ରାହୁଲ ଗାନ୍ଧିଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଅମିତ ଶାହଙ୍କୁ କଂଗ୍ରେସର ଚିଠି

ନୂଆଦିଲ୍ଲୀ: ଭାରତ ଯୋଡ଼ୋ ଯାତ୍ରା କରୁଥିବା ରାହୁଲ ଗାନ୍ଧିଙ୍କ ସୁରକ୍ଷାରେ ଏକାଧିକ ତ୍ରୁଟି ହୋଇଥିବା ଅଭିଯୋଗ କରିଛି କଂଗ୍ରେସ। ଆଗକୁ ଯେମିତି ଏପରି ତ୍ରୁଟି ନ ହେବ ଓ ରାହୁଲ ଗାନ୍ଧିଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଆଜି କଂଗ୍ରେସ ପକ୍ଷରୁ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପାଖକୁ ଚିଠି ଲେଖାଯାଇଛି।
କଂଗ୍ରେସର ସାଧାରଣ ସମ୍ପାଦକ କେସି ଭେନୁଗୋପାଲ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ ଦିଲ୍ଲୀକୁ ଭାରତ ଯୋଡ଼ୋ ଯାତ୍ରା ଆସିବା ପୂର୍ବରୁ ଏକାଧିକ ଥର ରାହୁଲ ଗାନ୍ଧିଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିଲା।

ଦିଲ୍ଲୀରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଦିଲ୍ଲୀ ପୁଲିସ୍‌ ଭାରତ ଯୋଡ଼ୋ ଯାତ୍ରାରେ ହେଉଥିବା ଭିଡ଼କୁ ନିୟନ୍ତ୍ରଣ କରିବାରେ ସଂପୂର୍ଣ୍ଣ ଫେଲ ମାରିଛି। ରାହୁଲ ଗାନ୍ଧି ଜେଡ୍‌+ ସୁରକ୍ଷା ପାଇଛନ୍ତି। ହେଲେ ତାଙ୍କ ୪ ପାଖରେ ଦିଲ୍ଲୀ ପୁଲିସ୍‌ ଆବଶ୍ୟକ ସୁରକ୍ଷା ବଳୟ କରିବାରେ ବିଫଳ ହୋଇଥିଲା। ସ୍ଥିତି ଏପରି ହୋଇଥିଲା ଯେ ରାହୁଲ ଗାନ୍ଧିଙ୍କ ସହ ଚାଲୁଥିବା କଂଗ୍ରେସ କର୍ମୀ ଓ ଭାରତ ଯାତ୍ରୀମାନେ ବାଧ୍ୟ ହୋଇ ଗୋଟିଏ ସୁରକ୍ଷାବଳୟ ସୃଷ୍ଟି କରିଥିଲେ। ଦିଲ୍ଲୀ ପୁଲିସ୍‌ ପ୍ରବଳ ଭିଡ଼ ସତ୍ତ୍ୱେ କେବଳ ନୀରବଦ୍ରଷ୍ଟା ସାଜିଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

କଂଗ୍ରେସ ପକ୍ଷରୁ ଆହୁରି ଅଭିଯୋଗ କରାଯାଇଛି ଯେ ଭାରତ ଯୋଡ଼ୋ ଯାତ୍ରାରେ ଭାଗ ନେଉଥିବା ଲୋକଙ୍କୁ ଗୁଇନ୍ଦା ବିଭାଗ ପଚରାଉଚରା କରୁଛି। ଭେନୁଗୋପାଲ ଆହୁରି କହିଛନ୍ତି ଯେ ”ହରିଆଣା ଗୁଇନ୍ଦା ବିଭାଗର କିଛି ଅଜଣା ଲୋକ ବେଆଇନ ଭାବେ ଭାରତ ଯୋଡ଼ୋ ଯାତ୍ରାରେ ପ୍ରବେଶ କରି ରାହୁଲ ଗାନ୍ଧିଙ୍କ ସହ ଚାଲୁଥିବା ଲୋକଙ୍କୁ ହଇରାଣ କରିଥିଲେ। ଏନେଇ ହରିଆଣାର ଗୁରୁଗ୍ରାମ ପୁଲିସ୍‌ ନିକଟରେ ଅଭିଯୋଗ କରାଯାଇଛି। ଭାରତର ବିଭିନ୍ନ ସ୍ଥାନରେ ବୁଲିବା ପାଇଁ ଦେଶବାସୀଙ୍କର ଅଧିକାରୀ ରହିଛି। ଭାରତ ଯୋଡ଼ୋ ଯାତ୍ରା ଗୋଟିଏ ପଦଯାତ୍ରା। ଶାନ୍ତି ଓ ସୌହାର୍ଦ୍ଦ୍ୟ ପାଇଁ ଏହି ଯାତ୍ରା କରାଯାଉଛି। ସରକାର ରାଜନୀତିକ ଆକ୍ରୋଶ ଏହା ମଧ୍ୟରେ ଭର୍ତ୍ତି କରନ୍ତୁ ନାହିଁ। ଏଥିସହ କଂଗ୍ରେସ ନେତାମାନଙ୍କ ସୁରକ୍ଷାକୁ ମଧ୍ୟ ନିଶ୍ଚିତ କରନ୍ତୁ।”

ଭାରତକୁ ଏକାଠି ରଖିବା ପାଇଁ ଇନ୍ଦିରା ଗାନ୍ଧି ଓ ରାଜୀବ ଗାନ୍ଧି ଦେଇଥିବା ବଳିଦାନ କଥା ମଧ୍ୟ ଦଳ କହିଛି। ଏଥିସହ ଭାରତ ଯୋଡ଼ୋ ଯାତ୍ରୀ ଓ ରାହୁଲ ଗାନ୍ଧି ଆଗକୁ ପଞ୍ଜାବ ଏବଂ ଜମ୍ମୁ-କଶ୍ମୀରରେ ପ୍ରବେଶ କରିବାକୁ ଥିବାରୁ ସେମାନଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦେବାକୁ ଦଳ ଦାବି କରିଛି। ଭେନୁଗୋପାଲ ଚିଠିରେ କହିଛନ୍ତି, “ଆଗକୁ ଭାରତ ଯୋଡ଼ୋ ଯାତ୍ରା ସମ୍ବେଦନଶୀଳ ପଞ୍ଜାବ ଓ ହରିଆଣାରେ ପ୍ରବେଶ କରିବ। ଜାନୁଆରୀ ୩ରୁ ଏହି ଯାତ୍ରାର ପରବର୍ତ୍ତୀ ପର୍ଯ୍ୟାୟ ଆରମ୍ଭ ହେବ। ତେଣୁ ମୁଁ ଆପଣଙ୍କୁ ତୁରନ୍ତ ରାହୁଲ ଗାନ୍ଧି ଓ ଅନ୍ୟ କଂଗ୍ରେସ କର୍ମୀଙ୍କ ସୁରକ୍ଷାକୁ ନିଶ୍ଚିତ କରିବାକୁ ଅନୁରୋଧ କରୁଛି।”

nis-ad
Leave A Reply

Your email address will not be published.