ନବବଧୁଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗରେ ସ୍ବାମୀ ଓ ଶଶୁରଙ୍କୁ ୧ ବର୍ଷ ଜେଲଦଣ୍ଡ, ୩ ହଜାର ଜରିମାନା

ଭଦ୍ରକ: ନବବଧୁକୁ ଯୌତୁକ ନିର୍ଯାତନା ଦେବା ଅଭିଯୋଗରେ ଭଦ୍ରକର ମାନ୍ୟବର ଏସ୍‌ଡିଜେଏମ୍‌ ଚିନ୍ମୟ କୁମାର ପାଢ଼ର ପିରହାଟ ଥାନା ନରେନ୍ଦ୍ରପୁର ଗ୍ରାମର ସ୍ବମୀ ଆନନ୍ଦ ଓରଫ ଅଭୟ ମଲ୍ଲିକ(୩୭), ଶଶୁର ଉପେନ୍ଦ୍ର ମଲ୍ଲିକ(୭୬), ନଣନ୍ଦ କାଞ୍ଚନ ମଲ୍ଲିକ(୩୮), ଶାଶୁ ଅହଲ୍ୟା ମଲ୍ଲିକ(୬୯)ଙ୍କୁ ୪୯୮(କ) ଦଫାରେ ୧ ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା, ଅନାଦେୟ ପୁନଶ୍ଚ ୨ ମାସ କାରାଦଣ୍ଡ ସହ ୩୨୩ ଦଫାରେ ୧ ମାସ କାରାଦଣ୍ଡ ଓ ୨ ହଜାର ଟଙ୍କା ଜରିମାନା ଓ ଅନାଦେୟ ପୁନଶ୍ଚ ୬ ମାସ କାରାଦଣ୍ଡ ଯୌତୁକ ନିରୋଧ ଆଇନର ଧାରା ୪ରେ ୧ ମାସ କାରାଦଣ୍ଡ ଆଦେଶ ଦେଇଛନ୍ତି।
ଘଟଣାରୁ ପ୍ରକାଶ ଯେ ଚାନ୍ଦବାଲି ଥାନା ଅନ୍ତର୍ଗତ ଦେଉଳି ଗାଁ ଗ୍ରାମର ପଞ୍ଚାନନ ମହାରଣାଙ୍କ କନ୍ୟା ରୁନୁଲତା ମହାରଣା ୨୦୧୪ ମସିହା ଆଷାଢ ମାସରେ ପିରହାଟ ଥାନା ନରେନ୍ଦ୍ରପୁର ଗ୍ରାମର ଉପେନ୍ଦ୍ର ମଲ୍ଲିକଙ୍କ ପୁତ୍ର ଆନନ୍ଦ ଓରଫ ଅଭୟ ସହ ବୈଦିକ ରିତିରେ ବିବାହ ଦେଇଥିଲେ। ବିବାହ ସମୟରେ ସମସ୍ତ ଦାବି ମୁତାବକ ୨୬ ହଜାର ଟଙ୍କା ସହ ସମସ୍ତ ଆଳିଅଳଙ୍କାର ବାସନ କୁସନ ଯୌତୁକ ଆକାରରେ ଦିଆ ଯାଇଥିଲା। ବିବାହ ପରେ ସ୍ବାମୀ ଆନନ୍ଦ ବେଙ୍ଗଲୋର ଚାକିରି କରିବା ପାଇଁ ଚାଲି ଯାଇଥିଲେ ବି ଶାଶୁ ଶଶୁର ନଣନ୍ଦ ମିଶି ପୁଣି ୨୫ ହଜାର ଟଙ୍କା ଦାବି କରି ରୁନୁଲତାକୁ ଶାରିରିକ ତଥା ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ।
୨୦୧୫ ମହିହା ଏପ୍ରିଲ ମାସ ୧୫ ତାରିଖ ସ୍ବାମୀ ତାର କର୍ମସ୍ଥଳରୁ ଫେରି ପିତାମାତାଙ୍କ କଥାରେ ପରିଚଳିତ ହୋଇ ସେ ବି ନିଜ ପତ୍ନୀଙ୍କୁ ମାଡ ମାରିବା ସହ ଦାବି ଯୌତୁକ ନ ଆଣିଲେ ଜୀବନରୁ ମାରିଦେବାକୁ ଧମକ ଦେଇ ରୁନୁଲତାକୁ ସେହି ଦିନ ଘରୁ ବାହାର କରି ଦେଇଥିଲେ। ଅନ୍ୟ ଉପାୟ ନପାଇ ରୁନୁଲତାର ପିତା ୨୦୧୫ ମସିହା ମଇ ମାସ ୬ ତାରିଖରେ ସ୍ଥାନୀୟ ତିହିଡି ଥାନାରେ ଲିଖିତ ଆଭଯୋଗ କରିବା ପରେ ପୁଲିସ ସ୍ବାମୀ, ଶାଶୁ, ଶଶୁର, ନଣନ୍ଦଙ୍କ ବିରୁଦ୍ଧରେ ଥାନା କେସ ନଂ-୧୭୯ /୧୫ ଦଫା ୪୯୮(କ), ୩୨୩, ୨୯୪, ୪୦୬,୫୦୬ ,୩୪ ଓ ଯୌତୁକ ନିର୍ଯାତନା ନିରୋଧ ଆଇନର ଦଫା ୪ରେ ଏକମାମଲା ରୁଜୁ କରି ଗିରିଫ କରି କୋର୍ଟ ଚାଲାଣ କରିଥିଲା। ପରେ ସେମାନେ ଜାମିନରେ ଆସି ମାମଲା ଲଢୁଥିଲେ। ଆଜି ଚୁଡାନ୍ତ ରାୟରେ ମାନ୍ୟବର ଅଦାଲତ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଉପରୋକ୍ତ ଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ପ୍ରମାଣ ଅଭାବରୁ ୨୯୪,୪୦୬,୫୦୬ ଦଫାରୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି । ଅଭିଯୋଗକାରୀଙ୍କ ତରଫରୁ ସରକାରୀ ଓକିଲ ମାଧବାନନ୍ଦ ଦାସ, ସ୍ମରଜିତ ମହାପାତ୍ର, ଶୁଭଶ୍ରୀ ମାମଲା ପରିଚାଳନା କରୁଥିଲେ।

nis-ad
Leave A Reply

Your email address will not be published.