ଏକଜିଟ୍‌ ପୋଲ: ଦିଲ୍ଲୀ ମହାନଗର ନିଗମରେ ହାରିବ ବିଜେପି, ଜିତିବ ଆପ୍‌

ନୂଆଦିଲ୍ଲୀ: ଦୀର୍ଘ ୧୫ ବର୍ଷ ହେଲା ଦିଲ୍ଲୀ ମହାନଗର ନିଗମରେ ଜାରି ରହିଥିବା ବିଜେପି ଶାସନରେ ପଡ଼ିବ ପୂର୍ଣ୍ଣଚ୍ଛେଦ। ଦିଲ୍ଲୀରେ କ୍ଷମତାସୀନ ଆପ୍‌ ମହାନଗର ନିଗମକୁ ବି ନିଜ ଦଖଲକୁ ନେବ ବୋଲି ଆଜି ସାମ୍ନାକୁ ଆସିଥିବା ଏକଜିଟ ପୋଲରୁ ସ୍ପଷ୍ଟ ହୋଇଛି।

ରବିବାର ଦିଲ୍ଲୀର ୨୫୦ ମହାନଗର ନିଗମ ଆସନରେ ଭୋଟ ହୋଇଥିଲା। ଆସନ୍ତା ବୁଧବାର ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ତେବେ ଏହାପୂର୍ବରୁ ଆଜି ବିଭିନ୍ନ ଜାତୀୟ ଗଣମାଧ୍ୟମ ଓ ସଂସ୍ଥା ପକ୍ଷରୁ ଏକଜିଟ ପୋଲ ରେଜଲ୍ଟ ପ୍ରକାଶ କରାଯାଇଛି। ଏହାର ଅର୍ଥ ଭୋଟ ଦେବା ପରେ ଲୋକମାନେ ଦେଇଥିବା ମତାମତକୁ ଆଧାର କରି ଏହି ରେଜଲ୍ଟ ପ୍ରକାଶ କରାଯାଇଛି।

ଆଜତକ କରିଥିବା ଏକଜିଟ ପୋଲ ରିପୋର୍ଟ ଅନୁସାରେ, ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ଦିଲ୍ଲୀ ମହାନଗର ନିଗମର ୨୫୦ଟି ୱାର୍ଡରୁ ୧୪୯ରୁ ୧୭୧ଟିରେ ଜିତିବ। ସେହିପରି ଟାଇମ୍ସ ନାଓରେ କୁହାଯାଇଛି ଯେ ଆପ୍‌ ୧୪୬ରୁ ୧୫୬ଟି ଆସନ ଜିତିବ।

ଆଜତକ କହିଛି ଯେ ବିଜେପି ୬୯ରୁ ୯୧ଟି ଓ ଟାଇମ୍ସ ନାଓରେ ବିଜେପି ୮୪-୯୪ ଆସନ ମଧ୍ୟରେ ସୀମିତ ରହିବ ବୋଲି ରିପୋର୍ଟ ପ୍ରକାଶ ପାଇଛି।

ଉଭୟ ଚ୍ୟାନେଲ କଂଗ୍ରେସ ୧୦ କିମ୍ବା ତା’ଠାରୁ କମ ୱାର୍ଡରେ ସୀମିତ ରହିବ ବୋଲି କହିଛନ୍ତି। ସେହିପରି ଅନ୍ୟାନ୍ୟ ଦଳଗୁଡ଼ିକ ୫-୯ଟି ଆସନ ପାଇବେ ବୋଲି ଏକଜିଟ ପୋଲରେ କୁହାଯାଇଛି।

ଜନ କୀ ବାତର ଏକଜିଟ ପୋଲରେ କୁହାଯାଇଛି ଯେ ଆପ୍‌ ୧୫୯ରୁ ୧୭୫, ବିଜେପି ୭୦ରୁ ୯୨ ଓ କଂଗ୍ରେସ ୪ରୁ ୭ଟି ଆସନ ଜିତିବେ।

ଟିଭି ୯ କହିଛି, ଆପ୍‌ ୧୪୫, ବିଜେପି ୯୪, କଂଗ୍ରେସ ୮ ଓ ଅନ୍ୟାନ୍ୟ ଦଳ ୩ଟି ଆସନରେ ବାଜିମାତ କରିବେ।

ଯଦି ଆପ୍‌ ଏକଜିଟ ପୋଲ ଅନୁଯାୟୀ ବିଜୟୀ ହୁଏ, ତା’ହେଲେ ଏହା ବିଜେପି ପାଇଁ ଶକ୍ତ ଝଟକା ସଦୃଶ ହେବ। କାରଣ ଏମସିଡି ବା ଦିଲ୍ଲୀ ମହାନଗର ନିଗମରେ ବିଜେପି ୧୫ ବର୍ଷ ହେଲା କ୍ଷମତାରେ ରହିଛି। ଏହି ଧାରାକୁ ଭାଙ୍ଗିବା ପାଇଁ ଆପ୍‌ ଏମସିଡି ନିର୍ବାଚନରେ ଜୋରଦାର ପ୍ରଚାର କରିଥିଲା।

ଏମସିଡିରେ ହୋଇଥିବା ଦୁର୍ନୀତିକୁ ମୂଳପୋଛ କରିବାକୁ ଆପ୍‌ ଦେଇଥିବା ନାରା ସମ୍ଭବତଃ କାମ ଦେବ ବୋଲି ଏଜଜିଟ୍‌ ପୋଲରୁ ଜଣାପଡ଼ୁଛି।

nis-ad
Leave A Reply

Your email address will not be published.