ବାଇକ ଉପରେ ଗଳି ପଡ଼ିଲା ମେଟ୍ରୋ ପିଲାର୍‌, ଚାଲି ଗଲା ମା’ ପୁଅଙ୍କ ଜୀବନ…

ବେଙ୍ଗାଲୁରୁ: ନିର୍ମାଣାଧୀନ ମେଟ୍ରୋ ଷ୍ଟେସନ ପିଲାର ଖସି ପଡ଼ିବାରୁ ରାସ୍ତାରେ ଯାଉଥିବା ମା’ ପୁଅଙ୍କ ମୃତ୍ୟୁ ଘଟିଛି। ଏଥିରେ ମହିଳାଙ୍କ ସ୍ୱାମୀ ଓ ଛୋଟ ଝିଅ ମଧ୍ୟ ଆହତ ହୋଇଛନ୍ତି। ଏମାନେ ସମସ୍ତେ ଗୋଟିଏ ବାଇକରେ ଯାଉଥିବା ବେଳେ କର୍ଣ୍ଣାଟକାର ବେଙ୍ଗାଲୁରୁର ନଗାଭାରା ଅଞ୍ଚଳରେ ଏପରି ଘଟଣା ଘଟିଛି। ରାସ୍ତାରେ ଯାଉଥିବା ବେଳେ ଲୁହା ରଡ୍‌ରେ ତିଆରି ପିଲାର୍‌ ଖସି ପଡ଼ିବାରୁ ବାଇକରେ ଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣ ପ୍ରାଣ ହରାଇଥିବା ପୁଲିସ୍‌ କହିଛି।

ପୁଲିସ୍‌ କହିଛି ଯେ ଗୋଟିଏ ବାଇକରେ ଦମ୍ପତି ଓ ସେମାନଙ୍କର ଦୁଇ ପିଲା ଯାଉଥିଲେ। ସେମାନେ ନିର୍ମାଣ କାମ ଚାଲିଥିବା ରାସ୍ତା ଅତିକ୍ରମ କରୁଥିବା ବେଳେ ହଠାତ୍‌ ସେମାନଙ୍କ ଉପରେ ଲୁହାର ପିଲାର୍‌ ଖସି ପଡ଼ିଥିଲା। ସମସ୍ତେ ଲୁହା ରଡ୍‌ ମାଡ଼ରେ ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକମାନେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ୨୫ ବର୍ଷୀୟ ତେଜସ୍ୱନୀ ଓ ତାଙ୍କ ୨.୫ ବର୍ଷର ପୁଅ ଭିହାନ ପ୍ରାଣ ହରାଇଛନ୍ତି। ବାଇକ ଚଳାଉଥିବା ତେଜସ୍ୱନୀଙ୍କ ସ୍ୱାମୀ ଲୋହିତ ଓ ଝିଅ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ବାଇକ ଚଳାଇବା ବେଳେ ଉଭୟ ଲୋହିତ ଓ ତେଜସ୍ୱନୀ ହେଲମେଟ ପିନ୍ଧିଥିଲେ। କିନ୍ତୁ ଲୁହାରେ ତିହାରି ୪୦ ଫୁଟ ଲମ୍ବର ପିଲାର୍‌ ସେମାନଙ୍କ ଉପରେ ଖସି ପଡ଼ିବାରୁ ଏତେ ବଡ଼ ଘଟଣା ଘଟିଛି।

ବେଙ୍ଗାଲୁରୁ ଇଷ୍ଟର ଡିସିପି ଡ. ଭୀମଶଙ୍କର ଏସ୍‌ ଗୁଲେଡ କହିଛନ୍ତି, “ମଙ୍ଗଳବାର ସକାଳେ ଗୋଟିଏ ମେଟ୍ରୋ ପିଲାର ଭୁଶୁଡ଼ିବା ସହ ରାସ୍ତାରେ ବାଇକରେ ଯାଉଥିବା ୪ ଜଣଙ୍କ ଉପରେ ଖସି ପଡ଼ିଥିଲା। ସମସ୍ତଙ୍କୁ ତୁରନ୍ତ ଅଲଟିଉସ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ତେଜସ୍ୱନୀ ଓ ତାଙ୍କ ପୁଅ ଭିହାନଙ୍କ ମୃତ୍ୟୁ ଘଟିଛି। ଉଭୟଙ୍କ ମୁଣ୍ଡ ଓ ଶରୀରରେ ଗଭୀର ଆଘାତ ଲାଗିଥିଲା। ଘଟଣା ପରେ ଆଉଟର ରିଙ୍ଗ ରୋଡରେ ୨ ଦିନ ପାଇଁ କାମକୁ ବନ୍ଦ କରି ଦିଆଯାଇଛି। ମାମଲା କରାଯିବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି।”

ଅନ୍ୟପକ୍ଷରେ ବେଙ୍ଗାଲୁରୁ ମେଟ୍ରୋ ରେଳ କର୍ପୋରେସନ ଲିଃ(ବିଏମଆରସିଏଲ) ମୃତକଙ୍କ ପରିବାର ବର୍ଗ ପାଇଁ ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛି। ଏଥିସହ କେଉଁ ପରିସ୍ଥିତିରେ ପିଲାର୍‌ ଭୁଶୁଡ଼ିଲା, ତା’ର ଆଭ୍ୟନ୍ତରୀଣ ତଦନ୍ତ ହେବ ବୋଲି ମଧ୍ୟ କହିଛି।

nis-ad
Leave A Reply

Your email address will not be published.