ଜାତୀୟ ଉପଭୋକ୍ତା ଦିବସ ପାଳିତ…

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ ବୈଠକ କକ୍ଷରେ ରାଜ୍ୟ ଉପଭୋକ୍ତା କଲ୍ୟାଣ ବିଭାଗ, ଜିଲ୍ଲା ପ୍ରଶାସନ, ଜିଲ୍ଲା ବୈଧମାପ ବିଭାଗ ଓ ଜିଲ୍ଲା ଉପଭୋକ୍ତା ଆୟୋଗ ଙ୍କ ସହଯୋଗ ରେ ଜିଲ୍ଲା ଉପଭୋକ୍ତା ପରାମର୍ଶ କେନ୍ଦ୍ର, ଓ ବେଦିକ୍ ଦ୍ବାରା ଆୟୋଜିତ ଜାତୀୟ ଉପଭୋକ୍ତା ଦିବସ ବ୍ରହ୍ମପୁର ସହରର ନିର୍ବାଚିତ ଜନପ୍ରତିନିଧି ବିଧାୟକ ବିକ୍ରମ ପଣ୍ଡା, ମେୟର ସଂଘମିତ୍ରା ଦଲାଇ, ଓ ଡେପୁଟି ମେୟର ଇ. ବିବେକ ରେଡି ତଥା ମହାନଗର ନିଗମର ସମସ୍ତ କର୍ପୋରେଟର ମାନଙ୍କ ସହ ମିଳିତ ଭାବରେ ପାଳନ ହୋଇଥିଲା । ଏହି ଅବସରରେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରସ୍ତାବିତ ଥିମ୍ ‘ଉପଭୋକ୍ତା ଆୟୋଗ ରେ ମାମଲା ଗୁଡ଼ିକର ପ୍ରଭାବଶାଳୀ ସମାଧାନ’ ବିଷୟରେ ନିର୍ବାଚିତ ଜନପ୍ରତିନିଧିଙ୍କ ସହ ପ୍ରଥମ ଥର ପାଇଁ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଉପଭୋକ୍ତା ଆୟୋଗ ର ଅଧ୍ୟକ୍ଷ ପି. ସୂରିୟା ରାଓ ସଭାପତିତ୍ବ କରିଥିଲାବେଳେ ଉପଭୋକ୍ତା ଆୟୋଗର ବରିଷ୍ଠ ସଦସ୍ୟ ସତୀଶ୍ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଓ ସମ୍ମାନୀୟ ଅତିଥି ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଲାଇ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ବିଧିବଦ୍ଧ ଭାବରେ ଉଦଘାଟନ କରିଥିଲେ ।

