ନାତୁଣୀ ସହିତ ଜୋରଜବରଦସ୍ତି କରୁଥିଲା ସମ୍ପର୍କୀୟ ଅଜା, ଆଈ କରୁଥିଲା ଭିଡିଓ ସୁଟିଂ…

କରଞ୍ଜିଆ: ମା’ ଛେଉଣ୍ଡ ନାବାଳିକା ନାତୁଣୀ ଉପରେ ଲୋଲୁପ ଦୃଷ୍ଟି ପକାଇଲେ ସମ୍ପର୍କୀୟ ଅଜା । ପାଠ ପଢ଼ାଇବା ବାହାନାରେ  ନାତୁଣୀ ସହ ଜୋର ଜବରଦସ୍ତ କଲେ ଶିକ୍ଷକତା କରୁଥିବା ଅଜା ।  ଆଉ ଏହାର ଭିଡିଓ ଉତ୍ତୋଳନ କଲେ ତାଙ୍କ ପତ୍ନୀ। ହେଲେ ଭିଡିଓଟି ନିଜ ମୋବାଇଲରୁ ସ୍ୱାମୀଙ୍କ ମୋବାଇଲକୁ ପଠାଉ ପଠାଉ ତାହା ଭୁଲରେ ଅନ୍ୟତ୍ର ପଳାଇ କଥା ପ୍ରଘଟ ହେଲା। ଭିଡିଓଟି ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଥିବା ବେଳେ ରସିକ ଅଜା ଓ ତାଙ୍କ ପତ୍ନୀଙ୍କୁ ବାନ୍ଧିଛି ପୁଲିସ୍‌। ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ସାଲେଇବେଡ଼ାରେ।

ନାବାଳିକା ଜଣଙ୍କ ଘର ସୋସ ଥାନା ଅଞ୍ଚଳରେ । ହେଲେ ଛୋଟ ବେଳୁ ତାଙ୍କ ମା’ ମରିଯିବାରୁ ମାମୁ ନିଜ ଘରେ ଆଣି ରଖିଥିଲେ । ମାତ୍ର ସମ୍ପର୍କୀୟ ଅଜା ତଥା ବଡ଼ମହୁଲଡିହା ସେବାଶ୍ରମ ବିଦ୍ୟାଳୟର ଶିକ୍ଷକ ରାମଚନ୍ଦ୍ର ସଏ ତାଙ୍କର କେହି ପିଲା ନ ଥିବାରୁ ଝିଅଟିକୁ ନେଇ ନିଜ ଘରେ ରଖିଥିଲେ । ତାଙ୍କ ପାଖରେ ନାବାଳିକା ଜଣଙ୍କ ପ୍ରଥମରୁ  ପାଠପଢ଼ା ଆରମ୍ଭ କରିଥିବା ବେଳେ ଏବେ ସପ୍ତମ ଶ୍ରେଣୀରେ ପଢ଼ୁଛନ୍ତି।

ହେଲେ ଏବେ ଅଚାନକ ଏପରି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତଙ୍କୁ ଶକ୍ତ ଧକ୍କା ଲାଗିଛି। ନାବାଳିକା ନାତୁଣୀକୁ ପାଳିପୋଷି ବଡ଼ କରୁଥିବା ଅଜା ହିଁ ତାକୁ ଖରାପ ଦୃଷ୍ଟିରେ ଦେଖିଲେ। କେବଳ ସେତିକି ନୁହେଁ,  ଶିକ୍ଷକ ଜଣକ ନାବାଳିକା ନାତୁଣୀ ସହିତ ଅଶ୍ଳୀଳ ଆଚରଣ କରୁଥିବା ବେଳେ ତାଙ୍କ ପତ୍ନୀ ତା’ର ଭିଡିଓ କରିଥିଲେ।

ଗ୍ରାମବାସୀ ଏ ସମ୍ପର୍କରେ ଅବଗତ ହେବା ପରେ ସରପଞ୍ଚଙ୍କୁ ଜଣାଇବା ସହିତ ଏକ ବୈଠକ କରିଥିଲେ। ମାତ୍ର ବୈଠକରେ ଘଟଣା ସମାଧାନ ନ ହେବାରୁ କଥା ଥାନାକୁ ଯାଇଥିଲ। ଗତକାଲି ଝିଅର ଖୁଡି ଏନେଇ ଠାକୁରମୁଣ୍ଡା ଥାନାରେ ଏତଲା ଦେଇଛନ୍ତି।  ପୁଲିସ ତଦନ୍ତ ଆରମ୍ଭ କରି ଶିକ୍ଷକ ତଥା ସମ୍ପର୍କୀୟ ଅଜା ରାମଚନ୍ଦ୍ର ସଏ ଓ ତାଙ୍କ ପତ୍ନୀ ଜ୍ୟୋସ୍ନାରାଣୀ ସଏଙ୍କୁ ଗିରଫ କରିଛି।  ତେବେ ଭିଡିଓ ଉତ୍ତୋଳନ ପଛରେ କ’ଣ କାରଣ ରହିଛି, ତାହା ସ୍ପଷ୍ଟ ହୋଇ ନାହିଁ।

nis-ad
Leave A Reply

Your email address will not be published.