ଭିଜିଲାନ୍ସ ହାତରେ ପଡ଼ିଲେ ଏଆର୍‌ଆଇ…

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର (ଏଆର୍‌ଆଇ)। ତାଙ୍କ ନାଁ ଜଗଦୀଶ ବେହେରା। ସେ ନବରଙ୍ଗପୁର ଜିଲ୍ଲା ନବରଙ୍ଗପୁର ତହସିଲ ଅନ୍ତର୍ଗତ ସାନମସିଗାଁ ରାଜସ୍ୱ ନିରୀକ୍ଷକ (ଆର୍‌ଆଇ) କାର୍ଯ୍ୟାଳୟରେ ନିଯୁକ୍ତ ଅଛନ୍ତି।

ସାନମସିଗାଁର ବୈଜୟନ୍ତୀ ଭତରା ତାଙ୍କ ମାଆ କମଳା ଭତରାଙ୍କ ମୃତ୍ୟୁ ପରେ ୩ ମାସ ହେବ ଉତ୍ତରାଧିକାରୀ ପ୍ରମାଣପତ୍ର ପାଇଁ ନବରଙ୍ଗପୁର ତହସିଲ ଅଫିସ୍‌ରେ ଆବେଦନ କରିଥିଲେ। ଏହାର ତଦନ୍ତ କରିବାକୁ ସାନମସିଗାଁ ଆରଆଇ ଅଫିସକୁ ଚିଠି କରାଯାଇଥିଲା। ଜଗଦୀଶ ବେହେରା ସେଠାରେ ଆରଆଇ ଦାୟିତ୍ୱରେ ଥିବାରୁ ବୈଜୟନ୍ତୀଙ୍କ ସପକ୍ଷରେ ତହସିଲଦାରଙ୍କୁ ରିପୋର୍ଟ ଦେବାକୁ ସେ ୫ ହଜାର ଟଙ୍କା ଓ ୨ କିଲୋ ଦେଶୀ କୁକୁଡ଼ା ମାଂସ ମାଗି ଥିଲେ। ଟଙ୍କା ନ ଦେଲେ କାମ ହେବନି ବୋଲି ବୈଜୟନ୍ତୀଙ୍କୁ କହିଥିଲେ ଜଗଦୀଶ। ଏହା ପରେ ଏ ସଂପର୍କରେ ନବରଙ୍ଗପୁର ଭିଜିଲାନ୍ସକୁ ଜଣାଇଥିଲେ ବୈଜୟନ୍ତୀ।

ଯୋଜନା ମୁତାବକ ଆଜି ଜଗଦୀଶଙ୍କୁ ୫ ହଜାର ଟଙ୍କା ଦେଇଥିଲେ ବୈଜୟନ୍ତୀ। ଏହି ସମୟରେ ଭିଜିଲାନ୍ସ ଅଧିକାରୀମାନେ ଜଗଦୀଶଙ୍କୁ ଧରି ପକାଇଥିଲେ। ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି।

ଜଗଦୀଶଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ପରେ ତାଙ୍କର ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଭିଜିଲାନ୍ସ ପକ୍ଷରୁ ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି।

nis-ad
Leave A Reply

Your email address will not be published.