ମହିଳାଙ୍କୁ ମାସକୁ ୧୨ଟି ସାନିଟାରି ନାପକିନ ଯୋଗାଇ ଦିଆଯିବ: ଗେହଲଟ୍

ଜୟପୁର: ମାସିକ ଋତୁସ୍ରାବ କାଳରେ ମହିଳାମାନଙ୍କୁ ମାଗଣାରେ ସାନିଟାରି ନାପକିନ ଯୋଗାଇ ଦେବେ ରାଜସ୍ଥାନ ସରକାର। ଋତୁସ୍ରାବ ଜନିତ ସମସ୍ୟାରେ ଶିକାର ହେଉଥିବା ମହିଳାଙ୍କୁ ପ୍ରତିମାସରେ ୧୨ଟି ସାନିଟାରି ନାପକିନ ଯୋଗାଇ ଦିଆଯିବ। ଏନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ଅଶୋକ ଗେହଲଟ ଏକ ସାମ୍ବାଦିକ ସମ୍ମିଳିନୀ କରି କହିଛନ୍ତି ଯେ, ଋତୁସ୍ରାବ ସମୟରେ ମହିଳାମାନେ ଯନ୍ତ୍ରଣାରେ ଶୀକାର ହେଉଥିବା ବେଳେ ସେମାନେ କାହିଁକି ନିରବ ରହୁନ୍ତି। ଋତୁସ୍ରାବକୁ ନେଇ ସମାଜରେ ରହିଥିବା କୁତ୍ସିତ ଧାରଣା ଦୂର ହେବା ଉଚିତ୍। ସାଧାରଣତଃ ଏହାକୁ ଏକ ଲଜ୍ଜାବୋଧ ଅନୁଭବ କରି ମହିଳାମାନେ ପ୍ରକାଶ କରିବାକୁ ଭୟ କରନ୍ତି। ଏହି ଭ୍ରାନ୍ତ ଧାରଣା ଦୂର ହେବା ଉଚିତ।
ତେଣୁ ରାଜ୍ୟରେ ମହିଳାମାନଙ୍କୁ ପ୍ରତିମାସରେ ୧୨ଟି ସାନିଟାରି ନାପକିନ ବିନା ଶୁକ୍ପରେ ଯୋଗେଇ ଦେବାକୁ ରାଜସ୍ଥାନ ସରକାର ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ନିକଟରେ ଜାତୀୟ ପାରିବାରିକ ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନଏଫଏଚଏସ) ରିପୋର୍ଟ ଅନୁଯାୟୀ ୧୫-୨୪ ବର୍ଷ ବୟସର ପ୍ରାୟ ୫୦ ପ୍ରତିଶତ ମହିଳା ଏପର୍ଯ୍ୟନ୍ତ ଋତୁସ୍ରାବ କାଳରେ ସୁରକ୍ଷା ପାଇଁ କପଡା ବ୍ୟବହାର କରନ୍ତି ବୋଲି ଜାଣିବାକୁ ମିଳିଛି। ବିଶେଷଜ୍ଞମାନେ ଏହାକୁ ସଚେତନତାର ଅଭାବ ଏବଂ ଋତୁସ୍ରାବକୁ ନେଇ ରହିଥିବା ବିଭିନ୍ନ ପ୍ରକାରର ଅଜ୍ଞତା ଓ ଅନ୍ଧବିଶ୍ୱାସ ଦାୟୀ ବୋଲି କହିଛନ୍ତି।

ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯେ ଏ କ୍ଷେତ୍ରରେ ଯଦି ଏକ ଅପରିଷ୍କାର କପଡା ପୁନଃ ବ୍ୟବହାର କରାଯାଏ, ତେବେ ଏହା ଏକାଧିକ ସ୍ଥାନୀୟ ସଂକ୍ରମଣର ସଂସ୍ପର୍ଶରେ ଆସି ଶରୀର ମଧ୍ୟରେ ଏକାଧିକ ରୋଗର କାରଣ ହୋଇଥାଏ। ନିକଟରେ ପ୍ରକାଶିତ ଏନଏଫଏଚଏସର ଏକ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ରିପୋର୍ଟ ପ୍ରସ୍ତୁତି କାଳରେ ୧୫-୨୪ ବର୍ଷ ବୟସର ମହିଳାମାନଙ୍କୁ ପଚରା ଯାଇଥିଲା ଯେ ସେମାନେ ଋତୁସ୍ରାବ ସୁରକ୍ଷା ପାଇଁ କେଉଁ ପଦ୍ଧତି ଏବଂ କ’ଣ ବ୍ୟବହାର କରନ୍ତି? ଭାରତରେ ୬୪ ପ୍ରତିଶତ ମହିଳା ବିଭିନ୍ନ କମ୍ପାନି ଦ୍ୱାରା ପ୍ରସ୍ତୁତ ସାନିଟାରି ନାପକିନ୍‌ ବ୍ୟବହାର କରୁଥିବା ବେଳେ, ୫୦ ପ୍ରତିଶତ କପଡା ବ୍ୟବହାର କରନ୍ତି ଏବଂ ୧୫ ପ୍ରତିଶତ ସ୍ଥାନୀୟ ଭାବରେ ପ୍ରସ୍ତୁତ ନାପକିନ୍‌ ବ୍ୟବହାର କରନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି।

nis-ad
Leave A Reply

Your email address will not be published.