ଦଳ ବିରୋଧୀ କାର୍ଯ୍ୟକଳାପ ହେତୁ ୩୦ଜଣ ନେତାଙ୍କୁ ବହିଷ୍କାର କଲା କଂଗ୍ରେସ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ କଂଗ୍ରେସରେ ଫାଟ। ନିର୍ବାଚନ ଫଳାଫଳ ଆସିବାର ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦଳ ବିରୋଧୀ କାର୍ଯ୍ୟକଳାପରେ ଜଡିତ ୩୦ଜଣ ନେତାଙ୍କୁ ବହିଷ୍କାର କରିଛି କଂଗ୍ରେସ। ବର୍ତ୍ତମାନ ପାଇଁ ଏହି ନେତାମାନଙ୍କୁ ଆସନ୍ତା ୬ବର୍ଷ ପାଇଁ ଦଳର ପ୍ରାଥମିକ ସଦସ୍ୟତାରୁ ବହିଷ୍କାର କରାଯାଇଛି।
ଆସିଥିବା ତାଲିକା ଅନୁଯାୟୀ, ଧୀରେନ୍ଦର ସିଂ ଚୌହାନ, ସନ୍ତୋଷ ଡୋଗ୍ରା, ଅନିଶ ଦିବନ, ରାମ ଲାଲ ନେବାଲି, ମହେଶ ଠାକୁର ମ୍ୟାଡି, ଶ୍ୟାମ ଶର୍ମା, ସୁଖ ରାମ ନାଗରିକ, ସୁରେନ୍ଦ୍ର ସିଂ ମେଘତାଙ୍କ ଭଳି ନେତାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଶିମଲା ଜିଲ୍ଲାର ଚୌପଲ ବ୍ଲକ କଂଗ୍ରେସ କମିଟି ଅଭିଯୋଗ କରିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାଜ୍ୟ କଂଗ୍ରେସ ସଭାପତି ପ୍ରତିଭା ସିଂ କଂଗ୍ରେସର ୩୦ଜଣ ନେତାଙ୍କୁ ବହିଷ୍କାର କରିଛନ୍ତି। କିଛି ନେତା ଦଳ ବିରୋଧୀ କାର୍ଯ୍ୟକଳାପ କରୁଥିବା ନେଇ ପ୍ରତିଭା ସିଂଙ୍କ ପାଖକୁ ପୂର୍ବରୁ ଅଭିଯୋଗ ଆସିଥିବା ବେଳେ ଏବେ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଏହାପୂର୍ବରୁ ମଧ୍ୟ ହିମାଚଳ ପ୍ରଦେଶରେ କଂଗ୍ରେସ ଦ୍ୱାରା ଅନେକ ନେତାଙ୍କୁ ବହିଷ୍କାର କରାଯାଇଥିଲା। ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ହେବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

nis-ad
Leave A Reply

Your email address will not be published.