୨୪ଜଣ ଶିକ୍ଷକଙ୍କୁ ଚାକିରିରୁ ବହିସ୍କାର କଲେ ଜିଲାପାଳ…

ନବରଙ୍ଗପୁର: ନବରଙ୍ଗପୁର ଜିଲାରେ  ବେନିୟମ ଭାବେ ବର୍ଷବର୍ଷ ଧରି ଅନୁପସ୍ଥିତ ରହୁଥିବା  ୨୪ଜଣ ଶିକ୍ଷକଙ୍କୁ  ଜିଲାପାଳ  ଡକ୍ଟର କମଳ ଲୋଚନ ମିଶ୍ର ଚାକିରିରୁ ବହିସ୍କାର  କରିଛନ୍ତି । ଚଳିତ ବର୍ଷ ନଭେମ୍ବର ଓ ଡିସେମ୍ବର ମାସରେ ଲମ୍ବା ଛୁଟିରେ ଥିବା ଶିକ୍ଷକଙ୍କ ତାଲିକା ସଂପର୍କରେ ରାଜ୍ୟ ଗଣଶିକ୍ଷା ବିଭାଗକୁ ଜିଲା ଶିକ୍ଷା ଅଧିକାରୀ ବିଭ୍ରାନ୍ତ କର ତାଲିକା ପ୍ରଦାନ କରିଥିଲେ । ଯାହାକି ତାଳମେଳ ଖାଉନଥିଲା । ତେବେ ଗଣଶିକ୍ଷା ବିଭାଗ ଚିଠି ନମ୍ବର- ୨୧୯୬୩/୨୦୧୮ ଅକ୍ଟୋବର ୩ ତାରିଖ ଓ ୨୦୧୯ ଜାନୁୟାରୀ ୫ ତାରିଖ ଚିଠି ନମ୍ବର- ୪୪୪ ଅନୁଯାୟୀ ପୁନର୍ବାର ଜିଲା ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଜିଲାର ୧୦ ଗୋଟି ବ୍ଲକ ଶିକ୍ଷା ଅଧିକାରୀଙ୍କୁ ୨୦୨୨ ଜୁଲାଇ ୨୦ ତାରିଖ ଦିନ ଚିଠି ନମ୍ବର ଅନୁଯାୟୀ ବେନିୟମ ଭାବେ ଲମ୍ବା ଛୁଟିରେ ଥିବା ଶିକ୍ଷକଙ୍କ ତାଲିକା ମଗାଯାଇଥିଲା ।

ବ୍ଲକ ଶିକ୍ଷା ଅଧିକାରୀ ମାନେ ଜିଲାରେ ୩୧ ଜଣ  ଗଣଶିକ୍ଷକ, ଠିକା ଭିତ୍ତିକ କନିଷ୍ଠ ଶିକ୍ଷକ ଓ କନିଷ୍ଠ ଶିକ୍ଷକ ୨୦୧୦ରୁ ୨୦୨୨ ମଧ୍ୟରେ ଲମ୍ବା ଛୁଟିରେ ଥିବା ଦର୍ଶାଇଥିଲେ ।  ସେଥିମଧ୍ୟରୁ ଚନ୍ଦାହାଣ୍ଡି ବ୍ଲକର ଜଣେ, ଡାବୁଗାଁ ବ୍ଲକରୁ ୨ ଜଣ, ଝରିଗାଁ ବ୍ଲକର ୩ ଜଣ, କୋଷାଗୁମୁଡା ବ୍ଲକର ୭ ଜଣ, ନବରଙ୍ଗପୁର ବ୍ଲକର ୨ ଜଣ, ନନ୍ଦାହାଣ୍ଡି ବ୍ଲକର ୨ ଜଣ, ପାପଡାହାଣ୍ଡି ବ୍ଲକର ୫ ଜଣ, ରାଇଘର ବ୍ଲକର ୭ ଜଣ ତେନ୍ତୁଳିଖୁଣ୍ଟି ବ୍ଲକର ଜଣେ ଓ ଉମରକୋଟ ବ୍ଲକର ଜଣେ ଶିକ୍ଷକ ଲମ୍ବାଛୁଟିରେ ଥିବା ଦର୍ଶାଇଥିଲେ ।  ଏହାକୁ ନେଇ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ୨ ଡିସେମ୍ବର ୨୦୨୨ରେ ସମ୍ପୃକ୍ତ ଶିକ୍ଷକ ମାନଙ୍କୁ ୭ ଦିନ ମଧ୍ୟରେ କ’ଣ ପାଇଁ ଛୁଟିରେ ରହିଛନ୍ତି ସେନେଇ ଉତ୍ତର ମାଗିଥିଲେ । ୬ ଜଣ ଶିକ୍ଷକ ଉତ୍ତର ଦେଇଥିଲେ । ସେମାନେ ହେଲେ ଠିକାଭିତ୍ତିକ କନିଷ୍ଠ ଶିକ୍ଷକ ଝରିଗାଁ ବ୍ଲକର ମିତାଲି ସାହୁ ଓ  ରଜତ କୁମାର ଜେନା ।

