ଚୀନରେ କୋଭିଡ ଦିନକୁ ନେଉଛି ୯ ହଜାର ଜୀବନ…

ନୂଆଦିଲ୍ଲୀ : ଚୀନରେ କୋଭିଡ ମହାବିପର୍ଯ୍ୟୟ ଆଡକୁ ଗତି କରୁଛି। ଗୋଟିଏ ସପ୍ତାହରେ ଦିଗୁଣ ହୋଇଛି ଦୈନିକ ମୃତ୍ୟୁ ସଂଖ୍ୟା । ଗତ ସପ୍ତାହରେ ଦିନକୁ ୫ ହଜାର ଜୀବନ ନେଉଥିଲା ମହାମାରୀ । ଏବେ ଦିନକୁ ୯ ହଜାର ଜୀବନ ନେଉଛି। ଆଗକୁ ଆହୁରି ଭୟଙ୍କର ହେବ ସ୍ଥିତି। ଦିନକୁ ୨୫ ହଜାର ଜୀବନ ଯିବ । ଏମିତି ଆକଳନ କରିଛନ୍ତି ବ୍ରିଟେନ୍‌ ବୈଜ୍ଞାନିକ। ବ୍ରିଟେନ୍ର ସ୍ୱାସ୍ଥ୍ୟ ସଂପର୍କିତ ଏକ ଗବେଷଣାତ୍ମକ ସଂସ୍ଥା ଏୟାରଫିନିଟି କହିଛି, ଜାନୁଆରୀ ୨୩ରୁ ପ୍ରତିଦିନ ୨୫ ହଜାର କୋଭିଡ ମୃତ୍ୟୁ ଦେଖିବ ଚୀନ ।

ସେତେବେଳକୁ ଚୀନର ମୋଟ କୋଭିଡ୍‌ ମୃତ୍ୟୁ ସଂଖ୍ୟା ୫ଲକ୍ଷ ୮୪ହଜାର ହୋଇଥିବ। କିନ୍ତୁ କେବଳ ଡିସେମ୍ବରରେ ୧ଲକ୍ଷ ଲୋକଙ୍କ ମୃତ୍ୟୁ ହେଲାଣି। ସଂକ୍ରମିତ ହେଲେଣି ୨ କୋଟି। ଏବେ ଯେଉଁ ଲହର ଚାଲିଛି, ଜାନୁଆରୀ ୧୩ରେ ତାହା ପିକ୍‌ରେ ପହଞ୍ଚିବ। ସେତେବେଳକୁ ଦୈନିକ ୩କୋଟି ୭୦ ଲକ୍ଷ ଲୋକ ସଂକ୍ରମିତ ହେଉଥିବେ।

ନଭେମ୍ବରରୁ ଆରମ୍ଭ ହୋଇଥିଲା ଏହି ଲହର। ସଂକ୍ରମଣ ଧୀରେ ଧୀରେ ବଢ଼ିବା ପରେ ବିଭିନ୍ନ ସହରରେ ଲକଡାଉନ୍‌, ସଟ୍‌ଡାଉନ୍‌ କଲେ ଜିନପିଙ୍ଗ ସରକାର। ଏହା ବିରୋଧରେ ରାସ୍ତାକୁ ଓହ୍ଲାଇଲେ ହଜାର ଲୋକ । ମୁକ୍ତ ଜୀବନ ଦାବି କରି ଜିନପିଙ୍ଗଙ୍କ ବିରୋଧରେ ନାରାବାଜି କଲେ। ଲୋକଙ୍କ ପ୍ରତିବାଦ ପାଖରେ ମୁଣ୍ଡ ନଇଁଲେ ସରକାର। ଡିସେମ୍ବର ପ୍ରଥମ ସପ୍ତାହରେ ହଟିଲା ଜିରୋ କୋଭିଡ ପଲିସି। ଏହା ପରଠାରୁ ଚୀନ୍‌ରୁ ଆସୁଛି ବିକଳ ଚିତ୍ର।

ସରକାରଙ୍କ ୟୁ-ଟର୍ଣ୍ଣ ପରେ ବ୍ରେକ୍‌ ଫେଲ ହେଲା ସଂକ୍ରମଣ। ମୃତ୍ୟୁର ତାଣ୍ଡବ କଲା ମହାମାରୀ । ଦିନକୁ ହଜାର ହଜାର ଲୋକଙ୍କ ଜୀବନ ଗଲା। ରୋଗୀଙ୍କୁ ମିଳିଲାନି ବେଡ୍। ଆମ୍ବୁଲାନ୍ସ ଫେରି ଆସିଲା। ଶ୍ମଶାନରେ ବି ଲମ୍ବା ଧାଡ଼ି। ଚୀନରେ ଏହି ବିକଳତା ବଢ଼ିବଢ଼ି ଚାଲିଛି।

ଚୀନର ସତ ସାମ୍ନାକୁ ଆଣୁଛି ସୋସିଆଲ ମିଡିଆ। କିନ୍ତୁ ସତ ଲୁଚାଇବାକୁ ଭରପୁର ଉଦ୍ୟମ ଚଳାଇଛି ଡ୍ରାଗନ । ଡିସେମ୍ବର ୭ରୁ ଏପର୍ଯ୍ୟନ୍ତ ମାତ୍ର ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ ଦର୍ଶାଇଛି । ତଥ୍ୟ ଲୁଚାଇବା ପୂରା ବିଶ୍ୱ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ । ଏହାକୁ ନେଇ ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ।

ପ୍ରକୃତ ତଥ୍ୟ ଦେବାକୁ ଚୀନକୁ ନିବେଦନ କରିଛନ୍ତି WHO ମୁଖ୍ୟ ଟେଡ୍ରସ ଆଧାନୋମ ଘେବ୍ରିୟେସସ୍। ସେ କହିଛନ୍ତି ଚୀନ୍‌ରୁ ପ୍ରକୃତ ତଥ୍ୟ ଆସୁନଥିବାରୁ ପ୍ରତି ଦେଶ ନିଜ ନାଗରିକଙ୍କ ଜୀବନ ରକ୍ଷା ପାଇଁ ନିଜ ନିଜର ଧାରଣାକୁ ନେଇ କାମ କରୁଛନ୍ତି। ଚୀନ୍‌ ପ୍ରକୃତ ତଥ୍ୟ ଦେଲେ ସଂକ୍ରମଣ ରୋକିବାକୁ ସବୁ ସହଯୋଗ କରାଯିବ ବୋଲି କହିଛନ୍ତି ଡବ୍ଲୁଏଚଓ ମୁଖ୍ୟ।

nis-ad
Leave A Reply

Your email address will not be published.