷ୍ଟେଡ୍‌ ରିପ୍ରଡକ୍ଟିଭ୍ ଟେକ୍ନୋଲୋଜି ଏଣ୍ଡ ସରୋଗାସି ବୋର୍ଡ ଗଠନ କରିଥିଲେ। ଏହାପରେ ରାଜ୍ୟରେ ଉଭୟ ସରୋଗାସି ଓ ଆଇଭିଏଫ୍‌ ଖୋଲିବା ନେଇ ଆବେଦନପତ୍ର ସଂଖ୍ୟା ବଢ଼ିବାରେ ଲାଗିଛି।
ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଇଭିଏଫ୍‌ ଓ ସରୋଗାସି କେନ୍ଦ୍ର ଖୋଲିବା ପାଇଁ ସଂସ୍ଥାମାନଙ୍କୁ କେନ୍ଦ୍ର ସରକାରଙ୍କୁ ଅନ୍‌ଲାଇନ୍‌ରେ ଏଆରଟି(ଆର୍ଟିଫିସିଆଲ ଇନ୍‌ସେମିନେସନ୍‌) ରେଜିଷ୍ଟ୍ରିରେ ଆବେଦନ କରିବାକୁ ପଡ଼ିଥାଏ। ପରବର୍ତୀ ସମୟରେ ରାଜ୍ୟ ଅନୁସାରେ ଆବେଦନପତ୍ରକୁ ସେହି ରାଜ୍ୟକୁ ପଠାଯାଉଛି। ଓଡ଼ିଶାରେ ଏଆରଟି ଓ ସରୋଗାସି କେନ୍ଦ୍ର ଖୋଲିବା ପାଇଁ ୪୭ଟି ଆବେଦନପତ୍ର ଆସିଛି। ଏଥିରେ ଏଆରଟି କେନ୍ଦ୍ର ପାଇଁ ୩୫ଟି, ସରୋଗାସି ପାଇଁ ୭ ଓ ଏଆରଟି ବ୍ୟାଙ୍କ ପାଇଁ ୫ଟି ଆବେଦନ ହୋଇଛି। ତହିଁରୁ ୧୬ଟି ଆବେଦନର କାଗଜପତ୍ର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ନିକଟରେ ପହଞ୍ଚିଛି। ଆବେଦନ କରିଥିବା ୩୫ଟି ଏଆରଟି ମଧ୍ୟରୁ ୧୨ଟି ସଂସ୍ଥାକୁ ଅନୁମୋଦନ ଦିଆଯାଇଛି। ରାଜ୍ୟରେ ପୂର୍ବରୁ କାର୍ଯ୍ୟ କରୁଥିବା ଏଆରଟିଗୁଡ଼ିକ ପିସି ଏଣ୍ଡ ପିଏନ୍‌ଡିଟି ଆଇନ ଅଧୀନରେ ରହିଥିଲେ। ମାତ୍ର ଏବେ ବୋର୍ଡ ଗଠନ ପରେ ସେମାନଙ୍କୁ ନୂତନ ଆଇନରେ ଅନୁମୋଦନ ଦିଆଯାଇଛି। ସେହିଭଳି ସରୋଗାସି ଓ ଏଆରଟି ବ୍ୟାଙ୍କ୍ ପାଇଁ ଆବେଦନ କରିଥିବା ସଂସ୍ଥାର କାଗଜପତ୍ର ଠିକ୍ ଥିଲେ ସରକାରୀ ଅନୁମୋଦନ ମିଳିବ।
ଯଦିଓ ଆଇଭିଏଫ୍‌ ଓ ସରୋ‌ଗାସି ନେଇ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଦର ଧାର୍ଯ୍ୟ ହୋଇନାହିଁ ତେବେ ରାଜ୍ୟରେ ଆଇଭିଏଫ୍‌ ପାଇଁ ୨ଲକ୍ଷ ଟଙ୍କା ଓ ସରୋଗାସି ପାଇଁ ୧୦-୧୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେବ ବୋଲି କୁହାଯାଉଛି। ବିଭାଗୀୟ ଅଧିକାରୀ କହିଛନ୍ତି, ସରୋଗାସି ଓ ଏଆରଟିକୁ ନେଇ କେନ୍ଦ୍ର ସରକାର ଆଇନ ଆଣିବା ପରେ ଦେଶରେ ବ୍ୟବସାୟିକ ସରୋଗାସି ବନ୍ଦ ହୋଇଛି। ପୂର୍ବରୁ ଦେଶ ବାହାରର ଅନେକ ଲୋକ ଭାରତକୁ ଆସି ସରୋଗାସି କରୁଥିଲେ।
ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଷ୍ଟେଟ୍‌ ଆସିଷ୍ଟେଡ୍‌ ରିପ୍ରଡକ୍ଟିଭ୍ ଟେକ୍ନୋଲୋଜି ଏଣ୍ଡ ସରୋଗାସି ବୋର୍ଡରେ ସ୍ବାସ୍ଥ୍ୟ ମନ୍ତ୍ରୀ ଅଧ୍ୟକ୍ଷ ଓ ସ୍ବାସ୍ଥ୍ୟ ସଚିବ ଉପାଧ୍ୟକ୍ଷ ରହିଛନ୍ତି। ଏହାସହ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବାସନ୍ତୀ ହେମ୍ବ୍ରମ୍, ଲତିକା ପ୍ରଧାନ, ମହିଳା ଓ ଶିଶୁ ବିକାଶ/ଗୃହ/ଆଇନ/ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସଚିବ, ପରିବାର କଲ୍ୟାଣ ନିର୍ଦେଶକ, ଫାଲଗୁନି ପାତ୍ର, ସତ୍ୟନା‌ରାୟଣ ସାମନ୍ତରାୟ, ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଡା. ତୁଷାର କର, ପ୍ରଫେସର ଆଇ.ବାପେଶ୍ବର ରାଓ, ଋତୁପୂର୍ଣ୍ଣା ମହାନ୍ତି, ଶୁଭଶ୍ରୀ ଦାସ, ଚିନ୍ମୟୀ ପଣ୍ଡା, ସ୍ନେହା ମିଶ୍ର, ଡା.ସେବା ମହାପାତ୍ର ଓ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ/ଅତିରିକ୍ତ ସଚିବ ସଦସ୍ୟ ରହିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ୫ଜଣିଆ ଷ୍ଟେଟ୍‌ ଆପ୍ରୋପ୍ରିଏଟ୍‌ ଅଥରିଟି ଗଠନ କରାଯାଇଛି। । ଏଥିରେ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଅଧ୍ୟକ୍ଷ ଥିବା ବେଳେ ପରିବାର କଲ୍ୟାଣ ନିର୍ଦେଶକ ଉପାଧ୍ୟକ୍ଷ, ଶୁଭଶ୍ରୀ ଦାସ, ଡା.ହର ପ୍ରସାଦ ପଟ୍ଟନାୟକ ଓ ଆଇନ ବିଭାଗର ସ୍ବତନ୍ତ୍ର ସଚିବ ପ୍ରମୁଖ ସଦସ୍ୟ ରହିଛନ୍ତି। କେନ୍ଦ୍ର ସରକାର ସରୋଗାସ(ରେଗୁଲେସନ) ଆଇନ ୨୦୨୧ ଓ ଆସିଷ୍ଟେଡ୍ ରିପ୍ରଡକ୍ଟିଭ୍ ଟେକ୍ନୋଲୋଜି(ରେଗୁଲେସନ) ଆଇନ ୨୦୨୧ ପ୍ରଣୟନ କରିବା ପରେ ରାଜ୍ୟ ସରକାର ଏହାକୁ ଲାଗୁ କରିଛନ୍ତି।

nis-ad
Leave A Reply

Your email address will not be published.