କଙ୍ଗାରୁ କୋର୍ଟ: ରାଜନୀତିକ ଶତ୍ରୁତାରୁ ରାଉତ ପରିବାରକୁ ନିଆଁ ପାଣି ବାସନ୍ଦ…

ବଲାଙ୍ଗୀର: ଆଧୁନିକ ସମାଜରେ ମଧ୍ୟଯୁଗ ପରମ୍ପରାର ତାଉ। ହାଇଟେକ ଯୁଗରେ ଡିଙ୍ଗୁରା ବଜାଇ ଦଣ୍ଡ।  କୋର୍ଟ କି ପୁଲିସ ନୁହେଁ, ଗାଁର କଙ୍ଗାରୁ କୋର୍ଟରେ ମିଳିଛି ଦଣ୍ଡ। ସାମାନ୍ୟ ବଚସାରୁ ସାମାଜିକ ବାସନ୍ଦ ଭଳି ଦଣ୍ଡ ପାଇଛନ୍ତି ଗାଁର ଗୋଟିଏ ପରିବାର। ବିନା କୌଣସି ଆଇନଗତ ଉପାୟ ଅବଲମ୍ବନ ନ କରି ବଲାଙ୍ଗୀର ସଦରଥାନା ମିର୍ଦ୍ଧାପାଲି ଗାଁର ସରୋଜ ରାଉତଙ୍କ ପରବାରକୁ ନିଆଁ ପାଣି ବାସନ୍ଦ କରାଯାଇଛି। ମିର୍ଦ୍ଧାପାଲି ସରପଞ୍ଚ ପିଙ୍କୁ ପଟେଲ ରାଜନୀତିକ ଆକ୍ରୋଶ ରଖି ସରୋଜଙ୍କ ପରିବାରକୁ ଏପରି ଦଣ୍ଡ ଦେଇଥିବା ଅଭିଯୋଗ ହୋଇଛି।

ଏବେ ସରୋଜଙ୍କ ପରିବାର ଭୟଭୀତ ଅବସ୍ଥାରେ ଥିବାବେଳେ ଧାନଖଳାରେ ଜୀବନ କାଟୁଛନ୍ତି। କଙ୍ଗାରୁ କୋର୍ଟରେ ନିର୍ଦ୍ଦେଶ ଦିଆଯାଇଛି ଯେ ରାଉତ ପରିବାର ସହ ଗାଁର କୌଣସି ଲୋକ କଥାବାର୍ତ୍ତା କରିବେ ନାହିଁ। ଗାଁ ଦୋକାନରୁ ସେମାନେ ଜିନିଷ କିଣି ପାରିବେ ନାହିଁ। ଯଦି କେହି ଏହି ନିର୍ଦ୍ଦେଶକୁ ବେଖାତିର କରିବେ, ତେବେ ଗାଁ କମିଟି ନିଷ୍ପତ୍ତି ଅନୁଯାୟୀ ତାଙ୍କୁ ୫ ହଜାର ଏକ ଟଙ୍କା ଜୋରିମାନା ଦେବାକୁ ପଡ଼ିବ। କଙ୍ଗାରୁ କୋର୍ଟର ଏହି ରାୟକୁ ଗାଁର ଚୌକିଦାର ସମସ୍ତଙ୍କୁ ବୁଲିବୁଲି ଜଣାଇ ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରଠାରୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ସରପଞ୍ଚ ପିଙ୍କୁ ପଟେଲଙ୍କ ବିରୋଧୀ ଗୋଷ୍ଠୀରେ ରାଉତ ପରିବାର ରହିଥିଲେ। ଏଥିପାଇଁ ସେମାନଙ୍କୁ ପାନେ ଦେବାକୁ ସରପଞ୍ଚ ସୁଯୋଗ ଅପେକ୍ଷା ରହିଥିଲେ। ଗତ ୨୭ ତାରିଖ ମିର୍ଦ୍ଧାପାଲି ଗାଁରେ ଆୟୋଜିତ ହୋଇଥିଲା ଶୁଲିଆ ଯାତ୍ରା। ଭିଡ ଯୋଗୁ ସାଇକଲେ ଓ ମୋଟର ସାଇକେଲ ଷ୍ଟାଣ୍ଡ କରାଯାଇଥିଲା। ଗାଁ କମିଟି ନିଷ୍ପତ୍ତି କ୍ରମେ ଗାଁର ମହାକାଲ କ୍ଳବ ଷ୍ଟାଣ୍ଡରୁ ନିର୍ଦ୍ଦିଷ୍ଟ ଫି ଆଦାୟ କରୁଥିଲେ। ତେବେ ସାଇକେଲ ଷ୍ଟାଣ୍ଡରୁ ଆଦାୟ ଟଙ୍କାକୁ ନେଇ ଅଭିଯୋଗ ଆଣିଥିଲେ ସରୋଜ ରାଉତ।  ଏଥିପାଇଁ ସେଠାରେ କ୍ଲବ ସଦସ୍ୟ ଓ ସରୋଜଙ୍କ ମଧ୍ୟରେ ପାଟିତୁଣ୍ତ ହୋଇଥିଲା। ସେହିପରି ଘଟଣାକୁ ନେଇ ଗତକାଲି ପୋଖରୀ ତୁଠରେ ରାଉତ ପରିବାର ଓ କ୍ଳବ ପିଲାଙ୍କ ଭିତରେ ପୁଣିଥରେ ବଚସା ହୋଇଥିଲା। ତା’ପରେ ରାତିରେ ବସିଥିଲା କଙ୍ଗାରୁ କୋର୍ଟ। ଏଠାକୁ ରାଉତ ପରିବାରକୁ ଡକାଯାଇଥିଲା।  ଭୁଲ ମାଗିବାକୁ ନିର୍ଦେଶ ଦିଆଯାଇଥିଲା। କିନ୍ତୁ ଦୋଷ ସ୍ୱୀକାର କରି ରାଉତ ପରିବାର ଭୁଲ ନ ମାଗିବାରୁ ସେମାନଙ୍କୁ ସାମାଜିକ ବାସନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଥିଲା।

