ଭାଙ୍ଗୁଛି କାନ୍ଥ, ଯୋଶୀମଠରେ କାହିଁକି ଦବୁଛି ଭୂମି..?

ନୂଆଦିଲ୍ଲୀ: କୋଠାବାଡ଼ି। ରାସ୍ତାଘାଟ। ମଠ ମନ୍ଦିର। ସବୁଠି ବିରାଟ ବିରାଟ ଫାଟ। କାନ୍ଥ ଫାଟି ଆଁ କରିବା ପରେ ଭୟରେ ଘର ଛାଡ଼ୁଛନ୍ତି ଯୋଶୀମଠ ବାସିନ୍ଦା । ପଳାୟନ କଲେଣି ପ୍ରାୟ ୭୦ ପରିବାର । ଦେବଭୂମି ଉତ୍ତରାଖଣ୍ଡର ଧାର୍ମିକ ସହର ଭାବେ ପରିଚିତ ଯୋଶୀମଠ ଧିରେ ଧିରେ ତଳକୁ ଦବୁଥିବାରୁ, ସହରବାସୀଙ୍କ ଆଖିରୁ ନିଦ ହଜିଯାଇଛି । ଶୀତୁଆ ରାତିରେ ବି ଘର ଭିତରେ ରହିବା ଅପେକ୍ଷା, ଲୋକେ ବାହାରେ ବସିବାକୁ ସୁରକ୍ଷିତ ମଣୁଛନ୍ତି । ବିପଦସଂକୁଳ ଘର ସଂଖ୍ୟା ୬ ଶହ ଟପିଛି । ରାସ୍ତା ଫାଟି ସେଥିରୁ ପାଣି ବହିବାରେ ଲାଗିଛି । ପୂରା ସହର ବିପର୍ଯ୍ୟୟ ମୁହାଁ ହେବା ପରେ, ଏକପ୍ରକାର ସମୂହ ପଳାୟନର ଆଶଙ୍କା ସୃଷ୍ଟି ହୋଇଛି । ତେଣେ ଚୀନ୍ ସୀମାକୁ ସଂଯୋଗ କରୁଥିବା ଯୋଶୀମଠ-ମଲାରୀ ରାସ୍ତା ଫାଟି ଯିବାରୁ ପ୍ରତିରକ୍ଷା ଦୃଷ୍ଟିରୁ ବି ଚିନ୍ତା ବଢ଼ିଛି।
ସେପଟେ ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ବିପନ୍ନଙ୍କ ଥଇଥାନ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି । ବାସହରା ପରିବାରକୁ ୬ମାସ ଭଡ଼ାଘରେ ରହିବାକୁ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମାସିକ ୪ହଜାର ଟଙ୍କା ସହାୟତା ଦିଆଯାଉଛି। ଜରୁରୀ ସ୍ଥିତି ପାଇଁ ଏନଡିଆରଏଫ ଟିମ୍ ଏବଂ ଚପର୍ ପ୍ରସ୍ତୁତ ରଖାଯାଇଛି। ସାଟେଲାଇଟ୍ ଫଟୋ ଉଠାଇ ଭୂସ୍ଖଳନର ସବିଶେଷ ରିପୋର୍ଟ ଦେବାକୁ ନ୍ୟାସନାଲ ରିମୋଟ୍ ସେନ୍ସିଂ ସେଣ୍ଟରକୁ କହିଛନ୍ତି ଉତ୍ତରାଖଣ୍ଡ ସରକାର। ଜିଓଲଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ବି ସ୍ଥିତି ସମୀକ୍ଷା କରୁଛି । ସ୍ଥାନୀୟ ଲୋକେ ଭୂସ୍ଖଳନ ପାଇଁ ଟନେଲ୍ ଖନନ ଓ ଜଳ ବିଦ୍ୟୁତ ପ୍ରକଳ୍ପକୁ ଦାୟୀ କରିବା ପରେ, ଯୋଶୀମଠ ଅଞ୍ଚଳରେ ସମସ୍ତ ନିର୍ମାଣ କାମ ବନ୍ଦ କରିଦଆଯାଇଛି। ତେଣେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଗତକାଲି ଯୋଶୀମଠ ଗସ୍ତରୁ ଫେରିବା ପରେ, ଆଜି ଫୋନ୍ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଥିତି ସଂପର୍କରେ ଜଣାଇଛନ୍ତି । ଯୋଶୀମଠକୁ ରକ୍ଷା କରିବାକୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଭରସା ଦେଇଛନ୍ତି ମୋଦି।

