ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଭଉଣୀଙ୍କୁ ଅନଶନରୁ ଉଠାଇ ନେଲା ପୁଲିସ

ଅମରାବତୀ: କିଛି ଦିନ ତଳେ କାର୍ ସହ ଉଠାଇନେଇଥିଲେ। ଆଉ ଏବେ ଅନଶନରୁ ଉଠାଇ ନେଇଛି ପୁଲିସ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ତଥା ୱାଇଏସ୍‌ଆର୍‌ଟିପି ମୁଖ୍ୟ ୱାଇ ଏସ୍ ଶର୍ମିଲାଙ୍କ ପାଇଁ ଅଡୁଆ ସାଜିଛି ପ୍ରତିବାଦ। ତେଲେଙ୍ଗାନାରେ ମୁଖ୍ୟମନ୍ତ୍ରୀ କେସିଆର୍‌ଙ୍କ ବିରୋଧରେ ଶର୍ମିଲାଙ୍କୁ ଆନ୍ଦୋଳନ କରିବାକୁ ଦେଉନି ପୁଲିସ।

ଶନିବାର ରାତିରେ ପୁଲିସ ଆମରଣ ଅନଶନରେ ବସିଥିବା ୱାଇ ଏସ୍ ଶର୍ମିଲାଙ୍କ ଅନଶନଙ୍କୁ ଭାଙ୍ଗିଛି। ଏଥିସହ ତାଙ୍କୁ ଅନଶନ ସ୍ଥଳରୁ ଉଠାଇ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଛି। ରାଜ୍ୟବ୍ୟାପୀ ‘ପଦଯାତ୍ରା’ ଜାରି ରଖିବାକୁ ଅନୁମତି ନ ମିଳିବାରୁ ଶୁକ୍ରବାରଠାରୁ ଦଳର ମୁଖ୍ୟାଳୟ ଆଗରେ ଆମରଣ ଅନଶନରେ ବସିଥିବା ଶର୍ମିଲାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା।

ଶର୍ମିଳାଙ୍କ ଅନଶନ ଭାଙ୍ଗିବା ଲାଗି ପୁଲିସ ଗତରାତିରେ ଗଣମାଧ୍ୟମ ପ୍ରତିନିଧି, ଦଳୀୟ ନେତା ଓ କର୍ମୀମାନଙ୍କୁ ଘଟଣା ସ୍ଥଳରୁ ହଟାଇ ଦେଇଥିଲା। ପରେ ରାତି ପ୍ରାୟ ୧ଟା ବେ‌ଳେ ପୁଲିସ ଶର୍ମିଲାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲା। ଅନଶନରେ ବସିଥିବା ବ‌େଳେ ଶର୍ମିଳା ପାଣି ମଧ୍ୟ ସ୍ପର୍ଶ କରି ନ ଥିଲେ। ଫଳରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଗତିରେ ଖରାପ ହେବାକୁ ଲାଗିଥିଲା।

ଶର୍ମିଲାଙ୍କ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର କହିଛନ୍ତି ଯେ, ତାଙ୍କ ରକ୍ତଚାପ ଓ ଶର୍କରା ସ୍ତର ଭୟାନକ ରୂପେ ହ୍ରାସ ପାଇଛି। ଜଳ ଶୁସ୍କତା ଯୋଗୁ ଶରୀରରେ ଇଲେକ୍ଟ୍ରୋଲାଇଟ୍ ସ୍ତର ମଧ୍ୟ ହ୍ରାସ ପାଇଛି। ଏବେ କିନ୍ତୁ ଚିକିତ୍ସା ପରେ ତାଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।

ଅଦାଲତର ଅନୁମତି ସତ୍ତ୍ୱେ ପଦଯାତ୍ରା ପାଇଁ ପୁଲିସ ଶର୍ମିଲାଙ୍କୁ ଅନୁମତି ଦେଇନଥିଲ । ଏହାପରେ ଶର୍ମିଲା ଶୁକ୍ରବାର ଦିନ ହୁସେନ୍ ସାଗର ହ୍ରଦ ନିକଟରେ ଥିବା ଆମ୍ବେଦକର ପ୍ରତିମୂର୍ତ୍ତି ନିକଟରେ ସ୍ମାରକ ପତ୍ର ଦାଖଲ କରି ଅନଶନ ଆରମ୍ଭ କରିଥିଲେ। ଏହାପରେ ତାଙ୍କୁ ଲୋଟସ୍ ପଣ୍ଡ ଅଞ୍ଚଳର ଦଳୀୟ କାର‌୍ୟ୍ୟାଳୟକୁ ନିଆଯାଇଥିଲା ବୋଲି ‌ପୁଲିସ କହିଛି।

ଏହାପୂର୍ବରୁ ନଭେମ୍ବର ୨୯ ତାରିଖରେ ୱାଇଏସ୍ ଶର୍ମିଲାଙ୍କ କାର୍‌କୁ ପଞ୍ଜାଗୁଟ୍ଟା ପୁଲିସ ଅଟକ ରଖିଥିଲା। ତାଙ୍କ ବିରୋଧରେ ଚୋରୀ, ଅପରାଧିକ ଧମକ ଓ ବିଭିନ୍ନ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଥିଲା। ତାଙ୍କୁ ସେହି ଦିନ ସନ୍ଧ୍ୟାରେ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରାଯାଇଥିଲା। ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ସରକାରୀ ବାସଭବନକୁ ଘେରାଉ କରିବାକୁ ଯାଉଥିବାବେଳେ ୱାଇଏସ୍ ଶର୍ମିଲାଙ୍କୁ ସୋମାଜିଗୁଡାରୁ ଗିରଫ କରାଯାଇଥିଲା।

nis-ad
Leave A Reply

Your email address will not be published.