ନିଷ୍ପତ୍ତି ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବାକୁ ଗାଁର ଚୌକିଦାର ବଳରାମ ଜାଲ୍‌ଙ୍କୁ ଦାୟିତ୍ୱ ଦିଆଯାଇଥିଲା। ସେ ଗାଁ ଦାଣ୍ଡରେ ବୁଲିବୁଲି ରାଉତ ପରିବାର ସହ ସମସ୍ତ ପ୍ରକାରର ସମ୍ପର୍କଚ୍ଛିନ୍ନ କରିବାକୁ ଘୋଷଣା କରିଥିଲେ। ଯଦି କେହି ନିୟମ ମାନିବେ ନାହିଁ, ତେବେ ତାଙ୍କ ଉପରେ ୫ ହଜାର ଟଙ୍କାର ଜୋରିମାନା ଲାଗିବ। ରାଉତ ପରିବାର ସହ କଥା ହେଉଥିବାର ସୂଚନା ଦେଉଥିବା ଲୋକଙ୍କୁ ମଧ୍ୟ ଆଦାୟ ହେବାକୁ ଥିବା ଫାଇନାରୁ ପୁରସ୍କାର ବାବଦରେ ୧ ହଜାର ଟଙ୍କା ମଧ୍ୟ ଦିଆଯିବ ବୋଲି କଙ୍ଗାରୁ କୋର୍ଟରେ ନିଷ୍ପତ୍ତି ହୋଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏକବିଂଶ ଶତାବ୍ଦୀରେ ମଧ୍ୟଯୁଗୀୟ ଦଣ୍ଡ ଦିଆଯାଇଥିଲେ ମଧ୍ୟ ଅଧକିମି ଦୂରରେ ଥିବା ଫାଣ୍ଡି ପାଖରେ ଏନେଇ କୌଣସି ସୂଚନା ନାହିଁ। ଏପରିକି କଙ୍ଗାରୁ କୋର୍ଟର ରାୟ ପରେ ରାଉତ ପରିବାର ରାତି ଅଧରେ ଘର ଛାଡ଼ିଛନ୍ତି। ରାଉତ ପରିବାର ଲୋକଙ୍କ ଘରେ ତାଲା ପଡ଼ିଛି। ସାମାଜିକ ବାସନ୍ଦ ଯୋଗୁ ସେମାନେ ନିଜ ଘର ଛାଡି ଖଳାରେ ଆଶ୍ରୟ ନେଇଛନ୍ତି। ରାଉତ ପରିବାର ବିରୋଧରେ ପୂରା ଗାଁ ଏକାଠି ହୋଇ ବାସନ୍ଦ କରିଥିବାରୁ ସେମାନେ ପୁଲିସ ପାଖରେ ଅଭିଯୋଗ କରିବା ପାଇଁ ବି ସାହାସ ଜୁଟାଇ ପାରୁନାହାନ୍ତି। ଭୟ ସହ ଶୀତ କାକରରେ ଛୋଟ ଛୋଟ ଛୁଆଙ୍କ ସହିତ ପୂରା ପରିବାର ଖଳାରେ ପଡ଼ି ରହିଛନ୍ତି। ତେବେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଫାଣ୍ଡି ପକ୍ଷରୁ ରାଉତ ପରିବାରକୁ ଡକା ଯାଇ ଘଟଣା ବିଷୟରେ ଆଲୋଚନା କରାଯାଉଛି।

nis-ad
Leave A Reply

Your email address will not be published.