ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ପ୍ରସଙ୍ଗ: ବ୍ୟକ୍ତିଗତ ହସ୍ତକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ‘ବିଜେପି’ ସାଂସଦଙ୍କ ପତ୍ର

ଗିରଫ ଓକିଲଙ୍କୁ ମୁକ୍ତ କରି ସେମାନଙ୍କ ଲାଇସେନ୍‌ସ୍‌ ସଚଳ କରିବା ସହିତ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ସ୍ଥାପନ ନିମନ୍ତେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବା ଲାଗି ଆଜି ‘ବିଜେପି’ର ୫ଜଣ ସାଂସଦ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି।

ସାଂସଦ ସୁରେଶ ପୂଜାରୀ, ବସନ୍ତ କୁମାର ପଣ୍ଡା, ଜୁଏଲ୍‌ ଓରାମ୍‌, ସଙ୍ଗୀତା ସିଂହଦେଓ ଏବଂ ନୀତେଶ ଗଙ୍ଗଦେବ କହିଛନ୍ତି, ଓଡ଼ିଶାର ପଶ୍ଚିମ ପ୍ରାନ୍ତରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ସ୍ଥାପନ କରାଯିବା ସଂକ୍ରାନ୍ତରେ ଫଳପ୍ରଦ ସମାଧାନ ନିମନ୍ତେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରନ୍ତୁ।

ପତ୍ରରେ ସେମାନେ ଆହୁରି ମଧ୍ୟ କହିଛନ୍ତି, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ସ୍ଥାପନା ଲାଗି ସନ୍ତୋଷଜନକ ପ୍ରସ୍ତାବନା ଦେବା ପାଇଁ କେନ୍ଦ୍ର ଆଇନ ମନ୍ତ୍ରୀ ଥରକୁ ଥର ସଂସଦରେ ବିବୃତି ଦେଇଛନ୍ତି। ଏହାଛଡ଼ା, ଉକ୍ତ ବେଞ୍ଚ୍‌ର ସଠିକ ଅବସ୍ଥିତି, ନ୍ୟାୟସୀମା, ଉପଯୁକ୍ତ ଭିତ୍ତିଭୂମି ଯୋଗାଇ ଦେବା ପ୍ରତିଶ୍ରୁତି ଏବଂ ବ୍ୟୟ ବହନ କରିବା ଆଦି ପ୍ରସଙ୍ଗରେ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ରାଜ୍ୟପାଳଙ୍କ ସହିତ ବିଚାରବିମର୍ଶ କରି ସାମଗ୍ରିକ ପ୍ରସ୍ତାବନା ଦାଖଲ କଲେ ସଂସଦର ଉଭୟ ଗୃହରେ ସରକାର ପ୍ରସ୍ତାବନା ଆଗତ କରିବାକୁ ସମର୍ଥ ହେବେ ବୋଲି ଆଇନ ମନ୍ତ୍ରୀ ରାଜ୍ୟ ସରକାରଙ୍କୁ ସବୁବେଳେ ଚିଠି ଲେଖି ଜଣାଉଛନ୍ତି।

କିନ୍ତୁ, ଏ ଦିଗରେ ବିଳମ୍ବ ଓ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଅଭାବରୁ ଏଭଳି ଅପ୍ରୀତିକର ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଲା। ଫଳରେ ସମ୍ବଲପୁରରେ ଡଜନାଧିକ ଓକିଲ ଗିରଫ ହେଲେ, ୪୩ରୁ ଊର୍ଦ୍ଧ୍ବ ଓକିଲଙ୍କ ଲାଇସେନ୍‌ସ୍‌ ଦେଢ଼ ବର୍ଷ ପାଇଁ ଅଚଳ ‌ହେଲା ଓ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସମ୍ବଲପୁର ବାର୍‌ ଆସୋସିଏସନ୍‌ର ସମସ୍ତ ଓକିଲଙ୍କ ଲାଇସେନ୍‌ସ୍‌ ଅଚଳ ହେଲା।

ଉପରୋକ୍ତ ତଥ୍ୟାବଳି ଓ ପରିସ୍ଥିତି ପ୍ରତି ଦୃଷ୍ଟି ଦେଲେ, ରାଜ୍ୟ ସରକାର ହିଁ ଏଭଳି ଦୁଃଖଦ ଘଟଣା ପାଇଁ ଦାୟୀ ବୋଲି ଜଣାପଡୁଛି। ତେଣୁ, ଏହାର ପ୍ରତିକାର ପାଇଁ ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ଜନପ୍ରତିନିଧି ଭାବେ ଆମେ ଦାବି କରୁଛୁ।

nis-ad
Leave A Reply

Your email address will not be published.