ପଢ଼ା ଶେଷ ନ କରି ସ୍କୁଲ୍‌ ଛାଡ଼ି ବିଡ଼ି ତିଆରି କରୁଥିବା କେରଳୀ ଛାତ୍ର ଏବେ ଆମେରିକାରେ ବିଚାରପତି…

ନୂଆଦିଲ୍ଲୀ: ବିଡ଼ି ତିଆରି ଓ ଗୃହ ସହାୟକ ଭାବେ କାର୍ଯ୍ୟ କରିବାର ଦିନ ସବୁ ତାଙ୍କୁ ଆମେରିକାରେ ଶିକ୍ଷା ଶେଷ କରି ସଫଳତା ହାସଲ କରିବାରେ ସହାୟକ ହୋଇଛି ବୋଲି ଅଳ୍ପ ଦିନ ତଳେ ଟେକ୍ସାସ୍‌ରେ ଜିଲ୍ଲା ଜଜ୍‌ ଭାବେ ନିଯୁକ୍ତି ପାଇଥିବା ୫୧ ବର୍ଷିୟ ‌ସୁରେନ୍ଦ୍ରନ୍‌ କେ. ପେଟଲ୍‌ କହିଛନ୍ତି।
କେରଳର କାସରଗୋଡ଼ରେ ଜନ୍ମିତ ଓ ପାଳିତ ସୁରେନ୍ଦ୍ରନ୍‌ ଜୀବିକା ଅର୍ଜନ ନିମନ୍ତେ ପାଠ ପଢ଼ା ଶେଷ ନ କରି ସ୍କୁଲ୍‌ ଛାଡ଼ି ଦିନ ମଜୁରିଆ ଭାବେ କାମ କରୁଥିଲେ।
ଗଣମାଧ୍ୟମକୁ ସେ କହିଛନ୍ତି, ପରିବାରର ଆର୍ଥିକ ଅନଟନ ଯୋଗୁଁ ୧୦ମ ଶ୍ରେଣୀ ପରେ ମୁଁ ପଢ଼ା ଛାଡ଼ିଦେଲି। ତା’ପରେ ଦିନ ମଜୁରିଆ ଭାବେ ମୁଁ ବର୍ଷଟିଏ ବିଡ଼ି ବନେଇଲି। ସେହି କାମହିଁ ଜୀବନ ପ୍ରତି ମୋର ଦୃଷ୍ଟିଭଙ୍ଗୀ ବଦଳାଇ ଦେଲା।
ସୁରେନ୍ଦ୍ରନ୍‌ଙ୍କ ଜୀବନ ବଦଳାଇବାକୁ ଦୃଢ଼ପରିକର ହୋଇ ଗାଁରେ ଥିବା ତା’ର ସାଙ୍ଗସାଥୀମାନେ ଆର୍ଥିକ ସହଯୋଗ କରି ତା’ର ଉଚ୍ଚଶିକ୍ଷା ଓ ଆଇନ ଶିକ୍ଷା ଶେଷ କରାଇଲେ। ଏହାଛଡ଼ା, ପଢ଼ିବା ବ‌େଳେ ସେ ଗୋଟାଏ ସ୍ଥାନୀୟ ହୋଟେଲ୍‌ରେ ଗୃହ ସହାୟକ ଭାବେ କାମ କଲେ।
ସୁରେନ୍ଦ୍ରନ୍‌ କହିଛନ୍ତି, ‘ଏଲ୍‌ଏଲ୍‌ବି’ ଶେଷ କରିବା ପରେ ଭାରତରେ ମୁଁ କରିଥିବା ଓକିଲାତି ହିଁ ମତେ ଆମେରିକାରେ ତିଷ୍ଠି ରହିବାରେ ସହାୟକ ହେଲା। ମୋର ଆମେରିକା ଯାତ୍ରା ବି ନିର୍ବିଘ୍ନ ନ ଥିଲା।

ଟେକ୍ସାସ୍‌ରେ ଏହି ପଦବୀ ନିମନ୍ତେ ମୁଁ ପ୍ରତିଦ୍ବନ୍ଦ୍ବିତା କରିବା ବେଳେ ମୋର ଶବ୍ଦ ଉଚ୍ଚାରଣ ଉପରେ ମନ୍ଦ ମନ୍ତବ୍ୟ ଦିଆଗଲା ଓ ମୋ ବିରୋଧରେ ନକାରାତ୍ମକ ପ୍ରଚାର ଚାଲିଲା। ମୁଁ ‘ଡେମୋକ୍ରାଟିକ୍‌ ପ୍ରାଇମେରି’ ନିମନ୍ତେ ପ୍ରତିଦ୍ବନ୍ଦ୍ବିତା କରିବା ବେଳେ ମୁଁ ଜିଣିବି ବୋଲି ମୋ ନିଜ ଦଳ ବି ଭାବି ନ ଥିଲା ବୋଲି ସେ କହିଛନ୍ତି।

ମୁଁ ସଫଳ ହେବି ବୋଲି କାହାରି ବିଶ୍ବାସ ନ ଥିଲା। କିନ୍ତୁ, ମୁଁ ଜିଣିଲି। ସମସ୍ତଙ୍କ ପାଇଁ ମୋର ଏକମାତ୍ର ବାର୍ତ୍ତା ହେଉଛି, ଅନ୍ୟ କାହା ଉପରେ ନିଜର ଭବିଷ୍ୟତ ନିର୍ଦ୍ଧାରଣ କଥା ଛାଡ଼ିଦିଅ ନାହିଁ। ଏକମାତ୍ର ଆପଣ ହିଁ ଆପଣଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବା ଉଚିତ।

nis-ad
Leave A Reply

Your email address will not be published.