ରାହୁଲଙ୍କ ଭାରତ ଯୋଡୋ ଯାତ୍ରାରେ ଶୁଭିଲା ପାଇଲଟ ନାରା

ଜୟପୁର: ଭାରତ ଯୋଡୋ ଯାତ୍ରାରେ ଶୁଭିଲା ସଚିନ ପାଇଲଟ୍‌ଙ୍କ ନାରା। ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ସପକ୍ଷ ସ୍ଲୋଗାନ୍‌ରେ କମ୍ପିଲା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା। ଆଜି ସକାଳେ ରାଜସ୍ଥାନର ଦୌସା ନଗରୀର କାଲାଖୋରେ କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ ହୋଇଛି। ତେବେ ଏହି ଯାତ୍ରା ଆରମ୍ଭ ହେବା ମାତ୍ରେ କଂଗ୍ରେସ କର୍ମୀ ସଚିନ୍ ପାଇଲଟ୍‌ଙ୍କ ସପକ୍ଷରେ ସ୍ଲୋଗାନ୍ ଦେଇଥିବା ଦେଖିବାକୁ ମିଳିଛି।

ରାହୁଲଙ୍କ ପଦଯାତ୍ରା ଚାଲିଥିବା ବେଳେ ଅଳ୍ପ କେତେକ ଯୁବ କଂଗ୍ରେସ କର୍ମୀ ବଡ ପାଟିରେ ଚିତ୍କାର କରି କହୁଥିଲେ, ‘ସଚିନ୍ ପାଇଲଟ୍ ଜିନ୍ଦାବାଦ୍‌’। ‘ହମାରା ସିଏମ୍ କୈସା ହୋ? ସଚିନ୍ ପାଇଲଟ୍ ଜୈସା ହୋ।’
ଏହାଛଡ଼ା, ଦୌସା ହେଉଛି ସଚିନ ପାଇଲଟ୍‌ଙ୍କ ସମର୍ଥକ ବହୁଳ ଅଞ୍ଚଳ। ତେଣୁ, ଏହି ଜିଲ୍ଲାର ବିପୁଳ ସଂଖ୍ୟକ ଜନତା ଆଜି ଭାରତ ‌ଯୋଡ଼ୋ ଯାତ୍ରାରେ ଯୋଗ ଦେଇଛନ୍ତି। ଏହା କେବଳ ପଦଯାତ୍ରାରେ ସେମାନଙ୍କ ଯୋଗଦାନ ନୁହେଁ, ସଚିନ୍ ପାଇଲଟ୍‌ଙ୍କ ସାମର୍ଥ୍ୟ ମଧ୍ୟ ପ୍ରତିପାଦନ କରୁଛି। ପାଇଲଟ୍ ହେଉଛନ୍ତି ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଗ୍ରଣୀ ପ୍ରତିଦ୍ୱନ୍ଦ୍ୱୀ। ତେଣୁ ଏହାକୁ ପ୍ରମାଣିତ କରିବା ପାଇଁ ତାଙ୍କ ସମର୍ଥକମାନେ କୌଣସି ସୁଯୋଗ ହାତଛଡା କରିବାକୁ ଚାହାନ୍ତି ନାହିଁ।

ଉଲ୍ଲେଖଯୋଗ୍ୟ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଥିବା ମତଭେଦ ସମସ୍ତଙ୍କୁ ଜଣା। ଅନେକ ଥର ସଚିନଙ୍କ ସମର୍ଥକ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ପାଇଁ ଦାବି କରିଆସିଛନ୍ତି। କିନ୍ତୁ ହାଇକମାଣ୍ଡ ଅଶୋକ ଗେହଳଟଙ୍କ ଉପରେ ହିଁ ଭରସା ରଖିଛନ୍ତି। ତେବେ ଚଳିତ ଥର ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ହେଉଥିବା ଭାରତ ଯୋଡୋ ଯାତ୍ରାରେ ସଚିନ ପାଇଲଟଙ୍କ ପାଇଁ ସ୍ଲୋଗାନ ଦେଇ ଏହି ବାର୍ତ୍ତା ଦେଇଛନ୍ତି ଯେ ପାଇଲଟ ସମର୍ଥକମାନେ ଚାହୁଁଛନ୍ତି ଯେ ସେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହୁଅନ୍ତୁ।

nis-ad
Leave A Reply

Your email address will not be published.