ପରାଜୟ ସ୍ୱୀକାର କଲେ, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଜୟରାମ ଠାକୁର

ଶିମଲା: ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ପରାଜୟ ସ୍ୱୀକାର କରି ନେଇଛି କ୍ଷମତାସୀନ ବିଜେପି। ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ବିଜୟ ହୋଇଥିଲେ ମଧ୍ୟ ତାଙ୍କ ଦଳ ବିଜେପି ସରକାର ଗଠନ କରିବା ପାଇଁ ମ୍ୟାଜିକ ନମ୍ବର ୩୫ ଠାରୁ ପଛରେ ରହିବ ବୋଲି ବର୍ତ୍ତମାନ ସୁଦ୍ଧା ସରିଥିବା ଭୋଟ ଗଣତିରୁ ଏକପ୍ରକାରର ସ୍ପଷ୍ଟ ହୋଇଛି।

ତେଣୁ ବିଧିବଦ୍ଧ ନିର୍ବାଚନ ଫଳାଫଳ ଘୋଷଣା ହେବା ପୂର୍ବରୁ ବିଜେପି ନେତା ତଥା ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପରାଜୟ ସ୍ୱୀକାର କରିଛନ୍ତି। ଏଥିସହ ସେ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଥିବା ଘୋଷଣା କରିଛନ୍ତି।
ସେ କହିଛନ୍ତି, “ମୁଁ ଲୋକଙ୍କ ମତକୁ ସମ୍ମାନ କରୁଛି ଓ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ କେନ୍ଦ୍ରୀୟ ନେତୃତ୍ୱବୃନ୍ଦ ୫ ବର୍ଷ ହେଲା ଯୋଗାଇ ଆସିଥିବା ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଆମେ ରାଜନୀତିରୁ ଉପରେ ରହି ରାଜ୍ୟରେ ବିକାଶ କରିବାକୁ ଲକ୍ଷ୍ୟ ରଖିଛୁ। ଆସନ୍ତା ଥର କେମିତି ଆମେ ତ୍ରୁଟି ସୁଧାରି ପାରିବୁ, ସେ ଦିଗରେ କାମ କରିବୁ।”

ହିମାଚଳ ପ୍ରଦେଶର ୬୮ଟି ବିଧାନସଭା ଆସନରୁ ବିଜେପି ବର୍ତ୍ତମାନ ସୁଦ୍ଧା ୧୮ଟିରେ ଜିତିଥିବା ବେଳେ ଆଉ ୮ଟିରେ ଲିଡ୍‌ କରୁଛି। ସେହିପରି କଂଗ୍ରେସ ୨୭ଟିରେ ଜିତିଛି ଓ ୧୨ଟିରେ ଆଗରେ ରହିଛି। ଆପ୍‌ ଖାତା ଖୋଲିବାକୁ ସକ୍ଷମ ହୋଇନି। ସ୍ୱାଧୀନ ପ୍ରାର୍ଥୀ ୩ଟି ଆସନରେ ଜିତିଛନ୍ତି। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୩୫।

nis-ad
Leave A Reply

Your email address will not be published.