୨୦୨୩ରେ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ୨୦୨୩ରେ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ସହ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇପାରେ। ୨୦୨୪ରେ ଦେଶରେ ସାଧାରଣ ନିର୍ବାଚନ ଥିବାରୁ ତାପୂର୍ବରୁ ଏହି ରଜ୍ୟ ଗୁଡ଼ିକର ନିର୍ବାଚନ ବେଶ ଗୁରୁତ୍ୱପୂର୍ଣ୍ଣ। ଏହି ୯ଟି ରାଜ୍ୟର ନିର୍ବାଚନ କେନ୍ଦ୍ରରେ କ୍ଷମତାସୀନ ବିଜେପି ସହ ବାକି ଦଳ ଗୁଡ଼ିକ ପାଇଁ ବେଶ ଚ୍ୟାଲେଞ୍ଜି ହୋଇପାରେ। ଯଦି ବିଜେପି ଅଧିକାଂଶ ରାଜ୍ୟରେ ପରାଜିତ ହୁଏ ତେବେ ବିରୋଧୀଙ୍କ ପାଇଁ ଏହା ଆତ୍ମବିଶ୍ୱାସର ବୃଦ୍ଧିର କାରଣ ହୋଇପାରେ। ଫଳରେ ଯଦି ବିରୋଧୀ ସଙ୍ଗଠିତ ହୋଇ ମଳିତ ପ୍ରୟାସରେ ୨୦୨୪ ପାଇଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ମୋଦିଙ୍କ ବିରୋଧରେ ଏକ ଦୃଢ଼ ଚେହେରା ହୋଇପାରନ୍ତି। କାରଣ ଅଧିକାଂଶ ରାଜ୍ୟରେ ବିଜେପି ପରାସ୍ତ ହେଲେ ବିରୋଧୀଙ୍କ ମଧ୍ୟରେ ସମ୍ପର୍କ ଅଧିକ ମଜଭୁତ ହୋଇ ପାରେ । ସେମାନେ ପରସ୍ପରକୁ ହାତ ମିଳାଇ ବିଜେପିକୁ ଚେକ୍ ଦେବାକୁ ରଣନୀତି ପ୍ରସ୍ତୁତ କରିପାରନ୍ତି।
ଯଦି ଏହି ସବୁ ରାଜ୍ୟରେ କଂଗ୍ରେସ ଭଲ ପ୍ରଦର୍ଶନ କରେ ଏହାର ଶ୍ରେୟ ରାହୁଲ ଗାନ୍ଧିଙ୍କ ପାଖକୁ ଯାଇ ପାରେ। କାରଣ ସ ଏବେ ଭାରତ ଯୋଡ଼ୋ ଯାତ୍ରାର ନେତୃତ୍ୱ ନେଉଛନ୍ତି। ଫଳରେ ସେ ପୁଣିଥରେ ୨୦୨୪ ପାଇଁ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ଚେହେରା ଭାବେ ଦାବିଦାର ହୋଇପାରନ୍ତି। ଅନ୍ୟପଟେ ବିଜେପି ଯଦି ଭଲ ପ୍ରଦର୍ଶନ କରେ ,ଏହାର ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ଯିବ। ଆଉ ୨୦୨୪ ପାଇଁ ପୁଣି ଥରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ତାଙ୍କ ସ୍ଥାନ ପକ୍କା ହୋଇପାରେ। ଆଉ ଗୋଟିଏ ବାର୍ତ୍ତା ମଧ୍ୟ ଯିବ। ତାହା ହେଉଛି ହିନ୍ଦୁତ୍ୱ ଚେହେରା ଭାବେ ମୋଦିଙ୍କ ବିକଳ୍ପ ଅଭାବ ରହିଛି। ତଥାପି ସବୁ ରାଜ୍ୟର ରାଜନୈତିକ ସମୀକରଣ ସମାନ ନୁହେଁ । ତେଣୁ ଫଳାଫଳ କାହା ସପକ୍ଷରେ ଯିବ ତାହା କହିବା ଅନିଶ୍ଚିତ୍।
