ଚାରିଥର ହାରିବା ପରେ ଜିତି ମନ୍ତ୍ରୀ ହେଲେ ଭିକୁସିଂହ ପାରମର

ଅହମଦାବାଦ: ଆପଣ ଯଦି ଧୈର୍ଯ୍ୟ ଫଳକୁ ଅପେକ୍ଷା କରିବାକୁ ଚାହୁଁଛନ୍ତି, ତା’ହେଲେ ଭିକୁସିଂହ ପାରମରଙ୍କୁ ଉଦହାରଣ ଭାବେ ନିଅନ୍ତୁ। ଅପେକ୍ଷାର ଫଳ କେତେ ମିଠା, ତା’ର ସ୍ୱାଦ ପାଇଛନ୍ତି ପାରମର। ସେ ରାଜନୀତିକ ମୈଦାନରେ ବାରମ୍ବାର ନିଜର ଭାଗ୍ୟ ପରୀକ୍ଷା କରିବା ପରେ ଏଥର ସଫଳତା ପାଇଛନ୍ତି।

କେବଳ ସେ ବିଜେପି ଟିକେଟରୁ ଜିତି ଗୁଜରାଟ ବିଧାନସଭାକୁ ଯାଇ ନାହାନ୍ତି, ବରଂ ଭୂପେନ୍ଦ୍ର ପଟେଲଙ୍କ ୨.୦ ସରକାରରେ ମନ୍ତ୍ରୀ ପଦ ପାଇଛନ୍ତି। ଏବେ ବିଧାୟକ ତଥା ମନ୍ତ୍ରୀ ପାରମରଙ୍କୁ ନେଇ ସବୁଆଡ଼େ ଚର୍ଚ୍ଚା।

ବିଜେପି ନେତା ପାରମର ନିର୍ବାଚନ ରଣାଙ୍ଗନକୁ ପ୍ରଥମଥର ୧୯୯୫ରେ ଓହ୍ଲାଇଥିଲେ। କିନ୍ତୁ ତାଙ୍କୁ ହାରିବାକୁ ପଡ଼ିଥିଲା। ୨୦୦୨ ଗୁଜରାଟ ବିଧାନସଭା ନିର୍ବାଚନରେ ମଧ୍ୟ ପାରମରଙ୍କୁ ସମ ଦଶା ଭୋଗିବାକୁ ପଡ଼ିଥିଲା। ୨୦୦୭ ଓ ୨୦୧୭ରେ ବି ସେ ହାରିଥିଲେ।

ସେ ୧୯୯୫ରୁ ୨୦୧୭ ମଧ୍ୟରେ ସେ ୪ଥର ନିର୍ବାଚନ ଲଢ଼ିବା ସହ ସବୁ ଥରକ ପରାସ୍ତ ହୋଇଥିଲେ। କିନ୍ତୁ ୨୦୨୨ରେ ବିଜେପି ଭଳି ସେ ମଧ୍ୟ ମୋଡାସାରୁ ଐତିହାସିକ ବିଜୟ ହାସଲ କରିଛନ୍ତି। ଗୁଜରାଟ ବିଧାନସଭାର ୧୮୨ ଆସନରୁ ବିଜେପି ୧୫୬ଟି ଦଖଲ କରିଛି। ଏହାପରେ ଭୂପେନ୍ଦ୍ର ପଟେଲ ସୋମବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତାଙ୍କ ମନ୍ତ୍ରିମଣ୍ଡଳରେ ପ୍ରଥମଥର ପାଇଁ ବିଧାୟକ ହୋଇଥିବା ପାରମର ମଧ୍ୟ ସ୍ଥାନ ପାଇଛନ୍ତି।

୬୮ ବର୍ଷୀୟ ପାରମରଙ୍କ ପାଇଁ ୫ମ ଥର ନିର୍ବାଚନ ଲଢ଼ିବା ଲକି ସାବ୍ୟସ୍ତ ହୋଇଛି। ସେ ମୋଡାସା ଆସନରେ ୩ଥରର କଂଗ୍ରେସ ବିଧାୟକ ରାଜେନ୍ଦ୍ର ସିଂହ ଠାକୋରଙ୍କୁ ୩୪,୭୮୮ ଖଣ୍ଡ ଭୋଟରେ ହରାଇ ଦେଇଛନ୍ତି। ଏହି ବିଜୟ ପରେ ଖୁସିରେ ନାଚି ଉଠିଥିବା ପାରମର ସୋମବାର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ପାରମର ତାଙ୍କର ପ୍ରଥମ ନିର୍ବାଚନ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିଲେ ଓ ୧୩,୦୪୧ ଖଣ୍ଡ ପାଇଥିଲା। ୨୦୦୨ରେ ସେ ପୁଣି ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ନିଜର ଭୋଟ ସଂଖ୍ୟା ୧୭,୫୯୬ରେ ପହଞ୍ଚାଇଥିଲେ। ୨୦୦୭ରେ ପାରମର ବିଏସ୍‌ପି ପକ୍ଷରୁ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ତାଙ୍କ ଭୋଟ ସଂଖ୍ୟା ହ୍ରାସ ପାଇ ୭,୬୯୬ରେ ପହଞ୍ଚି ଯାଇଥିଲା।

ଏଥିପାଇଁ ସେ ବିଏସ୍‌ପିରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ। ବିଜେପି ତାଙ୍କୁ ୨୦୧୭ ବିଧାନସଭା ନିର୍ବାଚନ ବେଳେ ମୋଡାସାରୁ ପ୍ରାର୍ଥୀ କରିଥିଲା। ସେ କଂଗ୍ରେସର ରାଜେନ୍ଦ୍ର ସିଂହଙ୍କୁ କଡ଼ା ଟକ୍କର ମଧ୍ୟ ଦେଇଥିଲେ। ହେଲେ ୧,୬୪୦ ଖଣ୍ଡ ଭୋଟରେ ତାଙ୍କୁ ପରାସ୍ତ ହେବାକୁ ପଡ଼ିଥିଲା ତଥାପି ସେ ଲୋକଙ୍କ ସହ ଜଡ଼ିତ ରହି ନିଜର କାମ ଜାରି ରଖିଥିଲେ। ଏହାର ଫାଇଦା ତାଙ୍କୁ ୨୦୨୨ ବିଧାନସଭା ନିର୍ବାଚନରେ ମିଳିଛି।

ସମବାୟ ସେକ୍ଟର ସହ ଜଡ଼ିତ ପାରମର ହେଉଛନ୍ତି ଜଣେ ତୃଣମୂଳସ୍ତରର ନେତା। ହିମତନଗରରେ ଥିବା ସବର ଡାଏରୀରେ ସେ ପ୍ରଥମେ ଓବିସି ଭାବେ ନିର୍ଦ୍ଦେଶକ ପଦ ହାତେଇଥିଲେ। ବାରମ୍ବାର ନିର୍ବାଚନ ହାରୁଥିଲେ ମଧ୍ୟ ସେ ଲୋକଙ୍କ ପାଇଁ କାମ କରୁଥିଲେ ଓ ଦିନେ ଜିତିବେ ବୋଲି ଆଶା ରଖିଥିଲେ। ତାଙ୍କର ଏହି ଆଶା ୨୦୨୨ରେ ପୂରଣ ହୋଇଛି। ସେ ବିଧାୟକ ବିନିବା ସହ ଗୁଜରାଟର ଜଣେ ମନ୍ତ୍ରୀ ବି ହୋଇଛନ୍ତି।

nis-ad
Leave A Reply

Your email address will not be published.