ଓଟିଇଟି ମୂଲ୍ୟାଙ୍କନକୁ ନେଇ ଗର୍ଜିଲେ ଶିକ୍ଷକ…

କଟକ : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ସ୍ପେଶାଲ ଓଡ଼ିଶା ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଟିଇଟି) ପରୀକ୍ଷା ଫଳକୁ ପ୍ରତିବାଦ। ମୂଲ୍ୟାଙ୍କନରେ ତ୍ରୁଟି ଥିବା ଅଭିଯୋଗ ଆଣି କଟକ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଛନ୍ତି ଶହ ଶହ  ଶିକ୍ଷକ । ଗ୍ରେସ ମାର୍କ କିମ୍ବା ପାସ୍‌ ମାର୍କ ଦାବିରେ ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ଏହି ଶିକ୍ଷକମାନେ ଗତ ୩ ଦିନ ଧରି ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଦାବି ଜଣାଉଥିଲେ ବି ଏଥିପ୍ରତି କେହି କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହୋଇଛି।

ଗତ ଅଗଷ୍ଟ ୨୯ରେ ସ୍ପେଶାଲ ଓଟିଇଟି ପରୀକ୍ଷା ହୋଇଥିବା ବେଳେ ଗତ ୯ ତାରିଖରେ ଏହାର ରେଜଲ୍ଟ ବାହାରିଛି। ହେଲେ ୧୦ ତାରିଖରେ ପୁନର୍ବାର ରେଜଲ୍ଟ ବାହାର କରାଯାଇ ଫେଲ୍‌ ହୋଇଥିବା ବହୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପାସ୍‌ କରାଯାଇଛି। ଅପରପକ୍ଷେ, ୯ ତାରିଖରେ ପ୍ରକାଶିତ ରେଜଲ୍ଟରେ ଭଲ ମାର୍କ ରଖିଥିବା ବହୁ ଶିକ୍ଷକଶିକ୍ଷୟିତ୍ରୀ ଫେଲ୍‌ ହୋଇ ଯାଇଛନ୍ତି।

ଏହାର ପ୍ରତିବାଦରେ ଶହ ଶହ ଶିକ୍ଷକ ୩ ଦିନ ହେଲାଣି ବୋର୍ଡ ସମ୍ମୁଖରେ ଏକାଠି ହୋଇ ନିଜ ଦାବି ଜଣାଉଛନ୍ତି। ବାରମ୍ବାର ଓଟିଇଟି ପରୀକ୍ଷା ଦେବା ପରେ ବି ପାସ୍‌ କରିବା କଷ୍ଟସାଧ୍ୟ ହେଉଥିବାରୁ କିଛି ଗ୍ରେସ୍‌ ମାର୍କ ଦେବାକୁ କିମ୍ବା ପାସ୍‌ ମାର୍କ କମ୍‌ କରିବାକୁ ସେମାନେ ଗୁହାରି କରୁଛନ୍ତି।  ହେଲେ ବୋର୍ଡ କର୍ତ୍ତୃପକ୍ଷ ଏହାକୁ ଶୁଣୁ ନାହାନ୍ତି। ସରକାରଙ୍କ ବିନା ନିର୍ଦ୍ଦେଶ ଓ ଅନୁମତିରେ ଗୋଟିଏ ବି ମାର୍କ ବଢ଼ା ଯାଇ ପାରିବନି ବୋଲି ବୋର୍ଡ ପକ୍ଷରୁ ସଫା ସଫା ଶୁଣାଇ ଦିଆଯାଇଛି।

ଏନେଇ ଜଣେ ଶିକ୍ଷକ କହିଛନ୍ତି,  ୨୦୧୨ରୁ ୨୦୨୨ ପର୍ଯ୍ୟନ୍ତ ଯେତେଥର ଓଟିଇଟି ପରୀକ୍ଷା ହୋଇଛି ସବୁଥିରେ ତ୍ରୁଟି ବାହାରିଛି। ଆମେମାନେ ଚାକିରିରେ ଥିବା ସତ୍ତ୍ୱେ ପରୀକ୍ଷା ଦେଉଥିବାରୁ ଆମ ପ୍ରତି କର୍ତ୍ତୃପକ୍ଷ କିଛି କୋହଳ ମନୋଭାବ ପୋଷଣ କରିବା ଆବଶ୍ୟକ । ଅନ୍ତତଃ କିଛି ଗ୍ରେସ୍‌ ମାର୍କ ପ୍ରଦାନ କଲେ ବହୁ ସଂଖ୍ୟାରେ ଶିକ୍ଷକ ଉପକୃତ ହୋଇପାରନ୍ତେ । ମାତ୍ର ଏଥିନିମନ୍ତେ ସେମାନେ ରୋକଠୋକ ମନା କରି ଦେଉଛନ୍ତି।

ଗତ ୩ ଦିନ ହେଲାଣି ନିଜ ଦାବି ନେଇ ହଜାର ହଜାର ଶିକ୍ଷକ ବୋର୍ଡ ଅଫିସ୍‌ ସାମନାରେ ରୁଣ୍ଡ ହୋଇ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ବୋର୍ଡ କର୍ତ୍ତୃପକ୍ଷ କିନ୍ତୁ କିଛି ଶୁଣିବା ପରିସ୍ଥିତିରେ ନାହାନ୍ତି। ବୋର୍ଡ ସଭାପତିଙ୍କ ସହ  ଆଲୋଚନା ବି ସଫଳ ହୋଇନି। ତେଣୁ  ଆଗାମୀ ଦିନରେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ଶିକ୍ଷକଶିକ୍ଷୟିତ୍ରୀ।

nis-ad
Leave A Reply

Your email address will not be published.