୪୬୭ ମିଲିସିଆ ସମେତ ୯୦୭ ଜଣ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି: ପୋଲିସ ପାଦ ପଡିଲେ ଯେଉଁଠି ଗୁଳି ଫୁଟୁଥିଲା, ସେଠି ପୋଲିସଙ୍କୁ ହୁଳହୁଳି କରି ସ୍ୱାଗତ। ଯେଉଁଠି ଦିନେ ମାଓବାଦୀ ଜିନ୍ଦାବାଦ ନାରା ଶୁଭୁଥିଲା, ଆଜି ସେଠି ଶୁଣିବାକୁ ମିଳୁଛି ମାଓବାଦୀ ମୁର୍ଦ୍ଦାବାଦ। ମାଓବାଦୀଙ୍କ କୁଶ ପୁତ୍ତଳିକା ଦାହ କରାଯାଉଛି। ମାଓବାଦୀଙ୍କ ନାଲି ଆଖିକୁ ଆଉ ଖାତିର ନାହିଁ। ନିର୍ଭୟରେ ପୋଲିସ ସହ ହାତ ମିଳାଉଛନ୍ତି ସ୍ଥାନୀୟ ବାସିନ୍ଦା। ବିକାଶ କାର୍ଯ୍ୟ ଆଗକୁ ବଢାଇବା ପାଇଁ ଶପଥ ନେଉଛନ୍ତି ସ୍ୱାଭିମାନ ଅଂଚଳ ଲୋକେ। ଆଜି ୯୦୭ ପୁରୁଷ ଓ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେଥିରୁ ୪୬୭ ସକ୍ରିୟ ମିଲିସିଆ ଥିଲେ। ଏଥିଲାଗି ସ୍ୱାଭିମାନ ଅଂଚଳର ଘନବେଡାରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ।

ମାଲକାନଗିରି ଏସ୍‌ପି ନୀତିନ ୱାଦବାନିଙ୍କ ମୁଣ୍ଡରେ ଟୀକା ଲଗାଇ ଓ ହୁଳହୁଳି ପକାଇ ସ୍ୱାଗତ କରିଥିଲେ ମହିଳା। ପୋଲିସ ତରଫରୁ ମହିଳାଙ୍କୁ ଶାଢ଼ୀ ଓ ପିଲାଙ୍କ ପାଇଁ ପାଠ୍ୟ ଓ କ୍ରୀଡ଼ା ଉପକରଣ ବଣ୍ଟାଯାଇଛି। ପୋଲିସର କଡ଼ା ସୁରକ୍ଷା ଓ ସରକାରଙ୍କ ବିକାଶ ଯୋଜନା ଲୋକଙ୍କ ପାଖରେ ପହଞ୍ଚୁଛି। ମାଓବାଦୀ ଜୁଲମକୁ ଆଉ ଖାତିର ନାହିଁ। ସେମାନଙ୍କ କାର୍ଯ୍ୟକଳାପ ପ୍ରତି ବିମୁଖ ହୋଇଛନ୍ତି ଅଂଚଳବାସୀ। ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳରେ ମାଓବାଦୀଙ୍କ ପାଇଁ ଆଉ ସ୍ଥାନ ନାହିଁ। ଜଙ୍ଗଲରେ ଥିବା ମାଓବାଦୀଙ୍କୁ ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ଵାନ ଦେଇଛନ୍ତି ମାଲକାନଗିରି ଏସ୍‌ପି।

nis-ad
Leave A Reply

Your email address will not be published.