ରତ୍ନଭଣ୍ଡାର, ଜଗମୋହନ ଓ ସୂର୍ଯ୍ୟ ମନ୍ଦିର ମରାମତି ନେଇ ଉଭୟ ପକ୍ଷଙ୍କ ମତ ଶୁଣିଲେ ହାଇକୋର୍ଟ…

କଟକ: ଶ୍ରୀମନ୍ଦିର ରତ୍ନଭଣ୍ଡାର, ଜଗମୋହନ ମରାମତି ଓ କୋଣାର୍କ ମନ୍ଦିର ମରାମତି ନେଇ ହାଇକୋର୍ଟରେ ଶୁଣାଣି ହୋଇଛି। ଉଭୟ ପକ୍ଷ ନିଜର ମତ ରଖିଛନ୍ତି। ରତ୍ନଭଣ୍ଡାର ସମ୍ପର୍କରେ ପୁଣି ଥରେ ସମୟ ନେଲା ଶ୍ରୀ ମନ୍ଦିର ପ୍ରଶାସନ। ପରବର୍ତ୍ତୀ ଶୁଣାଣି ସମୟରେ ରତ୍ନଭଣ୍ଡାର ସମ୍ପର୍କରେ ସତ୍ୟପାଠ ଦାଖଲ ପାଇଁ କୋର୍ଟଙ୍କୁ ଅବଗତ କଲା ଶ୍ରୀମନ୍ଦିର ପ୍ରଶାସନ। ଅନ୍ୟପକ୍ଷରେ ପୁରୀ ଓ କୋଣାର୍କ ପାଇଁ ସ୍ଵତନ୍ତ୍ର ASI କାର୍ଯ୍ୟାଳୟ ଖୋଲାଯିବା ନେଇ  କୋର୍ଟଙ୍କୁ ଅବଗତ କଲେ ସରକାର। ଆସନ୍ତା ମାର୍ଚ୍ଚ ୧୬ ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହ ଉପରିଭାଗରୁ ପଥର ଖସୁଥିବା ଦେଖି ଇଂରେଜ ସରକାର ୧୯୦୩ ମସିହାରେ ଗର୍ଭଗୃହରେ ବାଲି ଭର୍ତ୍ତି କରି ସମସ୍ତ ଦ୍ୱାର ବନ୍ଦ କରିଦେଇଥିଲେ। ତେବେ ମନ୍ଦିର ଗର୍ଭଗୃହ ସୁରକ୍ଷା ପାଇଁ ୨୦୧୧ ମସିହାରେ କୋଣାର୍କରେ ଆୟୋଜିତ ଏକ କର୍ମଶାଳାରେ ଅନ୍ତର୍ଜାତୀୟ ସ୍ତରର ସ୍ଥପତି, ଇଞ୍ଜିନିୟର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ପରାମର୍ଶ ଦେଇଥିଲେ। ବହୁ ତର୍ଜମା ପରେ ସୂର୍ଯ୍ୟମନ୍ଦିରରୁ ବାଲି କାଢ଼ିବା ପାଇଁ ନିଷ୍ପତ୍ତି ହୋଇଥିଲା।

ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଆଇରନ ଷ୍ଟ୍ରକ୍ଚର କାର୍ଯ୍ୟ ଆରମ୍ଭ ହୋଇଛି। ASIର ନିଷ୍ପତ୍ତି କ୍ରମେ ଗର୍ଭଗୃହରୁ ବାଲି କାଢ଼ିବା କାର୍ଯ୍ୟ ଆରମ୍ଭ ହୋଇଛି। ଘରୋଇ କମ୍ପାନୀ ବିଡ଼ିଆର ନିର୍ମାଣ ସଂସ୍ଥା ଦ୍ୱାରା ମେକାନିକାଲ ଓ୍ୱାର୍କିଂ ପ୍ଲାଟଫର୍ମ ନିର୍ମାଣ ପାଇଁ ଏଏସଆଇ ପକ୍ଷରୁ ଗତ ସେପ୍ଟେମ୍ବରରେ ଭୂମିପୂଜା କରାଯିବା ପରେ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ କରାଯାଇଥିଲା।

nis-ad
Leave A Reply

Your email address will not be published.