ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ତଥା ଓରମାସ୍ ସିଇଓଙ୍କ ରାଉରକେଲା ଗସ୍ତ…

ଭଞ୍ଜ ଭବନ ପଡ଼ିଆରେ ହେବାକୁ ଥିବା ସରସ ମେଳା ପାଇଁ ପ୍ରସ୍ତୁତି ସମୀକ୍ଷା

ରାଉରକେଲା,: ୭ ଜାନୁଆରି ୨୦୨୩: ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ରାଉରକେଲା ସହରରେ ପ୍ରଥମ ଥର ପାଇଁ ସରସ ମେଳା ଆୟୋଜନ କରାଯାଉଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଅତିରିକ୍ତ ସଚିବ ତଥା ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ଗୁହା ପୁନମ ତାପସ କୁମାର ରାଉରକେଲା ଗସ୍ତରେ ଆସି ମେଳା ଆୟୋଜନର ପ୍ରସ୍ତୁତି ସମୀକ୍ଷା କରିଛନ୍ତି।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ମିଶନ ଶକ୍ତି ବିଭାଗ, ଓରମାସ୍ ଏବଂ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହି ମେଳା କରାଯାଉଛି। ରାଉରକେଲାର ସେକ୍ଟର-୫ସ୍ଥିତ ଭଞ୍ଜ ଭବନ ପ୍ରଦର୍ଶନୀ ପଡ଼ିଆରେ ଜାନୁଆରି ୧୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ।

ଶନିବାର ଦିନ ପୂର୍ବାହ୍ନରେ ଶ୍ରୀମତୀ ଗୁହା ପୁନମ ତାପସ କୁମାର ଭଞ୍ଜ ଭବନ ପ୍ରଦର୍ଶନୀ ପଡ଼ିଆକୁ ଯାଇ ସେଠାରେ ମେଳା ପ୍ରସ୍ତୁତି ବୁଲି ଦେଖିଥିଲେ। ଏହା ସହ ମେଳାରେ ଯୋଗଦେବାକୁ ଆସୁଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନେ ରହିବା ପାଇଁ ସେକ୍ଟର-୭ ସ୍ଥିତ ମାଧ୍ୟମିକ ବିଦ୍ୟାଳୟରେ ହୋଇଥିବା ରହଣି ବ୍ୟବସ୍ଥାର ମଧ୍ୟ ତଦାରଖ କରିଥିଲେ।

ଏନେଇ ରାଉରକେଲା ମହାନଗର ନିଗମର କନଫରେନ୍ସ ହଲଠାରେ ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା। ଏଥିରେ ଶ୍ରୀମତୀ ଗୁହା ପୁନମ ତାପସ କୁମାର ଅଧ୍ୟକ୍ଷତା କରି ଏହି ସରସ ମେଳାକୁ ଆକର୍ଷଣୀୟ ଓ ସ୍ମରଣୀୟ କରାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ପ୍ରଶଂସା କରିଥିଲେ।

ମେଳା ସମୟରେ ପାର୍କିଂ ବ୍ୟବସ୍ଥା, ଟ୍ରାଫିକ ପରିଚାଳନା, ବିଦ୍ୟୁତ ଯୋଗାଣ, ସ୍ଵଚ୍ଛତା ଓ ପରିମଳ ଉପରେ ଗୁରୁତ୍ଵ ଦେବା ପାଇଁ ସେ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଘୋଷଣା କରାଯାଇଥିବାରୁ ମେଳାରେ ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟର ସ୍ଵତନ୍ତ୍ର ଷ୍ଟଲ୍ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।

ରାଉରକେଲା ସରସ ମେଳାରେ ୨୫୦ରୁ ଅଧିକ ଷ୍ଟଲ ପଡ଼ିବ। ଏଥିରେ ସୁନ୍ଦରଗଡ଼ ଜିଲ୍ଲା ସମେତ ଜିଲ୍ଲା ତଥା ରାଜ୍ୟ ବାହାରର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଗୁଡ଼ିକ ସାମିଲ ହେବେ। ଏହି ମେଳାରେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରି କରାଯିବ। ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ସଂସ୍ଥା ପକ୍ଷରୁ ମଧ୍ୟ ଷ୍ଟଲ ଖୋଲାଯିବ। ସ୍ୱତନ୍ତ୍ର ଫୁଡ୍ କୋର୍ଟ ମେଳାର ଅନ୍ୟତମ ଆକର୍ଷଣ ହେବ।

ଏହି ସମୀକ୍ଷା ବୈଠକରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲିଙ୍କ ସହିତ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର, ସୁନ୍ଦରଗଡ଼ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହାଜନ, ପ୍ରଥମେସ ରାଜସିର୍କେ (ଆଇଏଏସ୍ ପ୍ରୋବେସନ), ଓରମାସ ସୁନ୍ଦରଗଡ଼ର ଡେପୁଟି ସିଇଓ କେଶବ ଝାଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ।

ଏହି ଗସ୍ତ ଅବସରରେ ଶ୍ରୀମତୀ ଗୁହା ପୁନମ ତାପସ କୁମାର ବିଶ୍ରା ବ୍ଲକର ଝିରପାଣି ଯାଇ ସେଠାରେ ସୃଷ୍ଟି ଉତ୍ପାଦକ ଗୋଷ୍ଠୀ ଓ ଦିବ୍ୟଜ୍ୟୋତି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଭେଟି ସେମାନଙ୍କ ଜୀବିକା ବିଷୟରେ ପଚାରି ବୁଝିଥିଲେ। ଦିବ୍ୟଜ୍ୟୋତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ପୁଷ୍ଟିଶସ୍ୟରୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରୁଥିବା ବେଳେ ସୃଷ୍ଟି ଉତ୍ପାଦକ ଗୋଷ୍ଠୀ ପକ୍ଷରୁ ମସଲା ପ୍ରସ୍ତୁତ କରାଯାଉଛି। ଏହି ଉତ୍ପାଦଗୁଡ଼ିକୁ ଓରମାସ ସିଇଓ ଦେଖିଥିଲେ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

nis-ad
Leave A Reply

Your email address will not be published.