ବହି କିଣିବାକୁ ଯାଇ ଦୁଷ୍କର୍ମର ଶିକାର ହେଲେ ୨ ନାବାଳିକା…

ଫୁଲବାଣୀ: ବହି କିଣିବାକୁ ସାଙ୍ଗ ହୋଇ ଘର ପାଖ ବଜାରକୁ ଯାଇଥିଲେ ୨ ନାବାଳିକା । କିଛି ସମୟରେ ଘରକୁ ଫେରିଥାନ୍ତେ। ମାତ୍ର ତା’ ପୂର୍ବରୁ ୨ ଯୌନ ପିପାସୁଙ୍କ ହାବୁଡ଼ରେ ପଡ଼ିଗଲେ। ସେମାନେ ଉଭୟଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଗାଡ଼ି ଯୋଗେ ନେଇ ଏକ  ଘରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍‌ ଜଣଙ୍କୁ ଗିରଫ କରିଥିବା ବେଳେ ୨ ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ଅଛନ୍ତି। ଏପରି ଚାଞ୍ଚଲ୍ୟକର ଘଟଣା  କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ଘଟିଛି। ଦୁଷ୍କର୍ମର ଶିକାର ହୋଇଥିବା ୨ ଜଣ ନାବାଳିକା ହୋଇଥିବା ବେଳେ ସେମାନେ ନବମ ଶ୍ରେଣୀରେ ପଢ଼ୁଥିବା ଜଣାଯାଇଛି।

ଗତ ମଙ୍ଗଳବାର ୨ ନାବାଳିକା ବହି କିଣିବା ପାଇଁ ଫିରିଙ୍ଗିଆ ବଜାରକୁ ଯାଇଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ୨ ଯୁବକ ସେମାନଙ୍କୁ ପ୍ରଲୋଭିତ କରି ଏକ ବାଇକ୍‌ ଓ ଏକ ସ୍କୁଟି ଯୋଗେ ଖଜୁରୀପଡ଼ା ଥାନା ଅଞ୍ଚଳର ଏକ ଘରକୁ ନେଇଯାଇଥିଲେ ।  ସେଠାରେ ସେମାନେ ବିଭିନ୍ନ ପ୍ରକାର ଧମକ ଦେଇ ୨ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ।

ଏହାପରେ ଉକ୍ତ ରାତିରେ ଦୁଷ୍କର୍ମକାରୀଦ୍ୱୟ ଏକ କାର୍‌ ଯୋଗେ ୨ ନାବାଳିକାଙ୍କୁ ସେମାନଙ୍କ ଘରକୁ ପଠାଇଥିଲେ। ଗାଁ ଲୋକେ ବାଟରେ କାର୍‌କୁ ଅଟକାଇବା ସହ କାର୍‌ ଚାଳକଙ୍କୁ କାବୁ କରି ପୁଲିସ୍‌ ଜିମା ଦେଇଥିଲେ।

ନାବାଳିକାଦ୍ୱୟଙ୍କ ପରିବାର ଲୋକେ ଏନେଇ ଫିରିଙ୍ଗିଆ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ୨ ପୀଡ଼ିତାଙ୍କ ମେଡିକାଲ ଟେଷ୍ଟ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଅଭିଯୁକ୍ତଙ୍କୁ ଖୋଜି ବାହାର କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ପୁଲିସ୍‌।

ଏହି ଘଟଣାରେ ଫିରିଙ୍ଗିଆ ଥାନା ପୁଲିସ ଦୁଇଟି ପୃଥକ ପୋକ୍ସ ମାମଲା ରୁଜୁ କରି ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ଫୁଲବାଣୀ ଏସଡିପିଓ ସୁପ୍ରସନ ମଲ୍ଲିକ ସୂଚନା ଦେଇଛନ୍ତି  ।

nis-ad
Leave A Reply

Your email address will not be published.