ବିଧାୟକ ଶ୍ରୀ ପଣ୍ଡା ଉପଭୋକ୍ତା ସୁରକ୍ଷା ବିଷୟରେ ମତପ୍ରକାଶ କରି କହିଥିଲେ ଯେତେବେଳେ କୈାଣସି ଲୋକ ଠକାମିର ଶିକାର ହେଉଛନ୍ତି ତୁରନ୍ତ ସେମାନେ ଉପଭୋକ୍ତା ଆୟୋଗ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ମାମଲା ଦାଖଲ କରିବା ଉଚିତ ଏବଂ ସମାଧାନ ପ୍ରକ୍ରିୟା ରେ ସମସ୍ତ ପ୍ରକାରର ସହଯୋଗ କରି ନିଜର ଅଧିକାର ସାବ୍ୟସ୍ତ କରିବା ଉଚିତ । ସେହିଭଳି ସମ୍ମାନୀୟ ଅତିଥି ତଥା ସମ୍ମାନୀୟା ବ୍ରହ୍ମପୁର ମହାନଗର ନିଗମର ମେୟର ସଂଘମିତ୍ରା ଦଲାଇ ପ୍ରାରମ୍ଭିକ ବକ୍ତବ୍ୟରେ ଆମେ ସଚେତନ ହେବା ଏବଂ ଆମ ଓ୍ବାର୍ଡର ନିର୍ବାଚିତ ପ୍ରତିନିଧି ହିସାବରେ ଲୋକଙ୍କୁ ସେମାନଙ୍କର ଖାଉଟି ଅଧିକାର ବିଷୟରେ ସଚେତନ କରାଇବା । ମହାନଗର ନିଗମ ର ସମସ୍ତ ଦୈନନ୍ଦିନ କାର୍ଯ୍ୟକ୍ରମ କରିବା ସହ ଉପଭୋକ୍ତା ଆଇନ ବିଷୟରେ ସଚେତନ ହୋଇପାରିଲେ ଆମେ ଆମ ଲୋକମାନଙ୍କୁ ଅସାଧୁ ବାଣିଜ୍ୟ ବ୍ୟବସାୟୀଙ୍କ ଠାରୁ ସୁରକ୍ଷା ପ୍ରଦାନ କରିବାରେ ସକ୍ଷମ ହୋଇପାରିବା । ତେଣୁ ଯେଉଁ ସମୟରେ ବ୍ୟବସାୟୀ ଖାଉଟିଙ୍କୁ ଠକୁଥାଏ ଓ ଖାଉଟି ଜାଣିପାରେ ଯେ ସେ ଠକାମିର ଶିକାର ହେଉଛି ସଙ୍ଗେ ସଙ୍ଗେ ତାର ସହଯୋଗ କରିବା ପାଇଁ ଜିଲ୍ଲା ଉପଭୋକ୍ତା ପରାମର୍ଶ କେନ୍ଦ୍ରର ଏକ ମୋବାଇଲ ନମ୍ୱର ରହିବା ଆବଶ୍ୟକ ଏବଂ ଅଭିଯୋଗ ପାଇବା କ୍ଷଣି ଉକ୍ତ ଖାଉଟିକୁ ସହଯୋଗ କରିବା ସହ ମାମଲାଟିକୁ ପଞ୍ଜୀକରଣ କରିନେବା ଆବଶ୍ୟକ। ଆବଶ୍ୟକ ସ୍ଥଳେ ବ୍ୟବସାୟୀ ପ୍ରତିଷ୍ଠାନ ତଥା ସମ୍ପୃକ୍ତ ଅଧିକାରୀ ଙ୍କ ସହ ଆଲୋଚନା କରି ସମାଧାନ କରିବା ବ୍ୟବସ୍ଥା କରିବା ଉଚିତ୍ ବୋଲି ବ୍ରହ୍ମପୁର ମେୟର ମତ ଦେଇଥିଲେ । ଏଥିସହ ଉକ୍ତ କେନ୍ଦ୍ରର ନମ୍ବର ପ୍ରତ୍ୟେକ ବ୍ୟବସାୟ ପ୍ରତିଷ୍ଠାନର ପ୍ରାଙ୍ଗଣରେ ଲେଖାଯିବା ଆବଶ୍ୟକ । ତା’ଦ୍ବାରା ଖାଉଟି ମାନେ ସଚେତନ ହେବା ସହ ଅସାଧୁ ବ୍ୟବସାୟୀମାନେ ସତର୍କତା ଅବଲମ୍ବନ କରିବେ । ଉପଭୋକ୍ତା ଆଇନକୁ କଡାକଡି ଭାବରେ ପ୍ରଚଳନ କରିବା ପାଇଁ ଆବଶ୍ୟକ ସଂଶୋଧନ ବିଷୟରେ ମାନ୍ୟବର ବ୍ରହ୍ମପୁର ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ବିଷୟରେ କହିଥିଲେ । କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ତଥା ଜିଲ୍ଲା ଉପଭୋକ୍ତା ଆୟୋଗ ର ବରିଷ୍ଠ ସଦସ୍ୟ ସତୀଶ୍ ପାଣିଗ୍ରାହୀ ଜାତୀୟ ଉପଭୋକ୍ତା ଦିବସ ପାଳନ ର ମୁଖ୍ୟ ଉଦ୍ଦେଶ୍ୟ ଉପରେ ଆଲୋକପାତ କରି ଉପଭୋକ୍ତା ସୁରକ୍ଷା ଆଇନ ୧୯୮୬ ଓ ୨୦୧୯ ମଧ୍ୟରେ ସଂଶୋଧନ ହୋଇଥିବା କେତେଗୁଡ଼ିଏ ନିୟମକୁ ବୁଝାଇ କହିଥିଲେ ଯେ, ଉପଭୋକ୍ତା ମାନେ ପୂର୍ବରୁ କେବଳ ଯେଉଁ ସ୍ଥାନରେ ଦ୍ରବ୍ଯ କିଣୁଥିଲେ ସେଠାକୁ ଯାଇ ଖାଉଟି ଜନିତ ସମସ୍ୟା ଉପୁଜିଲେ ଦାଖଲ କରିବାକୁ ପଡ଼ୁଥିଲା କିନ୍ତୁ ୨୦୧୯ ଆଇନ ଅନୁଯାୟୀ ସେହି ଉପଭୋକ୍ତା ମାନେ ଦେଶର ଯେଉଁ ସ୍ଥାନରେ ରହି ମଧ୍ୟ ମାମଲା ଦାଖଲ କରିବା ସହ ଅନଲାଇନ୍ ରେ ଶୁଣାଣି ତଥା ସମାଧାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରିପାରିବେ । ଯା’ଦ୍ବାରା ଦାଖଲ ହୋଇଥିବା ମାମଲା ତୁରନ୍ତ ସମାଧାନ ହେବାର ସମ୍ଭାବନା ବହୁଗୁଣା ବଢିଯାଏ । ଏହି ସୁଯୋଗ ପାଇବା ପାଇଁ ଯେକୌଣସି ଖାଉଟି ଠକାମିର ଶିକାର ହେବା କ୍ଷଣି ଜାତୀୟ ଉପଭୋକ୍ତା ହେଲ୍ପଲାଇନ, ରାଜ୍ୟ ଉପଭୋକ୍ତା ହେଲ୍ପଲାଇନ, ପରାମର୍ଶ କେନ୍ଦ୍ର ଏବଂ ଇ-ଦାଖିଲ ମାଧ୍ୟମରେ ମାମଲା ଦାଖଲ କରିପାରିବ । ଏଥିସହ ଯେଉଁ ମାମଲା ଗୁଡିକ ପୂର୍ବରୁ ଦାଖଲ ହୋଇ ଆୟୋଗ ମାନଙ୍କ ରେ ରହିଛି ତାର ସମାଧାନ ର ସାଧନ ପାଇଁ ଉପସ୍ଥିତ କର୍ପୋରେଟର ଭାଇ ଓ ଭଉଣୀ ମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ଯେଉଁ ମାମଲାରେ ଟେଷ୍ଟ ର ଆବଶ୍ୟକତା ନାହିଁ ସେହି ମାମଲା ୩ ମାସ ମଧ୍ୟରେ ସମାଧାନ ପାଇଁ ଆଇନ ରହିଥିବା ବେଳେ ଅନ୍ୟ ମାମଲା ଗୁଡିକ ୫ ସମୟସୀମା ମଧ୍ୟରେ ସମାଧାନ କରିବା ପାଇଁ ନିୟମ ରହିଛି । ଏହି ଆଲୋଚନା ଅବସରରେ କର୍ପୋରେଟର ଶ୍ରୀ ଟି. ତିରୁପତି ପାତ୍ର, ଓ ଶ୍ରୀ ସମୀର ମିଶ୍ର ସୁଚିନ୍ତିତ ମତ ଦେଇଥିଲେ ଯାହା ସମସ୍ତ ଉପସ୍ଥିତ ଅତିଥି ମାନେ ସ୍ବାଗତ କରିଥିଲେ । ପାଣିଗ୍ରାହୀ ସମସ୍ତ ଉପଭୋକ୍ତା ହେଲ୍ପଲାଇନ ନମ୍ୱର ର ପ୍ରଚାର ପ୍ରସାର ପାଇଁ ବ୍ରହ୍ମପୁର ମହାନଗର ନିଗମ ର ସମ୍ପୂର୍ଣ୍ଣ ସହଯୋଗ କାମନା କରିଥିଲେ । ଏବଂ ସ୍ଥାନୀୟ ଅଞ୍ଚଳମାନଙ୍କରେ ଯେଉଁ ଯେଉଁ ଖାଉଟି ସୁରକ୍ଷା ଜନିତ ସମସ୍ୟା ଘଟୁଛି ତାର ବିସ୍ତୃତ ବିବରଣୀ ଉପଭୋକ୍ତା ପରାମର୍ଶ କେନ୍ଦ୍ର କିମ୍ବା ଉପଭୋକ୍ତା ସୁରକ୍ଷା ସଂସ୍ଥା ବେଦିକ୍ ମାଧ୍ୟମରେ କ୍ଲାସ ଏକ୍ସନ ମାମଲା ଦାଖଲ କରାଯାଇପାରିଲେ ଜିଲ୍ଲା ଉପଭୋକ୍ତା ଆୟୋଗ ତାର ବିଚାର କରି ତୁରନ୍ତ ସମାଧାନ କରିବାର ବାଟ ବାହାର କରିବ ।