ତେବେ କାହିଁକି ତଳକୁ ତଳକୁ ଦବୁଛି ଯୋଶୀମଠ? ଏହା ଭୌଗୋଳିକ ବିପର୍ଯ୍ୟୟ ପ୍ରାକୃତିକ ନା ମନୁଷ୍ୟକୃତ? ବିଶେଷଜ୍ଞଙ୍କ ଅନୁସାରେ, ୬/୭ ହଜାର ବର୍ଷ ତଳେ ହିମାଳୟ ପାଦ ଦେଶରେ ଏକ ବିରାଟ ଭୂସ୍ଖଳନ ହୋଇଥିଲା । ପାହାଡ଼ ଧସିବାରୁ ମାଟି ପଥର ଆଦି ଜମାହୋଇ ସୃଷ୍ଟି ହୋଇଥିଲା । ନୂଆ ଭୂମିରୂପ ସମୟକ୍ରମେ ତାରି ଉପରେ ଗଢ଼ିଉଠିଛି ଯୋଶୀମଠ ସହର । ତେବେ ଏଠାକାର ମାଟି ଏବେବି ଦୁର୍ବଳ । ମାଟି ତଳ ଦେଇ ପାଣି ଝରିବା ଯୋଗୁଁ, ଭୂତଳ ପଥରଖଣ୍ଡ ଗୁଡ଼ିକ ବି ହୁଗୁଳା ହୋଇଯାଉଛି । ୧୯୭୦ରେ ଅଳକାନନ୍ଦାରେ ବଡ଼ ବନ୍ୟା ଆସିବା ପରେ, ପ୍ରଥମ ଥର ପାଇଁ ଘରକାନ୍ଥ ଗୁଡ଼ିକରେ ଫାଟ ଆସିଥିଲା ।୧୯୭୬ରେ ଗଠିତ ଏମ୍.ସି. ମିଶ୍ର କମିଶନ କହିଥିଲେ, ଯୋଶୀମଠ ସହରର ଆୟୂଷ ମାତ୍ର ଶହେବର୍ଷ । ବଡ଼ ଅଟ୍ଟାଳିକା ନିର୍ମାଣ, ପଥର ବ୍ଲାଷ୍ଟିଂ ଓ ଗଛକଟା ଆଦି ଉପରେ ତତ୍କାଳ ରୋକ୍ ଲଗାଇବାକୁ ପରାମର୍ଶ ବି ଦେଇଥିଲେ କମିଶନ। ହେଲେ ୪୭ ବର୍ଷ ତଳର ସତର୍କବାଣୀକୁ ଭୃକ୍ଷେପ କରାନଯିବାରୁ, ଆଜି ଏଭଳି ବିପତ୍ତି ଆସିଥିବା ଅଭିଯୋଗ ହେଉଛି। ଯୋଶୀମଠ ଭଳି ନୈନିତାଲ ଓ ଉତ୍ତରକାଶୀ ମଧ୍ୟ ଭବିଷ୍ୟତରେ ବିପଦର ସାମ୍ନା କରିପାରେ ବୋଲି ଆଶଙ୍କା କରିଛନ୍ତି ବିଶେଷଜ୍ଞ।

nis-ad
Leave A Reply

Your email address will not be published.