ଜାନୁୟାରୀ ୧୫ ପରେ ସ୍ଥିତି ଜଟିଳ ହୋଇପାରେ

ନୂଆଦିଲ୍ଲୀ: ପୁଣି କାୟା ମେଲାଉଛି କାରୋନା। ଆସନ୍ତା ଜାନୁୟାରୀ ୧୫ ପରେ ଦେଶରେ କରୋନା ସଂକ୍ରମଣ ବଢ଼ିପାରେ। ଜଟିଳ ହୋଇପାରେ ପରିସ୍ଥିତି। ତେଣୁ ଆଗାମୀ ୪୦ ଦିନ ଗୁରୁତ୍ୱପୂର୍ଣ୍ଣ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ ମଙ୍ଗଳବାର ତୁଳନାରେ ବୁଧବାର ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି।
ଏଥି ସହିତ ଗତ ୪ ଦିନ ମଧ୍ୟରେ ୪୧ ବିଦେଶ ଫେରନ୍ତାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଡିସେମ୍ବର ୨୪ ରୁ ୪୯୮ ଟି ଅନ୍ତର୍ଜାତୀୟ ବିମାନ ଚଳାଚଳର ଯାଞ୍ଚ୍‌ କରାଯାଇଛି। ଏହି ସମୟ ମଧ୍ୟରେ କରୋନା ପଜିଟିଭ ମିଳି ଥିବା ଯାତ୍ରୀଙ୍କ ସମସ୍ତ ନମୁନା ଜିନୋମ କ୍ରମ ପାଇଁ ପଠାଯାଇଛି। ସେହିପରି ଚାଇନା ସମେତ ଅନ୍ୟ କିଛି ଦେଶରେ କରୋନାର ମାମଲା ଲଗାତାର ବୃଦ୍ଧି ପାଉଥିବା ଦେଖାଯାଉଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ମଧ୍ୟ ଏହାକୁ ନେଇ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାସହ ଦେଶର ସମସ୍ତ ବିମାନବନ୍ଦରରେ ବିଦେଶ ଫେରନ୍ତା ଯାତ୍ରୀଙ୍କର ରାପିଡ ଟେଷ୍ଟିଙ୍ଗ୍‌‌ ମଧ୍ୟ ଆରମ୍ଭ କରିଛନ୍ତି।
ଏଥିରେ କରୋନା ପଜିଟିଭ୍‌‌ ମଧ୍ୟ ଚିହ୍ନଟ ହୋଇଛନ୍ତି।
ଚେନ୍ନାଇ ବିମାନ ବନ୍ଦରରେ ବୁଧବାର ଦୁଇ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହି ଯାତ୍ରୀ ଦୁବାଇରୁ ଏଠାକୁ ଆସିଛନ୍ତି। ସେମାନେ ଅଲନଗୁଡୀ ଜିଲାର ବାସିନ୍ଦା। ତାମିଲନାଡୁର ସ୍ୱାସ୍ଥ୍ୟ ବିଭାଗ କହିବାନୁଯାୟୀ, ସର୍ବ ସାଧାରଣ ସ୍ୱାସ୍ଥ୍ୟ ଲାବ୍ରୋଟେରୀରେ ନମୁନା ପରୀକ୍ଷା କରିବା ପାଇଁ ପଠାଯାଇଛି।
ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨୪ ଠାରୁ ଏପର୍ଯ୍ୟନ୍ତ ୪୯୮ ଅନ୍ତଃରାଷ୍ଟ୍ରୀୟ ଯାତ୍ରୀଙ୍କର ନମୁନା ପରୀକ୍ଷା କରାଯାଇଛି। ଏହାସହ ୧,୭୮୦ ନମୁନା ଏକାଠି କରାଯାଇଛି। ଏହା ମଧ୍ୟରୁ ୪୧ ଯାତ୍ରୀଙ୍କର ନମୁନା ପଜିଟିଭ୍‌‌ ମିଳିଛି। ବର୍ତ୍ତମାନ ଏସମସ୍ତ ନମୁନାକୁ ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି। ଏହାସହ ଟିକାକରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।
ସେହିପରି ଗତକାଲି କର୍ଣ୍ଣାଟକର ବେଙ୍ଗାଲୁରୁରେ କେମ୍ପେଗୋଡା ବିମାନବନ୍ଦରରେ ଚାରି ଜଣ ବିଦେଶୀ ଯାତ୍ରୀ କରୋନା ପଜିଟିଭ୍‌‌ ଚିହ୍ନଟ ହୋଇଛନ୍ତି। ଯାତ୍ରୀଙ୍କ ରିପୋର୍ଟ ପଜିଟିଭ୍‌‌ ଆସିବ ପରେ ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଛି।
ଏହାପୂର୍ବରୁ ବିହାର ବୋଧଗୟାରେ ୫ ଶ୍ରଦ୍ଧାଳୁଙ୍କର ରିପୋର୍ଟ କରୋନା ପଜିଟିଭ ମିଳିଥିଲା। ବିମାନବନ୍ଦରରେ ୩୩ ବିଦେଶୀଙ୍କର ନମୁନା ପରୀକ୍ଷା କରାଯାଇଥିଲା। ଏମାନଙ୍କ ମଧ୍ୟରେ ୫ ଜଣ ପଜିଟିଭ ଚିହ୍ନଟ ହୋଇ ଥିଲେ। ୨୮ ଜଣଙ୍କର ରିପୋର୍ଟ ନେଗେଟିଭ ଆସିଥିଲା।
ସାରା ଦେଶରେ ସମସ୍ତ ହସ୍ପିଟାଲରେ କରୋନା ସହ ଲଢେଇ ତଥା ସୁରକ୍ଷିତ ରଖିବା ପାଇଁ ମଙ୍ଗଳବାର ଠାରୁ ମକଡ୍ରିଲ୍‌‌ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ସାରା ଦେଶରେ ବିଭିନ୍ନ ହସ୍ପିଟାଲରେ ମକଡ୍ରିଲ୍‌‌ର ଆୟୋଜନ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି ,ମକଡ୍ରିଲ୍‌‌ ଦ୍ୱାରା କେଉଁ ସ୍ତରରେ କ’ଣ ଅଭାବ ରହିଛି, ତାହାର ସୂଚନା ମିଳିପାରିବ। ପ୍ରତ୍ୟେକ ସମୟରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପଡିବ। ଏହାସହ ସେ ଦିଲ୍ଲୀର ସଫେଦରଗଞ୍ଜ ହସ୍ପିଟାଲର ପରିଦର୍ଶନ କରିଛନ୍ତି।

nis-ad
Leave A Reply

Your email address will not be published.