ଥାଇଲାଣ୍ଡ ଜାହାଜ ବୁଡ଼ି ଘଟଣା : ଏବେ ବି ୨୯ ନିଖୋଜ

ବ୍ୟାଙ୍କକ୍ : ଗତ ରବିବାର ରାତିରେ ହୋଇଥିବା ଥାଇଲାଣ୍ଡ ଯୁଦ୍ଧ ଜାହାଜ ଏଚଟିଏମଏସ ସୁଖୋଥାଇ ବୁଡ଼ି ଘଟଣାକୁ ୨ ଦିନ ହୋଇଯାଇଥିଲେ ବି ଏବେ ବି ୨୯ ନୌସେନା କର୍ମଚାରୀ ନିଖୋଜ ଅଛନ୍ତି । ସେମାନଙ୍କ ସନ୍ଧାନ ଓ ଉଦ୍ଧାର ପାଇଁ ଥାଇଲାଣ୍ଡର ନୌସେନା ପକ୍ଷରୁ ଉଦ୍ୟମ ଜାରି ରହିଛି ।

ଥାଇଲାଣ୍ଡ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମଙ୍ଗଳବାର ଦିନ ଆଉ ଦୁଇ ନିଖୋଜ ବ୍ୟକ୍ତିକୁ ଉଦ୍ଧାର କରାଯାଇଛି । ଏହି ବ୍ୟକ୍ତିକୁ ମିଶାଇ ଉଦ୍ଧାରକାରୀମାନେ ଏପର୍ଯ୍ୟନ୍ତ ମୋଟ ୭୬ ଜଣଙ୍କୁ ଉଦ୍ଧାର କରିସାରିଲେଣି ।
ବୁଡ଼ିଯାଇଥିବା ଜାହାଜରେ ୧୦୬ ଜଣ ଲୋକ ଥିଲେ । ସେମାନଙ୍କ ମଧ୍ୟରୁ ୭୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ଆଉ ୨୯ ଜଣଙ୍କ ସନ୍ଧାନ ଜାରି ରହିଛି । ସେମାନେ ମିଳିବା ପର୍ଯ୍ୟନ୍ତ ସନ୍ଧାନ ଜାରି ରହିବ ଥାଇ ନୌସେନା କହିଛି । ସନ୍ଧାନ ଓ ଉଦ୍ଧାର କାର୍ଯ୍ୟପାଇଁ ୪ଟି ଯୁଦ୍ଧ ଜାହାଜ ଓ ଅନେକ ହେଲିକପ୍ଟରକୁ ନିୟୋଜିତ କରାଯାଇଛି ।

ସେମାନେ ତାଲିମପ୍ରାପ୍ତ ନୌସେନା କର୍ମଚାରୀ ହୋଇଥିବାରୁ ଓ ଲାଇଫ ଜ୍ୟାକେଟ ପିନ୍ଧିଥିବାରୁ ପ୍ରାୟ ୪୮ ଘଣ୍ଟା ପର୍ଯ୍ୟନ୍ତ ସେମାନେ ନିଜକୁ ବଞ୍ଚାଇବାକୁ ସକ୍ଷମ ବୋଲି ଥାଇ ନୌସେନା ଅଧିକାରୀ ଭାଇସ ଆଡମିରାଲ ପିଚାଇ ଲୋରସୁଚାକୁଲ କହିଛନ୍ତି ।

ରବିବାର ବିଳମ୍ବିତ ରାତିରେ ଏହି ଯୁଦ୍ଧ ଜାହାଜ ଥାଇଲାଣ୍ଡ ଉପସାଗର ନିକଟରେ ଯାଉଥିବାବେଳେ ଏକ ସାମୁଦ୍ରିକ ଝଡ଼ର ସମ୍ମୁଖୀନ ହୋଇଥିଲା । ପ୍ରାଚୁଆପ୍ ଖିରି ଖାନ ନାମକ ଉପକୂଳ ନିକଟରେ ଥିବାବେଳେ ଜାହାଜରେ ପାଣି ପଶିଯାଇଥିଲା । ଜାହାଜର ପାଓ୍ବାର କଣ୍ଟ୍ରୋଲରେ ପାଣି ପଶିଯିବାରୁ ଜାହାଜର ବିଦ୍ୟୁତ ସରବାରହ ବନ୍ଦ ହୋଇଯାଇଥିଲା । ଏହା ପରେ ଜାହାଜର ଇଂଜିନ ବନ୍ଦ ହୋଇ ତାହା ବୁଡ଼ିଯାଇଥିଲା ।

nis-ad
Leave A Reply

Your email address will not be published.