ଡବ୍ଲ୍ୟୁଏଫଆଇ ସଭାପତି ବ୍ରିଜ ଭୂଷଣ ଶରଣଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଲେ ଷ୍ଟାର ରେସଲର ଭିିନେଶ ଫୋଗାଟ

ନୂଆଦିଲ୍ଲୀ: ଷ୍ଟାର ରେସଲର ଭିିନେଶ ଫୋଗାଟ ବୁଧବାର ରେସଲିଂ ଫେଡେରେସନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫଆଇ) ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣି ସେ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡ଼ନ କରିଥିବା ଅଭିଯୋଗ କରିଛନ୍ତି।
ଭିିନେଶ ଫୋଗାଟ ମଧ୍ୟ ଅଭିଯୋଗ କରିଛନ୍ତି ଯେ ସେ ବ୍ରିଜ ଭୂଷଣଙ୍କ ଦ୍ୱାରା ମାନସିକ ନିର୍ଯାତନାର ଶିକାର ହୋଇଥିଲେ ଏବଂ ସେ ଆତ୍ମହତ୍ୟା କରିବାକୁ ସୁଦ୍ଧା ଚିନ୍ତା କରିଥିଲେ। ଏସୀୟ କ୍ରୀଡା ଏବଂ ରାଜ୍ୟଗୋଷ୍ଠୀ କ୍ରୀଡା ସ୍ୱର୍ଣ୍ଣ ପଦକ ବିଜେତା ଫୋଗାଟ କହିଛନ୍ତି ଯେ ଯୌନ ଉତ୍ପୀଡ଼ନ ବିରୋଧରେ ନକହିବା ପାଇଁ ତାଙ୍କୁ ଅତୀତରେ ଚୁପ୍‌ କରାଯାଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ଅଲିମ୍ପିକ୍‌ ପଦକ ବିଜେତା ସାକ୍ଷୀ ମଲ୍ଲିକ ଏବଂ ବଜରଙ୍ଗ ପୁନିଆଙ୍କ ସମେତ ୩୧ ଜଣ କୁସ୍ତିଯୋଦ୍ଧା ନୂଆଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ଭିନେଶ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଦୁଃଖ ବଖାଣୁ ଥିବାବେଳେ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡି କାନ୍ଦି ପକାଇଥିଲେ।
କୁସ୍ତିଯୋଦ୍ଧାମାନେ ଡବ୍ଲୁଏଫଆଇ ପ୍ରଶାସନରେ ପରିବର୍ତ୍ତନ ଦାବି କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତର କ୍ରୀଡା ପ୍ରାଧିକରଣକୁ ଏ ଘଟଣାରେ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଥିଲେ।
ଉଲ୍ଲେଖଯୋଗ୍ୟ, ବ୍ରିଜ ଭୂଷଣ ଶରଣ ସିଂ ମଧ୍ୟ ଉତ୍ତରପ୍ରଦେଶର କାଇଜରଗଞ୍ଜର ଭାରତୀୟ ଜନତା ପାର୍ଟି (ବିଜେପି)ର ସାଂସଦ ଅଟନ୍ତି।
ଭିିନେଶ ଏହା ମଧ୍ୟ କହିଛନ୍ତି ଯେ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଅଭିଯୋଗ କରିଥିବାରୁ ସେ ହତ୍ୟା ଧମକର ସମ୍ମୁଖୀନ ହୋଇଥିଲେ। ‘ମୁଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ନିର୍ଯାତନା ସମ୍ପର୍କରେ ଅଭିଯୋଗ କରିବା ପରଠାରୁ ମୋତେ ହତ୍ୟା ଧମକ ଦିଆଯାଉଛି’ ବୋଲି ସେ କହିଛନ୍ତି।
ଏହି ଘଟଣାର ଦିନକ ପୂର୍ବରୁ ଟୋକିଓ ଅଲିମ୍ପିକ୍‌ ପଦକ ବିଜେତା ବଜରଙ୍ଗ ପୁନିଆ ଅଭିଯୋଗ କରିଥିଲେ ଯେ ବ୍ରିଜ ଭୂଷଣ ଶରଣ ସିଂ କୁସ୍ତିଯୋଦ୍ଧାମାନଙ୍କୁ ଚାପୁଡ଼ା ମାରିଥିଲେ ଏବଂ ସେମାନଙ୍କୁ ଦୁର୍ବ୍ୟବହାର କରୁଥିଲେ।
ଅନ୍ୟପକ୍ଷରେ ଡବ୍ଲ୍ୟୁଏଫଆଇ ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ କହିଛନ୍ତି ଯେ ଯୌନ ଉତ୍ପୀଡ଼ନ କେବେ ହୋଇ ନଥିଲା କି ହୋଇନାହିଁ। ଯଦି ଜଣେ ଆଥଲେଟ୍‌ ଆଗକୁ ଆସନ୍ତି ଏବଂ ଏହା ପ୍ରମାଣ କରନ୍ତି, ତେବେ ମୁଁ ନିଜକୁ ଫାଶୀଖୁଣ୍ଟରେ ଝୁଲାଇ ଦେବି। ସେ ଡବ୍ଲୁଏଫଆଇ ସଭାପତି ପଦରୁ ଇସ୍ତଫା ଦେବେ ନାହିଁ ବୋଲି ସ୍ପଷ୍ଟ କରିବା ସହ କହିଛନ୍ତି ଯେ ମୁଁ ଆଶା କରୁଛି ଏହି ସମସ୍ତ ଅଭିଯୋଗ, ସେ (ଭିନେଶ) ଲିଖିତ ଆକାରରେ ମୋ ପାଖକୁ ପଠାଇବେ। ମୁଁ ଯାହା କରିପାରିବି ତାହାର ଉତ୍ତର ଦେବି, ଏବଂ ବାକି ସିବିଆଇ କିମ୍ବା ପୁଲିସ ଦ୍ୱାରା ଅନୁସନ୍ଧାନ କରାଯାଇପାରିବ। ଏହା ଏକ ବହୁତ ବଡ ଅଭିଯୋଗ ବୋଲି ସେ କହିଛନ୍ତି।

nis-ad
Leave A Reply

Your email address will not be published.