ଜିଲ୍ଲା ଉପଭୋକ୍ତା ମଧ୍ୟସ୍ଥତା କେନ୍ଦ୍ର ର ମଧ୍ୟସ୍ଥି ତଥା ଉପଭୋକ୍ତା ପରାମର୍ଶ କେନ୍ଦ୍ର ର ପରାମର୍ଶଦାତା ଆଇନଜୀବୀ କୃଷ୍ଣଚନ୍ଦ୍ର ସାହୁ ସ୍ବାଗତ ଭାଷଣ ଦେଇଥିଲେ । ବେଦିକ୍ ସଂସ୍ଥା ର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ମଧ୍ୟସ୍ଥତା କେନ୍ଦ୍ର ର ମଧ୍ୟସ୍ଥି ଡଃ ଦିଲିପ୍ ତ୍ରିପାଠୀ ଉପଭୋକ୍ତା ସୁରକ୍ଷା ଆଇନ ବିଷୟରେ ସମ୍ୟକ୍ ଧାରଣା ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଶାସନ ତରଫରୁ ବ୍ରହ୍ମପୁର ଏସିଏସ୍ଓ ସକଳେଶ୍ବର ଦାସ, ବୈଧମାପ ବିଭାଗ ର ଜୟେଣ୍ଟ କଣ୍ଟ୍ରୋଲର ଏସ ଜାନି, ମାର୍କେଟିଂ ଇନ୍ସପେକ୍ଟର ରଞ୍ଜନ ସେଠୀ, ଗଞ୍ଜାମ ଲ କଲେଜ୍ ର ଛାତ୍ରଛାତ୍ରୀ ପ୍ରମୁଖ କାର୍ଯ୍ୟକ୍ରମ ସଫଳ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ।

nis-ad
Leave A Reply

Your email address will not be published.