ସୁନ୍ଦରଗଡ଼ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ, ୧୩୪ଟି ମଣ୍ଡି ଜରିଆରେ କିଣାଯିବ ଧାନ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ୨୦୨୨-୨୩ ବର୍ଷ ପାଇଁ ଖରିଫ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ଦିନ ସବଡେଗା ବ୍ଲକର କରମଡିହି ଲ୍ୟାମ୍ପ୍ସଠାରେ ଧାନ ମଣ୍ଡିକୁ ସୁନ୍ଦରଗଡ଼ ଉପଜିଲ୍ଲାପାଳ ଦାଶରଥି ସରାବୁ ଉଦଘାଟନ କରିଛନ୍ତି। ପର୍ଯ୍ୟାୟକ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲାଯିବ।

ଚାଷୀମାନଙ୍କ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ମଣ୍ଡି ବ୍ୟବସ୍ଥା କରାଯାଉଛି। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାରେ ଚଳିତ ବର୍ଷ ୧୩୪ଟି ମଣ୍ଡି କରାଯାଇଛି। ସୁନ୍ଦରଗଡ ଉପଖଣ୍ଡରେ ସର୍ବାଧିକ ୮୯ଟି ମଣ୍ଡି କରାଯାଇଥିବା ବେଳେ ପାନପୋଷ ଉପଖଣ୍ଡରେ ୧୫ ଓ ବଣାଇ ଉପଖଣ୍ଡରେ ୩୦ଟି ମଣ୍ଡି ବ୍ୟବସ୍ଥା କରାଯାଇଛି। ବୃହତ ଆଞ୍ଚଳିକ ବହୁମୁଖୀ ସମବାୟ ସମିତି (ଲ୍ୟାମ୍ପସ୍), ଏମପିସିଏ ଏବଂ ଆରସିଏମଏସ ମାଧ୍ୟମରେ ଏହି ମଣ୍ଡିଗୁଡ଼ିକର ପରିଚାଳନା କରାଯାଉଛି।

ଏହି ମଣ୍ଡିଗୁଡ଼ିକରେ ଧାନ ବିକ୍ରୟ ପାଇଁ ମୋଟ ୪୯ ହଜାର ୯୪୦ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ଚଳିତ ବର୍ଷ ଜିଲ୍ଲାରୁ ୨ ଲକ୍ଷ ୮୩୮ ମେଟ୍ରିକ ଟନ ଧାନ କିଣିବାକୁ ଲକ୍ଷ୍ୟ ରଖାଯାଇଛି। ଗ୍ରେଡ-୧ ମାନ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୨ ହଜାର ୬୦ ଟଙ୍କା ରହିଛି। ସେହିପରି ଏଫଏକ୍ୟୁ ମାନ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨ ହଜାର ୪୦ ଟଙ୍କା ଧାର୍ଯ୍ୟ କରାଯାଇଛି।

ମଣ୍ଡିଗୁଡ଼ିକରେ ଚାଷୀମାନଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅସ୍ଥାୟୀ ବିଶ୍ରାମାଗାର ସହିତ ପାନୀୟ ଜଳ ଏବଂ ଶୌଚାଳୟ କରାଯାଇଛି। ମଣ୍ଡିରେ ଧାନ ବିକ୍ରି କରିବା ଲାଗି ଚାଷୀମାନଙ୍କୁ ସଚେତନ କରାଯାଉଛି।

ସେହିପରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ମଧ୍ୟ ଏଥର ଧାନ କିଣିବା ପ୍ରକ୍ରିୟାରେ ସାମିଲ କରାଯାଇଛି। ଚଳିତ ବର୍ଷ ୭ଟି ବ୍ଲକର ୮ଟି ଗ୍ରାମପଞ୍ଚାୟତ ପାଇଁ ୮ଟି ଗୋଷ୍ଠୀକୁ ଏହି ଦାୟିତ୍ୱ ଦିଆଯାଇଛି। ବାଲିଶଙ୍କରା ବ୍ଲକର ତୁମୁଲିଆ, ବଡଗାଁ ବ୍ଲକର ରୁନଗାଁ, ଗୁରୁଣ୍ଡିଆ ବ୍ଲକର ପଙ୍କଡିହି, କୁଆଁରମୁଣ୍ଡା ବ୍ଲକର କଚାରୁ, ଲେଫ୍ରିପଡ଼ା ବ୍ଲକର କୁଲବିରା, ଲାଠିକଟା ବ୍ଲକର ବିର୍ଡା, ଲହୁଣୀପଡ଼ା ବ୍ଲକର ତଳବାହାଲି ଓ କୁଲିପୋଷ ପଞ୍ଚାୟତରେ ଚାଷୀମାନଙ୍କଠାରୁ ଏସଏଚଜି ମା’ମାନେ ଧାନ ସଂଗ୍ରହ କରିବେ।

ସବଡେଗା ବ୍ଲକରେ ମଣ୍ଡି ଉଦଘାଟନ ବେଳେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଦୁର୍ଗା ଚରଣ ବେଶ୍ରା, ସହକାରୀ ଯୋଗାଣ ଅଧିକାରୀ ବିଜୟ କୁମାର ବାରିକ, ସମବାୟ ବ୍ୟାଙ୍କର ସମ୍ପାଦକ ଭକ୍ତେଶ୍ୱର ମଲ୍ଲିକ, ସମବାୟ ସମିତିର ସହକାରୀ ନିବନ୍ଧକ ଗାବ୍ରିଏଲ ସୋରେନ, ସର୍ଗିପାଲି ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ଅମଳେନ୍ଦୁ ସିଂ ନାଏକ ପ୍ରମୁଖ ଯୋଗ ଦେଇଥିଲେ।

nis-ad
Leave A Reply

Your email address will not be published.