‘ଓଡ଼ିଶା ଭିଜନ ୨୦୩୬’ : ଓଡ଼ିଶାରେ ଭରି ରହିଛି ସୌନ୍ଦର୍ଯ୍ୟ ଓ ଆଧ୍ୟତ୍ମିକତା ଶକ୍ତି…

ଭୁବନେଶ୍ବର : ପୃଥିବୀରେ ଭାରତ ଏବଂ ଭାରତରେ ଓଡ଼ିଶା ଶ୍ରେଷ୍ଠ। ଯେଉଁ ଜାତିର ଆରାଧ୍ୟ ଦେବତାଙ୍କ ନାମରେ ସମଗ୍ର ବିଶ୍ୱ ସମାହିତ ସେହି ଭୂମିର ନାମ ହେଉଛି ଓଡ଼ିଶା। ଭାରତ ଯଦି ଜୀବନ୍ତ ଭଗବାନ ତେବେ ଓଡ଼ିଶା ହେବ ଏହାର ପ୍ରତିନିଧି। ଯେତେଦୂର ପର୍ଯ୍ୟନ୍ତ ବିଶ୍ୱର ଦୃଷ୍ଟିଗୋଚର ହେବ ସେତେଦୂର ଭିତ୍ତିଭୂମି ଓଡ଼ିଶାରେ ମହଜୁଦ। ତେଣୁ ଚମତ୍କାର ଦେଖିବା ପାଇଁ ସମଗ୍ର ବିଶ୍ୱ ଓଡ଼ିଶା ଆସିବା ଆବଶ୍ୟକ। କାରଣ ପୂଣ୍ୟଭୂମି ଉତ୍କଳ ପ୍ରଦେଶ ବିଶ୍ୱବ୍ରହ୍ମାଣ୍ଡରେ ଶ୍ରେଷ୍ଠ। ଓଡ଼ିଶାରେ ଭରି ରହିଛି ସୌନ୍ଦର୍ଯ୍ୟ ଓ ଆଧ୍ୟତ୍ମିକତା ଶକ୍ତି। ଏହାକୁ ବଜାୟ ରଖିବା ଆମର ପ୍ରଥମ ଦାୟିତ୍ୱ ବୋଲି ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି।
ଉତ୍କଳ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗ, ଓଡ଼ିଶା ଅର୍ଥନୀତି ସଂଘ ଏବଂ ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ(ନାଇଜର)ର ମାନବିକତା ଓ ସାମାଜିକ ବିଜ୍ଞାନ ବିଭାଗର ମିଳିତ ଆୟୋଜନରୁ ବାଣୀବିହାର ଏମକେସିଜି ଅଡିଟୋରିୟମରେ ‘ଓଡ଼ିଶା ଭିଜନ ୨୦୩୬’ ଉଦଘାଟନ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଓଡ଼ିଶାରେ ସବୁ ଅଛି। ଓଡ଼ିଶା ଏକ ବିଶ୍ୱ ପ୍ରଦେଶ। ରାଜ୍ୟରେ ଭୌତିକ ପ୍ରଗତି ଜାରି ରହିବ। ଯଦି କେବେ ମହାମାନବ ପୃଥିବୀରେ ଆଗମନ କରେ ସେହି ଭୂମି ହେବ ଓଡ଼ିଶା। ଯଦି ଜଣେ ବିଦେଶୀ ଗଜପତି, ଶଙ୍କରାଚାର୍ଯ୍ୟ, ସେବାୟତଙ୍କୁ ସାକ୍ଷାତ କରିପାରୁଛି, ସେ କିଭଳି ଜଗନ୍ନାଥଙ୍କ ଦର୍ଶନ କରିପାରିବ ସେଥିପାଇଁ ବ୍ୟବସ୍ଥା କରାଯିବା ଉଚିତ ବୋଲି ରାଜ୍ୟପାଳ ପ୍ରକାଶ କରିଥିଲେ।
ରାଜ୍ୟପାଳ କହିଥିଲେ ଯେ ‘ମୋ ସ୍ୱପ୍ନର ଓଡ଼ିଶା’ ବିଷୟବସ୍ତୁକୁ ନେଇ ସମଗ୍ର ରାଜ୍ୟରେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ୭୨ହଜାରରୁ ଅଧିକ ଛାତ୍ରଛାତ୍ରୀମାନେ ନିଜର ସ୍ୱପ୍ନର ଓଡ଼ିଶା ସମ୍ପର୍କରେ ପ୍ରକାଶ କରିଥିଲେ। ସେମାନଙ୍କ ସ୍ୱପ୍ନର ଓଡ଼ିଶା ସମ୍ପର୍କରେ ଜାଣି ମୁଁ ଅଭିଭୂତ ହୋଇଥିଲି ବୋଲି ପ୍ରକାଶ କରିଥିଲେ। ଉତ୍କଳ ପ୍ରଦେଶର ମହାନତା ଓ ଶ୍ରେଷ୍ଠତା ସମ୍ପର୍କରେ ମତପୋଷଣ କରି ପ୍ରଫେସର ଗଣେଶୀ ଲାଲ ଓଡ଼ିଶା ସମଗ୍ର ବିଶ୍ୱରେ ଶ୍ରେଷ୍ଠ ବୋଲି କହିଥିଲେ।


ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଯୋଗେଦେଇ ଉତ୍କଳ ପ୍ରଦେଶର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଭିଜନ ୨୦୩୬ ବେଶ ସହାୟକ ହେବ ବୋଲି ପ୍ରକାଶ କରିଥିଲେ।ଓଡ଼ିଶାର ବିକାଶ ଓ ପ୍ରଗତି ପାଇଁ କେବଳ ଅର୍ଥନୀତିଜ୍ଞ ବିଶେଷଜ୍ଞଙ୍କ ସହ ପ୍ରତ୍ୟେକ ଓଡ଼ିଆ ସାମିଲ ହେବା ଦରକାର। ଓଡ଼ିଶା ଭିଜନ ୨୦୨୩ ଆଗାମୀ ଦିନରେ ଓଡ଼ିଶା ବିକାଶର ରୋଡମ୍ୟାପ ୍ରପସ୍ତୁତ ବରିବା ଦିଗରେ ସହାୟକ ହେବ ବୋଲି ପ୍ରଫେସର ଆଚାର୍ଯ୍ୟ କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗ ମୁଖ୍ୟ ପ୍ରଫେସର ହିମାଂଶୁ ଶେଖର ରାଉତ ଏବଂ ଓଡ଼ିଶା ଅର୍ଥନୀତି ସଂଘର ସଭାପତି ପ୍ରଫେସର କେଶବ ଦାସ ମଞ୍ଚାସୀନ ଥିଲେ। ଓଡ଼ିଶା ଅର୍ଥନୀତି ସଂଘ ସମ୍ପାଦକ ଅମରେନ୍ଦ୍ର ଦାସ ସ୍ୱାଗତ ଭାଷଣ ଦେଇଥିବାବେଳେ ଛାତ୍ର ମଙ୍ଗଳ ନିର୍ଦେଶିକା ପ୍ରଫେସର ମିତାଲି ଚିନ୍ନାରା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।
ଏହି ଅବସରରେ ୩ଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ‘ଧରିତ୍ରୀ’ର ସମ୍ପାଦକ ତଥାଗତ ସତପଥି, ପିଟିଆଇ ସମ୍ପାଦକ ରାଜେଶ ମହାପାତ୍ର, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଧ ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଉଦଯାପନ ଉତ୍ସବରେ ୟୁଏନଡିପି ଓଡ଼ିଶା ମୁଖ୍ୟ ଆଭା ମିଶ୍ର ଅତିଥି ଭାବେଯୋଗଦେଇଥିଲେ।

nis-ad
Leave A Reply

Your email address will not be published.