ଆମ୍ବୁଲାନ୍ସ ଭିତରେ ରୋଗୀଙ୍କୁ ମଦ ପିଆଇଲେ ଡ୍ରାଇଭର, ନିଜେ ବି ପିଇଲେ

ଜଗତସିଂହପୁର: ଆମ୍ବୁଲାନ୍ସ ଭିତରେ ରୋଗୀଙ୍କୁ ମଦ ପିଆଇଲେ। ନିଜେ ବି ମଦ ପିଇଲେ ଆମ୍ବୁଲାନ୍ସ ଡ୍ରାଇଭର। ପରେ ରୋଗୀଙ୍କୁ ନେଇ ଯାଇଥିଲେ ଡାକ୍ତରଖାନା। ରାସ୍ତା କଡରେ ଆମ୍ବୁଲାନ୍ସ ଭିତରେ ଖୁଲମଖୁଲା ଏଭଳି ମଦ ପିଇବାର ଦୃଶ୍ୟ ଏବେ ଭାଇରାଲ ହୋଇଛି। ଗତକାଲି ଜଗତସିଂହପୁର ଜିଲ୍ଲାର କଟକ-ପାରାଦ୍ୱୀପ ରାସ୍ତାର ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାରଳା ଛକ ନିକଟରେ ଏହି ଘଟଣା ଘଟିଥିବା ବେଳେ ଆଜି ଏହା ଭାଇରାଲ ହୋଇଛି।

ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ଏକ ଘରୋଇ ଆମ୍ବୁଲାନ୍ସ ସାରଳା ଛକ ନିକଟରେ ଅଟକିଥିଲା। ଏହି ଆମ୍ବୁଲାନ୍ସରେ ଜଣେ ରୋଗୀ ତାଙ୍କ ପତ୍ନୀ ଓ ପୁଅ ସହ ପାରାଦୀପରୁ କଟକ ଯାଉଥିଲେ। ଆମ୍ବୁଲାନ୍ସରେ ଥିବା ରୋଗୀଙ୍କ ଗୋଡ ଭାଙ୍ଗି ଯିବା ଯୋଗୁ ପ୍ଲାଷ୍ଟର ହୋଇଥିଲା।

ରାସ୍ତା ପାର୍ଶ୍ୱରେ ଡ୍ରାଇଭର ଆମ୍ବୁଲାନ୍ସ ରଖି ନିଜେ ମଦ ପିଇବା ସହିତ ରୋଗୀକୁ ମଧ୍ୟ ମଦ ପିଇବାକୁ ଦେଉଥିଲେ। ଏହା ଦେଖୁଥିବା ଲୋକେ ଘଟଣାର ଭିଡିଓ ରେକର୍ଡ କରିଥିଲେ। ନିଶାରେ ଚୁର ଡ୍ରାଇଭର କହି ହେଉଥିଲା; ଆପଣମାନେ ଜାଣିଛନ୍ତି କି, ଏହି ରୋଗୀ ଗୋଟାଏ ଗଛକୁ ଚଢ଼ି ଡାଳ ହାଣିବା ପରେ ଏହା ଉପରେ ଚଢ଼ି ଯିବା ବେଳେ ତଳେ ପଡ଼ି ଗୋଡ଼ ଓ ଅଣ୍ଟା ଭାଙ୍ଗିଛି। ୧୦ ସ୍ପିଡ୍‌ରୁ ଅଧିକ ଜୋର୍‌ରେ ଗାଡ଼ି ଚଲାଇଲେ, ଭିତରେ ଚିଲଉଛି। ମଦ ପିଇଲେ ଯିବ ନହେଲେ ଯିବନି ବୋଲି ଜିଦ୍ କରୁଛି। ତେଣୁ ତାକୁ ମଦ ଦେଇ, ନିଜେ ବି ଟିକେ ପିଉଛନ୍ତି।

ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ସେପଟେ ଏନେଇ ଜଣାପଡ଼ିବା ପରେ ଡ୍ରାଇଭର ଦିଲୀପ ରଥ ଫୋନ୍‌ରେ କହିଛନ୍ତି, ପାରାଦୀପର ଷଣ୍ଢକୁଦରେ ରହୁଥିବା କୈଳାଶ ଦେହୁରୀ ଗତକାଲି ଗଛରୁ ପଡ଼ି ଆହତ ହୋଇଥିଲେ। ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା କରିବା ପାଇଁ ମାଗଣାରେ ଆମ୍ବୁଲାନ୍ସରେ ନେଇ ଯାଉଥିଲେ। ଏହି ରୋଗୀ ସହ ତାଙ୍କ ପତ୍ନୀ ଓ କୁନି ପୁଅ ଥିଲା। ଅସହ୍ୟ ପେନ୍‌ ହେଉଥିବାରୁ ମଦ ଦେବାକୁ ବାରମ୍ବାର କୈଳାଶ କହିଥିଲା। ତେଣୁ ସେ ଗାଡ଼ି ରୋକି ମଦ କିଣିଥିଲେ। ଗୋଟିଏ ନିବ୍‌ରୁ ତାକୁ କିଛି ଦେଇଥିଲେ ଓ ନିଜେ ପିଇଥିଲେ। ଏଥିରେ କାହାରି କିଛି ଅସୁବିଧା ହୋଇନି। ହବାର ବି ନାହିଁ। ଆଗକୁ ଏଭଳି ଭୁଲ ହେବନି ବୋଲି ସେ କହିଛନ୍ତି।

ତେବେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଏଭଳି ମଦ ପାନ ଓ ରୋଗୀଙ୍କୁ ମଦ ପିଇବା ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି। ମଦ ପିଇ ଗାଡ଼ି ଚଳାଇବା ଦଣ୍ଡନୀୟ ଅପରାଧ। ଏହାଛଡ଼ା ଏଭଳି କଲେ ଆମ୍ବୁଲାନ୍ସ ଦୁର୍ଘଟଣା ହୋଇ ଅନେକଙ୍କ ଜୀବନ ଯାଇପାରେ। ମାତ୍ର ଆମ୍ବୁଲାନ୍ସ ଡ୍ରାଇଭର ସବୁ ଦାୟିତ୍ୱବୋଧ ଭୁଲିଗଲେ। ସେପଟେ ଏ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି।

nis-ad
Leave A Reply

Your email address will not be published.