ବିହାରରେ ରିଭରକ୍ରୁଜକୁ ନୋ ଏଣ୍ଟ୍ରି ! କ୍ରୁଜକୁ ଅଟକାଇବାକୁ ଜେଡିୟୁର ଦାବି…

ପାଟନା: ନଦୀ ପର୍ଯ୍ୟଟନର ବିକାଶ ଉପରେ କେନ୍ଦ୍ର ସରକାର ଗୁରୁତ୍ବ ଦେଇଛନ୍ତି। ସେହି ପରିପ୍ରେକ୍ଷୀରେ ଚଳିତ ମାସ ୧୩ ତାରିଖରେ ଉତ୍ତରପ୍ରଦେଶର ବାରାଣସୀଠାରେ ଗଙ୍ଗାନଦୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ସର୍ବବୃହତ୍ ରିଭରକ୍ରୁଜ ଅଭିଯାନର ଶୁଭାରମ୍ଭ କରିବେ। ଏମ୍‌.ଭି ଗଙ୍ଗା ବିଳାସ ଗଙ୍ଗାରେ ସେଦିନ ତା’ର ଯାତ୍ରା ଆରମ୍ଭ କରିବ । ଏହି ବିଳାସପୂର୍ଣ୍ବ କ୍ରୁଜ ଭାରତର ୫ ରାଜ୍ୟ ଓ ବାଂଲାଦେଶର ୨୭ ନଦୀରେ ୩୨୦୦ କିମି ପଥ ଅତିକ୍ରମ କରି ଆସାମର ଦିବ୍ରୁଗଡରେ ପହଞ୍ଚିବ | ଏହି କ୍ରୁଜର ନଦୀ ପରିକ୍ରମା କାର୍ଯ୍ୟ ୫୧ ଦିନ ପର୍ଯ୍ୟନ୍ତ ଚାଲିବ। ପର୍ଯ୍ୟଟକମାନଙ୍କୁ ବିଶ୍ବ ଐତିହ୍ୟ ସ୍ଥଳ, ଜାତୀୟ ଉଦ୍ୟାନ, ନଦୀଘାଟ, ପ୍ରାଚୀନ ସହର ସହ ୫୦ ପର୍ଯ୍ୟଟନସ୍ଥଳ ପରିଦର୍ଶନର ସୁଯୋଗ ମିଳିବ।

ବିହାରର ପାଟନା, ଝାଡଖଣ୍ଡର ସାହେବଗଞ୍ଜ, ପଶ୍ଚିମବଙ୍ଗର କୋଲକାତା, ଆସାମର ଗୁଆହାଟି ଓ ବାଂଲା‌ଦେର ଢାକା ଆଦି ବୁଲି ଦେଖିପାରିବେ । ନଦୀ ଚୁକ୍ତି ଅନୁସାରେ ଭାରତୀୟ ଜାହାଜସବୁ ଗଙ୍ଗାରେ ବାଂଲାଦେଶ ଯାଇ ସେଠାରୁ ବ୍ରହ୍ମପୁତ୍ର ଦେଇ ଆସାମ ପର୍ଯ୍ୟନ୍ତ ଯିବ । କିନ୍ତୁ ଏହି ସେବା ଆରମ୍ଭ ହେବା ପୂର୍ବରୁ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଜେଡିୟୁ ଜାତୀୟ ସଭାପତି ଲଲନ ସିଂ ଏହି କ୍ରୁଜକୁ ବିହାରରେ ଅଟକାଯିବ ବୋଲି କହିଥିବାବେଳେ ବିହାର ବିଜେପି ସଭାପତି ଜେଡିୟୁ ସରକାରଙ୍କୁ ବିହାର ବିରୋଧୀ ବୋଲି କହିଛନ୍ତି। ଜେଡିୟୁ ଜାତୀୟ ସଭାପତି ଲଲନ ସିଂ ଚେତାବନୀ ଦେଇଛନ୍ତି ଯେ କେନ୍ଦ୍ର ସରକାରଙ୍କ ଯୋଜନା ବିହାର ଭିତରେ ଚାଲିବାକୁ ଅନୁମତି ଦିଆଯିବ ନାହିଁ | ଲଲନ ସିଂ କହିଛନ୍ତି ଯେ ଗଙ୍ଗାରେ କ୍ରୁଜ ଚଳାଇବା ଯୁକ୍ତିଯୁକ୍ତ ନୁହେଁ | ଏଭଳି କରି କେନ୍ଦ୍ର ସରକାର କେବଳ ଟଙ୍କା ବର୍ବାଦ କରୁଛନ୍ତି ବୋଲି ଲଲନ ଅଭିଯୋଗ ଆଣିଛନ୍ତି | ଅନ୍ୟପକ୍ଷରେ ନୀତୀଶ ସରକାର ବିହାରର ବିକାଶକୁ ବନ୍ଦ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

nis-ad
Leave A Reply

Your email address will not be published.