ବାଲୋଚିସ୍ତାନ୍‌ ପ୍ରଦେଶରେ ଆଫଗାନ୍‌ ସେନାର ବେପରୁଆ ଗୁଳି ଚାଳନା; ୬ ମୃତ, ୧୭ ଆହତ

ଇସ୍‌ଲାମାବାଦ: ରବିବାର ଦିନ ଆଫଗାନ ସୀମାନ୍ତ ସୈନ୍ୟମାନେ ବାଲୋଚିସ୍ତାନର ଚମନ୍‌ ଜିଲ୍ଲା ସୀମା ମଧ୍ୟକୁ ଅକାରଣରେ ବେପରୁଆ ଗୁଳି ଚାଳନା କରିବାଦ୍ବାରା ଅନ୍ୟୂନ ୬ଜଣ ପାକିସ୍ତାନୀ ନାଗରିକଙ୍କ ମୃତ୍ୟୁ ଘଟିଛି ଓ ଆଉ ୧୭ଜଣ ଆହତ ହୋଇଥିବା କଥା ପାକିସ୍ତାନୀ ସେନା କହିଛି।

ସେନାର ଗଣମାଧ୍ୟମ ବିଭାଗ ‘ଇଣ୍ଟର୍‌-ସର୍ଭିସ୍‌ ପବ୍ଲିକ୍‌ ରିଲେସନ୍‌ସ୍‌’ (ଆଇଏସ୍‌ପିଆର୍‌) କହିବା ଅନୁସାରେ, ଏହି ଗୁଳି ଚାଳନାରେ ଆଫଗାନ୍‌ ସେନା କମାଣ ଓ ମୋର୍ଟାର୍‌ ସମେତ ଭାରୀ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଛନ୍ତି।
ଜାରି କରିଥିବା ବିବୃତିରେ ‘ଆଇଏସ୍‌ପିଆର୍‌’ କହିଛି, ବେସାମରିକ ନାଗରିକମାନଙ୍କ ଉପରକୁ ଆଫଗାନ ସୀମାନ୍ତ ବଳ ଅକାରଣରେ ନିର୍ବିଚାର ଭାବେ କମାଣ ଓ ମୋର୍ଟାର୍‌ ସମେତ ଭାରୀ ଅସ୍ତ୍ର ନିକ୍ଷେପ କରିଛି।
‘ସମା’ ଟେଲିଭିଜନ୍‌ କହିବା ଅନୁସାରେ, ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଉକ୍ତ ଅଞ୍ଚଳକୁ କର୍ଡନ୍‌ କରିଛି। ମୁକାବିଲା କରିବାକୁ ଯାଇ ପାକିସ୍ତାନ ସେନା ମଧ୍ୟ ପାଲଟା ଗୁଳିଚାଳନା କରିଛି।

ପରିସ୍ଥିତିର ଗମ୍ଭୀରତା ସଂକ୍ରାନ୍ତରେ ଅବଗତ କରାଇବା ଲାଗି ପାକିସ୍ତାନ ସରକାର କାବୁଲରେ ଥିବା ଆଫଗାନ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚିଥିଲେ। ଭବିଷ୍ୟତରେ ପୁଣି ଯେମିତି ଏ ଭଳି ଘଟଣା ନ ଘଟେ ସେଥିପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ବୋଲି ସେନା ଜରି କରିଥିବା ବିବୃତିରେ ଉଲ୍ଳେଖ ଅଛି।

ଆଫଗାନ୍‌ ସେନା କହିଁକି ଗୁଳି ଚାଳନା କଲା ଓ ପାଲଟା ଗୁଳି ଚାଳନାରେ ସେମାନଙ୍କ ହୋଇଥିବା କ୍ଷୟକ୍ଷତି ବିଷୟରେ ହଠାତ୍‌ କିଛି ଜଣାପଡ଼ି ନାହିଁ।

nis-ad
Leave A Reply

Your email address will not be published.