ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ଗଡ଼ରେ ବିଜେପିର ବଡ଼ ବିଜୟ

ନୂଆଦିଲ୍ଲୀ: ମହାନଗର ନିଗମ ନିର୍ବାଚନରେ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ବିପୁଳ ବିଜୟ ହାସଲ କରିଛି। ବିଜେପି ପରାସ୍ତ ହୋଇଛି। ହେଲେ ବିଜୟ ସତ୍ତ୍ୱେ ଦଳକୁ ଦୁଇଟି ବଡ଼ ଝଟକା ଲାଗିଛି। ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଜେଲରେ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ନିର୍ବାଚନ ମଣ୍ଡଳରେ ଆପ୍‌କୁ ନିରାଶ ହେବାକୁ ପଡ଼ିଛି।

ସିସୋଦିଆଙ୍କ ନିର୍ବାଚନ ମଣ୍ଡଳୀ ପ୍ରତାପଗଞ୍ଜରେ ଥିବା ୪ଟି ୱାର୍ଡରୁ ବିଜେପି ୩ଟିରେ ଜିତିଛି। ଏଠାରେ ଆପ କେବଳ ଗୋଟିଏ ଆସନ ଜିତିବାକୁ ସକ୍ଷମ ହୋଇଛି। ସେହିପରି ସତ୍ୟେନ୍ଦ୍ର ଜୈନଙ୍କ ଶାକୁର ବସ୍ତି ଅଧୀନରେ ୩ଟି ୱାର୍ଡ ରହିଥିଲା। ଏହି ୩ଟି ଯାକ ୱାର୍ଡରେ ଆପ୍‌ ହାରିଛି।

ନିର୍ବାଚନ ପୂର୍ବରୁ ସିସୋଦିଆଙ୍କ ନାଁ ତଥାକଥିତ ଅବକାରୀ ନୀତି ଦୁର୍ନୀତିରେ ଯୋଡ଼ି ହୋଇଯାଇଥିଲା। ସେହିପରି ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନ ଜେଲରେ ଅଛନ୍ତି। ତେଣୁ ଏହାର ପ୍ରଭାବ ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ପଡ଼ିଥିବା କୁହାଯାଉଛି।

ବିଜେପିର ରେଣୁ ଚୌଧୁରୀ ପ୍ରତାପଗଞ୍ଜର ୱାର୍ଡ(୧୯୭)ରେ ଆପ୍‌ ପ୍ରାର୍ଥୀ ସୀମାଙ୍କୁ ୪୦୩ ଖଣ୍ଡ ଭୋଟରେ ହରାଇଛନ୍ତି। ବିନୋଦ ନଗର(୧୯୭) ୱାର୍ଡରେ ବିଜେପିର ରବୀନ୍ଦ୍ର ସିଂହ ନେଗି ଏକତଫା ଭାବେ ବାଜିମାତ କରିଥିବା ବେଳେ ଶଶି ଚନ୍ଦନ ମଧ୍ୟ ଜିତିଛନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ଥିବା ମୟୂର ବିଭାଗ ଫେଜ ୩(୧୯୬)ରେ ଆପ୍‌ର ଦେବନ୍ଦ୍ର କୁମାର ୧୫୮୮ ଖଣ୍ଡ ଭୋଟରେ ବିଜେପିର ବିପିନ ବିହାରୀଙ୍କୁ ପରାସ୍ତ କରିଛନ୍ତି।

ଅନ୍ୟପକ୍ଷରେ ସତ୍ୟେନ୍ଦ୍ର ଜୈନଙ୍କ ନିର୍ବାଚନ ମଣ୍ଡଳୀର ୩ଟି ଯାକ ଆସନ ଆପ୍‌ ଜିତିବ ବୋଲି ଆଶା କରିଥିଲା। କିନ୍ତୁ ବିଜେପି ଏଠାରେ ବାଜି ମାରି ନେଇଛନ୍ତି। ଏଠାରେ ଥିବା ସରସ୍ୱତୀ ବିହାର(୫୮)ରୁ ବିଜେପିର ଶିଖା ଭରଦ୍ୱାଜ, ପଶ୍ଚିମ ବିହାର(୫୯)ରୁ ବୀନିତ ଭୋରା ଓ ରାଣୀ ବାଗ(୬୦)ରେ ବିଜେପି ପ୍ରାର୍ଥୀ ଜ୍ୟୋତି ଅଗ୍ରୱାଲ ଜିତିଛନ୍ତି।

nis-ad
Leave A Reply

Your email address will not be published.