ବିଦେଶକୁ ଯାଅନି, ତୁରନ୍ତ ବୁଷ୍ଟର ଡୋଜ ନେବାକୁ କହିଲା ଆଇଏମଏ

ନୂଆଦିଲ୍ଲୀ: ମହାମାରୀ କରୋନା ପୁଣି କଡ଼ ଲେଉଟାଇବାରୁ ଦେଶବାସୀଙ୍କୁ ସତର୍କ କରାଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ ବା ଆଇଏମଏ। ସଂସ୍ଥା ପକ୍ଷରୁ ଦେଶବାସୀଙ୍କୁ ତୁରନ୍ତ କୋଭିଡର ଉଚିତ ବ୍ୟବହାର ପାଳନ କରିବାକୁ କୁହାଯାଇଛି।

ଆଇଏମଏ ଗୋଟିଏ ସତର୍କ ସୂଚନା ଜାରି କରି କହିଛି ଯେ କରୋନା ସଂକ୍ରମଣରୁ ବର୍ତ୍ତିବାକୁ ହେଲେ ଆମକୁ ସତର୍କ ରହିବାକୁ ହେବ। ସମସ୍ତ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧାବ ସହ ସାମାଜିକ ଦୂରତା, ନିୟମିତ ହାତ ଧୋଇବା ଓ ସାନିଟାଇଜରର ବ୍ୟବହାର ତତ୍କାଳ ଭାବେ କାର୍ଯ୍ୟକାରୀ କରାଯାଉ।
ଏଥିସହ ବାହାଘର, ରାଜନୀତିକ, ସାମାଜିକ ସମାବେଶରୁ ଲୋକମାନେ ନିଜକୁ ଦୂରେଇ ରଖନ୍ତୁ। ଅଯଥା ବିଦେଶ ଗସ୍ତରେ ଯାଆନ୍ତୁ ନାହିଁ ବୋଲି ଆଇଏମଏ ପରାମର୍ଶ ଦେଇଛି। ସଂସ୍ଥା ଆହୁରି କହିଛି ଯେ ଯଦି କାହାର ଜ୍ୱର, କାଶ, ତଣ୍ଟି ଦରଜ ଓ ଝାଡ଼ ଇତ୍ୟାଦି ହେଉଛି, ତା’ହେଲେ ସେମାନେ ବିଳମ୍ବ ନ କରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଏଥିସହ ସମସ୍ତେ ଯଥାଶୀଘ୍ର କରୋନା ବିରୋଧୀ ବୁଷ୍ଟର ଡୋଜ୍‌ ନିଅନ୍ତୁ।

ବର୍ତ୍ତମାନ ବିଭିନ୍ନ ରାଷ୍ଟ୍ରରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଆଇଏମଏ ଲୋକଙ୍କୁ ସତର୍କ ଓ ଅନୁରୋଧ କରୁଛି ଯେ ସେମାନେ କୋଭିଡର ଉଚିଚ ବ୍ୟବହାର ତୁରନ୍ତ କାର୍ଯ୍ୟକାରୀ କରନ୍ତୁ। ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟାରେ ଆମେରିକା, ଜାପାନ, ଦକ୍ଷିଣ କୋରିଆ, ଫ୍ରାନ୍ସ ଓ ବ୍ରାଜିଲ ଭଳି ଦେଶରୁ ୫.୩୭ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତରେ ମଧ୍ୟ ୧୪୫ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏମାନଙ୍କ ମଧ୍ୟରୁ ୪ ଜଣ ଚାଇନାରେ ଆତଙ୍କ ଖେଳାଇଥିବା ବିଏଫ ୭ ଭାରିଏଣ୍ଟରେ ସଂକ୍ରମିତ ହୋଇଛନ୍ତି।

ଲୋକମାନେ ସତର୍କ ରହିବା ସହ ସରକାର ମଧ୍ୟ କରୋନାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରନ୍ତୁ। ଜରୁରୀ ମେଡିସିନ, ଅକ୍ସିଜେନ ଓ ଆମ୍ବୁଲାନ୍ସ ସେବାକୁ ମହଜୁଦ କରି ରଖନ୍ତୁ। ବର୍ତ୍ତମାନ ପରିସ୍ଥିତି ଜଟିଳ ହୋଇନି। ତେଣୁ କେହି ଆତଙ୍କିତ ହୁଅନ୍ତୁ ନାହିଁ। ହେଲେ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ ବୋଲି ଆଇଏମଏ ତା’ର ବିବୃତିରେ କହିଛି।

nis-ad
Leave A Reply

Your email address will not be published.