ନିଯୁକ୍ତି ପ୍ରକ୍ରିୟା ପରିବର୍ତ୍ତନ ନହେବା ପର୍ଯ୍ୟନ୍ତ ଉଚ୍ଚ ନ୍ୟାୟିକ ପଦବୀ ଖାଲି ପଡ଼ୁଥିବ; ଆଇନ ମନ୍ତ୍ରୀ

ନୂଆଦିଲ୍ଲୀ: ବିଚାରପତି ନିଯୁକ୍ତି ପ୍ରସଙ୍ଗକୁ କେନ୍ଦ୍ରକରି ସୁପ୍ରିମକୋର୍ଟଙ୍କ ସହ କେନ୍ଦ୍ର ସରକାରଙ୍କର ବାକ୍‌ ଯୁଦ୍ଧ ଚାଲିଥିବା ବେଳେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଆଜି କହିିଛନ୍ତି ଯେ ବିଚାରପତି ନିଯୁକ୍ତିରେ ସରକାରଙ୍କର ସୀମିତ ଭୂମିକା ରହିଛି।

ଶ୍ରୀ ରିଜିଜୁ ଆଜି ସଂସଦରେ ବହୁ ସଂଖ୍ୟକ ବିଚାରାଧୀନ ମାମଲା ଉପରେ ଏକ ପ୍ରଶ୍ନର ଉତ୍ତର ଦେବାବେଳେ କହିଛନ୍ତି ଯେ ସଂପ୍ରତି ସାରା ଦେଶରେ ପାଞ୍ଚ କୋଟିରୁ ଅଧିକ ମାମଲା ବିଚାରାଧୀନ ଥିବାରୁ ଏହା ଏକ ଚିନ୍ତାଜନକ ବିଷୟ। ତେବେ, ମନ୍ତ୍ରୀ କହିଛନ୍ତି ଯେ ଏହାର ମୌଳିକ କାରଣ ହେଉଛି ବିଚାରପତି ନିଯୁକ୍ତି। ବିଚାରାଧୀନ ମାମଲାଗୁଡ଼ିକର ସଂଖ୍ୟା ହ୍ରାସ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଥିଲେ, କିନ୍ତୁ ବିଚାରପତିଙ୍କ ଖାଲି ପଦବୀ ପୂରଣ କରିବାରେ ସରକାରଙ୍କର ବହୁତ ସୀମିତ ଭୂମିକା ରହିଛି।
କଲେଜିୟମ ନୂତନ ବିଚାରପତିଙ୍କୁ ଚୟନ କରିଥାଏ ଏବଂ ଏହା ବ୍ୟତୀତ ବିଚାରପତି ନିଯୁକ୍ତ କରିବା ପାଇଁ ସରକାରଙ୍କ ନିକଟରେ ଅନ୍ୟ କୌଣସି ଅଧିକାର ନାହିଁ ବୋଲି ଶ୍ରୀ ରିଜିଜୁ କହିଛନ୍ତି। ସେ କହିଛନ୍ତି ଯେ ସରକାର ପ୍ରାୟତଃ ଭାରତର ପ୍ରଧାନ ବିଚାରପତି ଏବଂ ରାଜ୍ୟ ହାଇକୋର୍ଟମାନଙ୍କର ମୁଖ୍ୟ ବିଚାରପତିମାନଙ୍କୁ ବିଚାରପତିଙ୍କ ନାମ ପଠାଇବାକୁ କହିଥାନ୍ତି; ଯାହା ଗୁଣବତ୍ତା ଏବଂ ଭାରତର ବିବିଧତାକୁ ପ୍ରତିଫଳିତ କରେ ଏବଂ ମହିଳାମାନଙ୍କୁ ଉପଯୁକ୍ତ ପ୍ରତିନିଧିତ୍ୱ ଦେଇଥାଏ।

କିନ୍ତୁ ବର୍ତ୍ତମାନର ବ୍ୟବସ୍ଥା ସଂସଦ କିମ୍ବା ଲୋକଙ୍କ ଭାବନାକୁ ପ୍ରତିଫଳିତ କରିନାହିଁ ବୋଲି ସେ ମନ୍ତବ୍ୟ ଦେଇଛନ୍ତି। ଏଥିସହ ସେ କହିଛନ୍ତି ଯେ ଏପ୍ରସଙ୍ଗରେ ମୁଁ ଅଧିକ କହିବାକୁ ଚାହେଁ ନାହିଁ; କାରଣ ଏହା ନ୍ୟାୟପାଳିକାରେ ସରକାର ହସ୍ତକ୍ଷେପ କରୁଥିବା ପରି ମନେ ହୋଇପାରେ! କିନ୍ତୁ ସମ୍ବିଧାନର ଭାବନା କହୁଛି ବିଚାରପତି ନିଯୁକ୍ତ କରିବା ସରକାରଙ୍କ ଅଧିକାର। ୧୯୯୩ ପରେ ଏହା ବଦଳି ଗଲା ବୋଲି ସେ କହିଛନ୍ତି।

ଶ୍ରୀ ରିଜିଜୁ ୨୦୧୪ରେ ଅଣାଯାଇଥିବା ଜାତୀୟ ନ୍ୟାୟିକ ନିଯୁକ୍ତି ଆୟୋଗ (ଏନଜେଏସି) ଆଇନ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯାହାକୁ ୨୦୧୫ରେ ସୁପ୍ରିମକୋର୍ଟ ଉଚ୍ଛେଦ କରିଥିଲେ। ଆଇନ ମନ୍ତ୍ରୀ କହିଛନ୍ତି, ବିଚାରପତି ନିଯୁକ୍ତି ପ୍ରକ୍ରିୟା ପରିବର୍ତ୍ତନ ନହେବା ପର୍ଯ୍ୟନ୍ତ ଉଚ୍ଚ ନ୍ୟାୟିକ ପଦବୀ ଖାଲି ପଡ଼ୁଥିବ।

nis-ad
Leave A Reply

Your email address will not be published.