ଗୋପିନାଥପୁର ଟି-ବ୍ରିଜ୍‌ରେ ଦଳାଚକଟା: ଜଣେ ମୃତ, ୨୦ ଗୁରୁତର…

ବଡ଼ମ୍ବା: କଟକ ଜିଲ୍ଲା ବଡ଼ମ୍ବା ଗୋପିନାଥପୁର ଟି-ବ୍ରିଜ୍‌ରେ ଦଳାଚକଟାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କ ମଧ୍ୟରେ ୪ ମହିଳା ଓ ୩ ଶିଶୁ ଅଛନ୍ତି। ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବଡ଼ମ୍ବା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ମୃତ ମହିଳା ଜଣଙ୍କ ବଡ଼ମ୍ବା ଭୀମସାହି ଆଇଁଶିଆ ଗାଁର ଅଞ୍ଜନା ସ୍ୱାଇଁ (୪୫) ବୋଲି ଜଣାପଡ଼ିଛି।

ମହାନଦୀ ଉପରେ କିଛି ମାସ ତଳେ ଏହି ବ୍ରିଜ୍‌ ଲୋକାର୍ପିତ ହୋଇଥିଲା। ବୈଦେଶ୍ୱର ଓ ଗୋପୀନାଥକୁ ସଂଯୋଗ କରୁଥିବା ଏହି ବ୍ରିଜ୍‌ ଯୋଗେ ଲୋକେ ସିଂହନାଥ ପୀଠକୁ ସୁବିଧାରେ ଆସିପାରୁଛନ୍ତି। ସେଥିପାଇଁ ଆଜି ମକର ମେଳା ଅବସରରେ ଏଠାରେ ସରକାରୀ ତଥ୍ୟ ଅନୁସାରେ ପ୍ରାୟ ଅଢ଼େଇ ଲକ୍ଷ ଲୋକଙ୍କ ସମାଗମ ହୋଇଥିଲା। ବ୍ରିଜ୍‌ର ଗୋଟିଏ ପାର୍ଶ୍ୱରେ ଲୋକେ ଚାଲି ଚାଲି ଯା’ଆସ କରୁଥିବା ବେଳେ ଅନ୍ୟପଟେ ଗାଡ଼ିମୋଟର ଯାତାୟତ କରୁଥିଲା। ହେଲେ ଆବଶ୍ୟକ ପୁଲିସ ଓ ଟ୍ରାଫିକ୍ ଶୃଙ୍ଖଳା ବ୍ୟବସ୍ଥା ନ ଥିବାରୁ ଅପରାହ୍ଣରେ ହଠାତ୍ ବ୍ରିଜ୍‌ ଜାମ୍‌ ହୋଇ ଯାଇଥିଲା। ଫଳରେ ଦଳାଚକଟା ହୋଇଥିଲା। ଦଳାଚକଟାରୁ ରକ୍ଷା ପାଇଁ କିଛି ଲୋକ ପୋଲ ତଳକୁ ଡେଇଁ ପଡ଼ିଥିଲେ। ଦଳାଚକଟା ବେଳେ ବ୍ରିଜ୍‌ ଉପରେ ୫୦ ହଜାରରୁ ଅଧିକ ଲୋକ ଥିଲେ ବୋଲି କୁହାଯାଉଛି।

ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ କହିଛନ୍ତି, ଆଜି ସିଂହନାଥ ପୀଠରେ ଅଢ଼େଇ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ୩ କିଲୋମିଟର ଲମ୍ବା ବ୍ରିଜ୍‌ରେ ହଠାତ୍ ଲୋକଙ୍କ ଭିଡ଼ ହେବାରୁ ଦଳାଚକଟା ହୋଇଥିଲା। ଭିଡ଼ ଯୋଗୁ କିଛି ଲୋକ ଅଣନିଃଶ୍ୱାସୀ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ବି ଥିଲେ। ୮ ଜଣ ଆହତଙ୍କୁ ବଡମ୍ବା ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ପଠାଇ ଦିଆଯାଇଛି। ଡାକ୍ତରଖାନାରେ ସ୍ଥିତି ନିରୀକ୍ଷଣ ନିମନ୍ତେ ପ୍ରଶାସନ ପକ୍ଷରୁ ଜଣେ ଅଫିସରଙ୍କୁ ନିୟୋଜିତ କରାଯାଇଛି ବୋଲି ସେ କହିଛନ୍ତି।

ଆଜି ଏଠାରେ ଏତେ ବଡ଼ ମେଳା ଆୟୋଜନ ହେଉଥିବା ବେଳେ ବଡ଼ମ୍ବା ଡାକ୍ତରଖାନାରେ ମାତ୍ର ଜଣେ ଡାକ୍ତର ଥିଲେ। କୌଣସି ସ୍ଥାନରେ ଆଶୁ ଚିକିତ୍ସା କେନ୍ଦ୍ର ମଧ୍ୟ କରାଯାଇ ନ ଥିଲା। ତେଣୁ ଡାକ୍ତରଖାନାରେ ପହଞ୍ଚୁଥିବା ଆହତଙ୍କ ଚିକିତ୍ସାରେ ଗୁରୁତର ବାଧା ସୃଷ୍ଟି ହୋଇଥିଲା।

ଟି-ବ୍ରିଜ୍ ଦଳାଚକଟା ନେଇ ପ୍ରଶାସନ ଉପରେ ଅଙ୍ଗୁଳି ଉଠିଛି। ପୁଲିସ ଏବଂ ପ୍ରଶାସନକୁ ଦୋଷ ଦେଇଛନ୍ତି ସାଧାରଣ ଲୋକେ। ଅଢ଼େଇ ଲକ୍ଷ ଲୋକଙ୍କ ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ମାତ୍ର ୩ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଥିଲେ। ଲୋକଙ୍କ ସମାଗମ ଆକଳନରେ ପ୍ରଶାସନର ନଜରଅନ୍ଦାଜ ଏଭଳି ପରିସ୍ଥିତି ସୃଷ୍ଟି କରିଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ସିଂହନାଥ ପୀଠକୁ ପହଞ୍ଚିବା ନିମନ୍ତେ ବ୍ରିଜ୍‌ ତଳେ ମାଟିର  ଏକ ଚଲା ରାସ୍ତା ଥିଲେ ହେଁ ଏକାକୁ ବନ୍ଦ କରି ଦିଆଯାଇଥିଲା। ବ୍ରିଜ୍‌ର ଉଭୟ ପାର୍ଶ୍ୱରୁ ପ୍ରାୟ ୪ କିମି ଚଲାପଥ ରାସ୍ତା ଏହି ପୀଠକୁ ରହିଥିଲା।

nis-ad
Leave A Reply

Your email address will not be published.