ନବରଙ୍ଗପୁର ବ୍ଲକର ଗଣଶିକ୍ଷକ ଉମେଶ କଚ୍ଛପ, ମଙ୍ଗଳଦାଶ ଭତରା, ଡାବୁଗାଁ ବ୍ଲକର ଧନସିଂ ଭତରା ଓ କୋଷାଗୁମୁଡା ବ୍ଲକର ରଂଜନ କୁମାର କାଣ୍ଡି  । ଅନ୍ୟପକ୍ଷରେ କୋଷାଗୁମୁଡା ବ୍ଲକର ଶିକ୍ଷକ ଅମିୟ କୁମାର ଦାଶ ୨୦୨୨ ଅଗଷ୍ଟ ୮ ତାରିଖ ଦିନ ଚିକିରି ଛାଡିଦେଇଥିବା ଜଣାପଡିଛି । ତେବେ ଅନ୍ୟ ୨୪  ଜଣ ୧୫ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ଉତ୍ତର ରଖିନଥିଲେ ।  ଏନେଇ ଜିଲାପାଳ ତଥା ନିଯୁକ୍ତିଦାତା ୨୦୨୨ ଡିସେମ୍ବର ୨୭ ତାରିଖ ଦିନ ୨୪ ଜଣ   ଗଣ ଶିକ୍ଷକ,  ଠିକା ଭିତ୍ତିକ କନିଷ୍ଠ ଶିକ୍ଷକ ଓ କନିଷ୍ଠ ଶିକ୍ଷକଙ୍କୁ ଚାକରିରୁ ବହିସ୍କୃତ କରିଛନ୍ତି ।  ବ୍ଲକ ଶିକ୍ଷା ଅଧିକାରୀ ମାନଙ୍କୁ ବହିସ୍କୃତ ନୋଟିସ ସଂପୃକ୍ତ ଶିକ୍ଷକମାନଙ୍କୁ ପ୍ରେରଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ କେତେକ ଶିକ୍ଷକ ଲମ୍ବା ଛୁଟିରେ ତ ଆଉ କେଉଁଠି ନକଲି ସାର୍ଟିଫିକେଟ ଦେଇ ଚାକିରି  କରୁଥିବା  ଯାଞ୍ଚ ପରେ ଧରା ପଡିଲେ ପରବର୍ତ୍ତୀ ସମୟରେ ଚାକିରିରୁ ବହିସ୍କୃତ ହୋଇଛନ୍ତି ।  ବହିସ୍କୃତ ପୂର୍ବରୁ ନକଲି ଶିକ୍ଷକଙ୍କୁ ଆଗୁଆ ଚାକରି ଛାଡିବା  କେତେକଙ୍କର ବିରୋଧରେ ଥାନାରେ ଏତଲା ଦେବା ଭଳି ଘଟଣା ମଧ୍ୟ ନଜିର ରହିଛି ଏହି ଜିଲାରେ ।  ଏଭଳି ସ୍ଥଳେ ଗତ ୨୭ ତାରିଖ ଦିନ ଜିଲାପାଳ ଜିଲାର ୨୪ ଜଣ ଶିକ୍ଷକଙ୍କୁ ବହିସ୍କୃତ କରିଛନ୍ତି । ଏ ସଂପର୍କରେ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।

nis-ad
Leave A Reply

Your email address will not be published.