କେଉଁ କେଉଁ ରାଜ୍ୟରେ ନିର୍ବାଚନ ହେବ
ତ୍ରିପୁରା: ତ୍ରିପୁରାରରେ ଏବେ ବିଜେପି ସରକାର ଅଛି। ୨୦୧୮ରେ ହୋଇଥିବା ନିର୍ବାଚନରେ ବିଜେପି ମୋଟ ୬୦ଟିରୁ ୩୫ଟି ସିଟ ଜିତି ଏଠାରେ କ୍ଷମତାରେ ଅଛି।
ମେଘାଳୟ: ୨୦୧୮ରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ଏକ ବଡ଼ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ପାଇ ନଥିଲା। ଫଳରେ ଏଠାରେ ବିଜେପିର ମେଣ୍ଟ ସରକାର ଅଛି।
ନାଗାଲାଣ୍ଡ: ନାଗାଲାଣ୍ଡରେ ମଧ୍ୟ ଅନ୍ୟ ଦଳ ସହ ବିଜେପିର ମେଣ୍ଟ ସରକାର ରହିଛି।
କର୍ଣ୍ଣାଟକ: କର୍ଣ୍ଣାଟକରେ ମଧ୍ୟ ବିଜେପି ସରକାର ରହିଛି।
ଛତିଶଗଡ଼: ଛତିଶଗଡ଼ରେ ଭୂପେଶ ବାଘେଲଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଅଛି।
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶରେ ଏକ ନାଟକୀୟ ମୋଡ଼ରେ କଂଗ୍ରେସ ହାତରୁ କ୍ଷମତା ଅକ୍ତିଆର କରିଥିଲା ବିଜେପି। ଏଠାରେ ଶିବରାଜ ସିଂହ ଚୌହାନଙ୍କ ନେତୃତ୍ୱରେ ବିଜେପି ସରକାର ଅଛି।
ମିଜୋରାମ: ମିଜୋରାମରେ ଆଞ୍ଚଳିକ ଦଳ ଏମଏନଏଫ ସରକାର ଅଛି।
ରାଜସ୍ଥାନ: ରାଜସ୍ଥାନରେ କଂଗ୍ରେସ ବିଜେପିକୁ ପରାସ୍ତ କରି କ୍ଷମତାକୁ ଆସିଥିଲା। ଏଠାରେ ଅଶୋକ ଗେହଲଟଙ୍କ ନେତୃତ୍ୱରେ କଂଗ୍ରେସ କ୍ଷମତାରେ ଅଛି।
ତେଲେଙ୍ଗାନା: ତେଲେଙ୍ଗାନାରେ ଆଞ୍ଚଳିକ ଦଳ ଟିଆରଏସର କେ.ଚନ୍ଦ୍ର ଶେଖର ରାୱଙ୍କ ସରକାର ଅଛି।
ଜମ୍ମୁ କଶ୍ମୀର: ଏଠାରେ ୨୦୧୮ରୁ ଏଯାଏଁ ରାଷ୍ଟ୍ରପତି ଶାସନ ଜାରି ରହିଛି । ସେଇ ବର୍ଷ ଜୁନ୍‌ରେ ଜମ୍ମୁ କଶ୍ମୀରରେ ପିଡିପି-ବିଜେପି ମେଣ୍ଟ ସରକାରରୁ ବିଜେପି ଓହରିଯିବା ପରେ ସରକାର ଭାଙ୍ଗି ଯାଇଥିଲା। ୨୦୧୯ ମସିହା ଅଗଷ୍ଟ ୫ରେ ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ। ଏଯାବତ ବିଧାନସଭା ନିର୍ବାଚନ ହୋଇନି । କେବଳ ସ୍ଥାନୀୟ ନିର୍ବାଚନ ହୋଇଛି ।ଜମ୍ମୁ କାଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଥିଲା। ସେଥିରୁ ଗୋଟିଏ ହେଲା ଜମ୍ମୁ କାଶ୍ମୀର ଏବଂ ଅନ୍ୟଟି ହେଲା ଲଦାଖ।

nis-ad
Leave A Reply

Your email address will not be published.