ଥଣ୍ଡାରେ ନଥରିବା ଯାଏ ସ୍ୱେଟର୍‌ ପିନ୍ଧିବେ ନାହିଁ ରାହୁଲ ଗାନ୍ଧି…

ନୂଆଦିଲ୍ଲୀ: ହାଡ଼ଭଙ୍ଗା ଜାଡ଼ରେ ବି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କେବଳ ଗୋଟିଏ ଧଳା ଟି-ଶାର୍ଟ ପିନ୍ଧି ଭାରତ ଯୋଡ଼ୋ ଯାତ୍ରା କରୁଛନ୍ତି। ଲୋକମାନେ ସ୍ୱେଟର ଠାରୁ ଆରମ୍ଭ କରି ଜ୍ୟାକେଟ ପିନ୍ଧି ମଧ୍ୟ ପ୍ରବଳ ଥଣ୍ଡାରେ ଥରୁଥିଲେ ହେଁ ରାହୁଲ ଗାନ୍ଧି କେମିତି ସବୁ କିଛି ସହି ଯାଉଛନ୍ତି, ତା’କୁ ନେଇ ଚର୍ଚ୍ଚା ଲାଗି ରହିଛି। ତେବେ ରାହୁଲ ଗାନ୍ଧି କାହିଁକି କେବଳ ଟି-ଶାର୍ଟ ପିନ୍ଧୁଛନ୍ତି? ସେ କେବେ ସ୍ୱେଟର ପିନ୍ଧିବେ? ସେ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି।

ରାହୁଲ ଭାରତ ଯୋଡ଼ୋ ଯାତ୍ରା ବେଳେ ମଧ୍ୟପ୍ରଦେଶର କିଛି ଗରିବ ଝିଅଙ୍କୁ ଭେଟିଥିଲେ। ଏହି ସମୟରେ ସେମାନେ ଚିରା କପଡ଼ାରେ ଥରୁଥିଲେ। ସେମାନଙ୍କୁ ଦେଖିବା ପରେ ରାହୁଲ ଗାନ୍ଧି କେବଳ ଟି-ଶାର୍ଟ ପିନ୍ଧି ଭାରତ ଯୋଡ଼ୋ ଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି।

ହରିଆଣାର ଅମ୍ବାଲାରେ ରାହୁଲ ଗାନ୍ଧି କହିଛନ୍ତି, “ଲୋକମାନେ ମୋତେ ପଚାରୁଛନ୍ତି ଯେ ମୁଁ କାହିଁକି କେବଳ ଏହି ଧଳା ଟି-ଶାର୍ଟ ପିନ୍ଧୁଛି? କ’ଣ ମୋତେ ଥଣ୍ଡା ଲାଗୁନି? ମୁଁ ଏପରି ଟି-ଶାର୍ଟ ପିନ୍ଧିବାର କାରଣ ରହିଛି। ସେକଥା ଆଜି ମୁଁ ସମସ୍ତଙ୍କୁ କହିବାକୁ ଚାହେଁ।

କେରଳରୁ ଆମେ ଯେତେବେଳେ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କଲୁ ସେତେବେଳେ ପ୍ରବଳ ଗରମ ଓ ଗୁଳୁଗୁଳି ହେଉଥିଲା। କିନ୍ତୁ ଆମେ ଯେତେବେଳେ ମଧ୍ୟପ୍ରଦେଶରେ ପହଞ୍ଚିଲୁ ସେତେବେଳେ ଥଣ୍ଡା ପଡ଼ିବା ଆରମ୍ଭ ହୋଇଥିଲା। ଭାରତ ଯୋଡ଼ୋ ଯାତ୍ରାର ଗୋଟିଏ ଦିନ ୩ ଜଣ ଗରିବ ଝିଅ ଛିଣ୍ଡା କପଡ଼ାରେ ମୋ ପାଖକୁ ଆସିଥିଲେ। ସେମାନଙ୍କୁ ମୁଁ ଧରିବା ବେଳେ ସେମାନଙ୍କ ଶରୀର ଥଣ୍ଡାରେ ଥରିବାରେ ଲାଗିଥିଲା। ସେମାନଙ୍କ ପାଖରେ ଉପଯୁକ୍ତ କପଡ଼ା ନଥିଲା। ତେଣୁ ସେହିଦିନ ମୁଁ ନିଷ୍ପତ୍ତି ନେଇଥିଲି ଯେ ଯେପର୍ଯ୍ୟନ୍ତ ମୁଁ ଥରି ନାହିଁ ସେଯାଏ ମୁଁ କେବଳ ଟି-ଶାର୍ଟ ହିଁ ପନ୍ଧିବି।”

ସେ ଆହୁରି କହିଛନ୍ତି, “ଯେତେବେଳେ ଥରା ବାହାରିବା ଆରମ୍ଭ ହେବ ସେତେବେଳେ ମୁଁ ସ୍ୱେଟର ପିନ୍ଧିବା କଥା ଭାବିବି। ମୁଁ ସେହି ଝିଅମାନଙ୍କୁ ଗୋଟିଏ ବାର୍ତ୍ତା ଦେବାକୁ ଚାହୁଁଛି ଯେ ଯଦି ସେମାନେ ଥଣ୍ଡାର କଷ୍ଟକୁ ଅନୁଭବ କରୁଛନ୍ତି, ତା’ହେଲେ ରାହୁଲ ଗାନ୍ଧି ମଧ୍ୟ ସେହି ଥଣ୍ଡାର କଷ୍ଟକୁ ଅନୁଭବ କରିବାକୁ ପ୍ରସ୍ତୁତ।”

nis-ad
Leave A Reply

Your email address will not be published.