ଆନ୍ଧ୍ରପ୍ରଦେଶର ପଲ୍‌ନାଡୁରେ ‘ୱାଇଏସ୍‌ଆର୍‌ସିପି’- ‘ଟିଡିପି’ କର୍ମୀଙ୍କ ମଧ୍ୟରେ ସଂଘର୍ଷ; ୧୪୪ ଧାରା ଜାରି

ପଲନାଡୁ: ଶୁକ୍ରବାର ଦିନ ଆନ୍ଧ୍ରପ୍ରଦେଶର ପଲ୍‌ନାଡୁ ଜିଲ୍ଲା ଅନ୍ତର୍ଗତ ମାଚର୍ଲାରେ ‘ଇଧେମି କର୍ମା’ ସମୟରେ ଶାସକ ‘ଯୁବଜନ ଶ୍ରମିକ ରାୟତୁ କଂଗ୍ରେସ ପାର୍ଟି (ୱାଇଏସ୍‌ଆର୍‌ସିପି) ଏବଂ ‘ତେଲୁଗୁ ଦେଶମ୍‌ ପାର୍ଟି’ (ଟିଡିପି) କର୍ମୀଙ୍କ ମଧ୍ୟରେ ତୁମୁଳ ସଂଘର୍ଷ ଘଟିବାରୁ ପୁଲିସ ୧୪୪ ଧାରା ଜାରି କରିଛି।

ସଂଗୃହୀତ ସୂଚନା ଅନୁସାରେ, ଦଳର ମାଚର୍ଲା ଦାୟିତ୍ବରେ ଥିବା ଜୁଲାକାନ୍ତି ବ୍ରହ୍ମା ରେଡ୍ଡୀଙ୍କ ନେତୃତ୍ବରେ ‘ତେଲୁଗୁ ଦେଶମ୍‌ ପାର୍ଟି’ର ସମର୍ଥକମାନେ ‘ଇଧେମି କର୍ମା’ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରୁଥିବା ବ‌େଳେ ସଂଘର୍ଷ ଘଟିଛି। କାର୍ଯ୍ୟକ୍ରମ ଚାଲିଥିବା ବେଳେ ‘ୱାଇଏସ୍‌ଆର୍‌ସିପି’ ଓ ‘ଟିଡିପି’ କର୍ମୀମନେ ପରସ୍ପରକୁ ଟେକାପଥର ଓ ଲାଠିଦ୍ବାରା ଆକ୍ରମଣ କରିବାରୁ ଅନେକ ଆହତ ହୋଇଛନ୍ତି।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସଂଘର୍ଷରତ କର୍ମୀମାନଙ୍କୁ ଘଉଡ଼ାଇ ଦେବା ସହିତ ରେଡ୍ଡୀଙ୍କୁ ଗିରଫ କରିଛନ୍ତି।

ଘଟଣାସ୍ଥଳରୁ ଉତ୍ତୋଳିତ ଫଟୋ ଓ ଭିଡିଓରେ ଦେଖାଯାଉଛି, ଲୋକେ କାର୍‌ଗୁଡ଼ିକରେ ନିଆଁ ଲଗାଇ ଦେବା ସହିତ ସେ ଅଞ୍ଚଳରେ ଭଙ୍ଗାରୁଜା କରୁଛନ୍ତି।

ପଲନାଡୁ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ୱାଇ. ରବି ଶଙ୍କର ରେଡ୍ଡୀଙ୍କ କହିବା ଅନୁସାରେ, ଅପରାଧିକ ପୃଷ୍ଠଭୂମି ଥିବା ଲୋକେ ଉକ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ଓ ଜାଣିଶୁଣି ଟେକାପଥର ଫିଙ୍ଗି ଆକ୍ରମଣ କରିଥିଲେ।

ଗଣମାଧ୍ୟମକୁ ସେ କହିଛନ୍ତି, ଏହା ରାଜନୈତିକ ସଂଘର୍ଷ ନୁହେଁ, ନିରୋଳା ଗୋଷ୍ଠୀଗତ ସଂଘର୍ଷ। ଗତ ୨୦/୩୦ ବର୍ଷ ହେବ ଏ ଅଞ୍ଚଳରେ ଏଭଳି ଗୋଷ୍ଠୀଗତ ସଂଘର୍ଷ ଲାଗି ରହିଛି। ବେଲଦୁର୍ତି ସହିତ ସମ୍ପୃକ୍ତ ଥିବା ଗୋଷ୍ଠୀର ଲୋକମାନଙ୍କର ଅପରାଧିକ ପୃଷ୍ଠଭୂମି ରହିଛି ଓ ସେମାନେ ମାଚର୍ଲା ସହରରେ ବାସ କରୁଥିବାରୁ ପୁନର୍ବାର ଅପ୍ରୀତିକର ପରିସ୍ଥିତି ଆଶଙ୍କା ଏଡ଼ାଇବା ପାଇଁ ଆଜି ସକାଳୁ ସେ ଅଞ୍ଚଳରେ ‘କର୍ଡନ୍‌-ଆଣ୍ଡ୍‌-ସର୍ଚ’ ଅଭିଯାନ ଚାଲିଛି। କିନ୍ତୁ, ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଓ ସଂଘର୍ଷରେ ଲିପ୍ତ ଥିବା ବ୍ୟକ୍ତିମାନଙ୍କୁ ଗିରଫ କରାଯାଇଛି। ଏହାଛଡ଼ା, ସହରରେ ୧୪୪ ଧାରା ମଧ୍ୟ ଜାରି କରାଯାଇଛି।

nis-ad
Leave A Reply

Your email address will not be published.